• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦିନକୁ ଦିନ ଜୋର ଧରୁଛି ବ୍ରହ୍ମପୁର ମହାନଗର ନିଗମକୁ ପୂର୍ଣ୍ଣାଙ୍ଗ କରିବା ଦାବି । ଆଖପାଖ ପଞ୍ଚାୟତକୁ ମିଶ୍ରଣ କରି ବ୍ରହ୍ମପୁର ମହାନଗର ନିଗମରେ ମିଶାଇବା ନେଇ ୧୫ ବର୍ଷ ପୂର୍ବେ ନୋଟିଫିକେସନ ହୋଇଥିଲା । ହେଲେ ଆଜି ଯାଏଁ କୌଣସି ମିଶ୍ରଣ ହୋଇନି । ଏହାକୁ ନେଇ ସହରତଳି ମିଳିତ କ୍ରିୟାନୁଷ୍ଠାନ କମିଟି କଳା ବ୍ୟାଜ୍ ପରିଧାନ କରି ବିକ୍ଷୋଭ କରିଛି । ସେପଟେ ଆଗାମୀ ପଞ୍ଚାୟତ ନିର୍ବାଚନ ପରେ ହିଁ ମହାନଗର ନିଗମରେ ପଞ୍ଚାୟତ ଗୁଡ଼ିକ ମିଶିବ ବୋଲି କହିଛନ୍ତି ବିଧାୟକ ।

ଆଜି ବି ବ୍ରହ୍ମପୁର ମହାନଗର ନିଗମରେ ମିଶ୍ରଣ ଲାଗି ଅନାଇ ବସିଛନ୍ତି ସହରତଳି ୧୭ଟି ପଞ୍ଚାୟତର ଲୋକେ । ୨୦୦୮ ଡିସେମ୍ବର ୨୯ତାରିଖରେ ରାଜ୍ୟ ସରକାରଙ୍କ ଗ୍ୟାଜେଟ ନୋଟିଫିକେସନ୍ ହୋଇଥିଲା । ଯେଉଁଥିରେ ଗ୍ରେଟର ବ୍ରହ୍ମପୁର ମହାନଗର ନିଗମରେ ସହରତଳି ୧୭ଟି ପଞ୍ଚାୟତର କିଛି ଅଂଶକୁ ମିଶ୍ରଣ ଲାଗି ଉଲ୍ଲେଖ ଥିଲା ।

ଏ ମଧ୍ୟରେ ୧୫ ବର୍ଷ ବିତିଛି, ହେଲେ ଗ୍ୟାଜେଟ ନୋଟିଫିକେସନ କେବେଳ କାଗଜ ପତ୍ରରେ ସୀମିତ ରହିଛି । ଏ ନେଇ ବ୍ରହ୍ମପୁର ସହର ତଳିବାସୀ ବାରମ୍ବାର ଦାବି କରି ଆସୁଛନ୍ତି, ହେଲେ ଏହାକୁ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ବ୍ରହ୍ମପୁର ମହାନଗରକୁ ଲୋଚାପଡ଼ା ପଞ୍ଚାୟତ ଠାରୁ ଆରମ୍ଭ କରି ହଳଦିଆପଦର ସମେତ ବହୁ ପଞ୍ଚାୟତ ଲାଗି ରହିଛି । ଏଠି ଏବେ ବଡ଼ ବଡ଼ କୋଠା ଘର ନିର୍ମାଣ ହେବା ସହ ଜନସଂଖ୍ୟା ମଧ୍ୟ ବଢ଼ିଛି । ଅନ୍ୟପଟେ ବ୍ରହ୍ମପୁର ମହାନଗର ନିଗମରେ ପଞ୍ଚାୟତକୁ ମିଶ୍ରଣ ଲାଗି ହାଇକୋର୍ଟରେ ରିଟ୍ ପିଟିସନ ଦାୟର ହୋଇଥିଲା ।

ପରେ ଜନଶୁଣାଣୀ ବି ହୋଇଥିଲା, ତାପରେ ବି କିଛି କାର୍ଯ୍ୟାନୁଷ୍ଠାନ ହୋଇନି । ଅନ୍ୟପଟେ ଆଗାମୀ ପଞ୍ଚାୟତ ନିର୍ବାଚନରେ ପଞ୍ଚାୟତ ଗୁଡିକୁ ନିର୍ବାଚନରେ ଅଂଶଗ୍ରହଣ ନ କରାଇ ପୂର୍ଣ୍ଣାଙ୍ଗ ମହାନଗରରେ ସାମିଲ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ।

୨୦୦୮ ଗେଜେଟ ନୋଟିଫିକେସନ ପରଠାରୁ ତିନି ତିନି ଥର ପଞ୍ଚାୟତ ନିର୍ବାଚନ ସରିଲାଣି, ହେଲେ ସହରତଳି ଅଞ୍ଚଳର ଲୋକେ ଏବେ ବି ମହାନଗରରେ ମିଶିବା ଲାଗି ଅନାଇ ବସିଛନ୍ତି । କେବେ ସହରତଳି ଲୋକଙ୍କ ଆଶା ପୂରଣ ହେବ ସେନେଇ ଉଠିଛି ପ୍ରଶ୍ନ ।