• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କଟକ ନେତାଜୀ ବସ୍ ଟର୍ମିନାଲ ଉଦଘାଟନ ପୂର୍ବରୁ ବିବାଦ । ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବିରେ ରାସ୍ତାରୋକ କରିବା ସହ ରାଜ୍ୟ ବାହାରର ସଂସ୍ଥାକୁ ନିଯୁକ୍ତି ଦାୟିତ୍ୱ ଦିଆଯିବା ନେଇ ଆପତ୍ତି ଉଠାଇଛନ୍ତି ବିଭିନ୍ନ ସଂଗଠନ ଓ ସ୍ଥାନୀୟ ବାସିନ୍ଦା । ଏପରିକି ରାଜ୍ୟର ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡର ଉଦଘାଟନ ପୂର୍ବରୁ ବିଧାୟକ ସୌଭିକ ବିଶ୍ୱାଳ ଓ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସମର୍ଥକମାନେ ମଧ୍ୟ ଏହି ପ୍ରତିବାଦରେ ସାମିଲ ହୋଇଥିବାରୁ ଚର୍ଚ୍ଚା ଜୋର ଧରିଛି ।

ଉଦଘାଟନ ପୂର୍ବରୁ ଅଡୁଆ ସୂତାରେ ଛନ୍ଦି ହେଲାଣି କଟକ ନେତାଜୀ ବସ୍ ଟର୍ମିନାଲ । ଜୋର ଧରିଲାଣି ବିରୋଧର ସ୍ୱର । ରାସ୍ତାକୁ ଓହ୍ଲାଇ ଆସିଛନ୍ତି ବିଭିନ୍ନ ସଂଗଠନ, ସ୍ଥାନୀୟ ବାସିନ୍ଦା । ରାସ୍ତାରୋକ କରାଯାଇଛି, ହୋ ହଲ୍ଲା ବି ହୋଇଛି । ଆଉ ଦାବି ହେଉଛି, ବସ୍ ଟର୍ମିନାଲର ବିଭିନ୍ନ ବିଭାଗରେ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦିଅ । ସିଡିଏ ପକ୍ଷରୁ ଦିଲ୍ଲୀର ଏକ ଠିକା ସଂସ୍ଥା ଭାରତ ବିକାଶ ଗ୍ରୁପ୍ କୁ ନିଯୁକ୍ତି ଦାୟିତ୍ୱ ଦିଆଯାଇଛି । ଏପରିକି ଅନେକ ବିଭାଗରେ ନିଯୁକ୍ତ ବି ହୋଇସାରିଲାଣି । ଏଭଳି ସ୍ଥିତିରେ କଟକରେ ନିର୍ମିତ ଏହି ନୂଆ ବସ୍ ଟର୍ମିନାଲରେ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି ।

ବଡ଼ କଥା ହେଉଛି ଯେ, ଆଜିର ପ୍ରତିବାଦ ସମୟରେ ଏକାଧିକ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିଲା । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସହ ବିଜେଡିର କର୍ପୋରେଟର ଓ ସିଏମସିର ବିଭିନ୍ନ ପଦ ପଦବିରେ ଥିବା ନେତା ଏଥିରେ ସାମିଲ ହୋଇଥିଲେ । ତରବରିଆ ଭାବେ ନିଯୁକ୍ତି ନଦେଇ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଦେବା ଆବଶ୍ୟକତା ଥିଲା ବୋଲି ଦେବାଶିଷ କହିଛନ୍ତି । ସେପଟେ ଗତ ଶୁକ୍ରବାର ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ସମର୍ଥକ ଓ କିଛି ବିଜେଡି ନେତା ମଧ୍ୟ ସମାନ ଦାବି କରି ସିଏମସି ମେୟର ଓ କମିଶନରଙ୍କୁ ଘେରିଥିଲେ ।

ଅନ୍ୟପଟେ ନୂଆ ବସ୍ ଟର୍ମିନାଲର ଆହୁରି ଅନେକ କାମ ବାକି ଥିବା ବେଳେ ଏହାକୁ ସଂଯୋଗ କରୁଥିବା ରାସ୍ତା କାମ ମଧ୍ୟ ଶେଷ ହୋଇନି । କାମ ସଂପୂର୍ଣ୍ଣ ସରିନଥିବା ବେଳେ ଏହାକୁ ଉଦଘାଟନ କରିବା ପାଇଁ ପ୍ରଶାସନ କାହିଁକି ଏତେ ବ୍ୟଗ୍ର ତାହା ଜଣାପଡୁନାହିଁ । ସେପଟେ ବସ୍ ଗୁଡିକ ଖାନନଗର ପଟେ ଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ରାସ୍ତା ସଂପ୍ରସାରଣ ମଧ୍ୟ ହୋଇନାହିଁ । ଆଗକୁ ଦୁର୍ଗାପୂଜା ଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବାର ଆଶଙ୍କା କରାଯାଉଛି ।
ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକର ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲର ଉଦଘାଟନ କରିବେ । ଏହାପୂର୍ବରୁ ଶାସକ ଦଳର ଦୁଇ ନେତା ଓ ସେମାନଙ୍କ ସମର୍ଥକଙ୍କ ଏଭଳି ପ୍ରତିବାଦକୁ ନେଇ ଚର୍ଚ୍ଚା ହେଉଛି ।

  • Reported by:
  • DEBASHISH MOHANTY