• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବହଳଦାବାସୀଙ୍କ ପାଇଁ ହେଉନି ବସ୍‌ଷ୍ଟଣ୍ଡ । ବିପଦପୂର୍ଣ୍ଣ ପାଲଟୁଛି ଯାତାୟାତ । ରାସ୍ତାକଡ଼ରେ ବସ୍‌ ରହୁଥିବାରୁ ଦୁର୍ଘଟଣା ଭୟ ବି ରହୁଛି । ଆଉ ଏଥିପାଇଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ଓ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ରାଜ୍ୟ ସରକାରଙ୍କ ୨୫ ବର୍ଷ ଶାସନରେ ବହଳଦାକୁ ମିଳିପାରିଲାନି ଗୋଟିଏ ବସ୍‌ଷ୍ଟାଣ୍ଡ । ଯାହାଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଆଧୁନୀକରଣ ନାଁରେ ସରକାର ଡିଣ୍ଡିମ ପିଟୁଛନ୍ତି । ହେଲେ ମୟୂରଭଂଜ ଜିଲ୍ଲାର ବହଳଦାରେ ଦେଖିବାକୁ ମିଳିଛି ପୂରା ଓଲଟା । ୨୨୦ ନମ୍ବର ଜାତୀୟ ରାଜପଥ ଦୀର୍ଘବର୍ଷ ଧରି ଅସ୍ଥାୟୀ ବସଷ୍ଟାଣ୍ଡ ରୂପେ ବ୍ୟବହାର ହେଉଛି । ରାସ୍ତା ଦେଇ ଦିନରାତି ଅହରହ ବଡ ବଡ ବସ, ଟ୍ରକ, ଓ ଭାରିଯାନ ଚଳାଚଳ କରୁଛି । ଫଳରେ ଯାତ୍ରୀଙ୍କ ଜୀବନ ବିପଦପୂର୍ଣ୍ଣ ପାଲଟିଛି ।

ବସ୍‌ଷ୍ଟାଣ୍ଡ ନଥିବାରୁ ରାସ୍ତାକଡ଼ରେ ଥିବା ଦୋକାନ ଗୁଡ଼ିକ ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ବସ୍‌ ଗୁଡ଼ିକ ପାର୍କିଂ କରାଯାଉଛି । ଏହାବ୍ୟତୀତ ଏଠାରେ ପ୍ରତିକ୍ଷାଳୟ ଓ ଶୌଚାଳୟଟିଏ ମଧ୍ୟ ନାହିଁ । ଖରା, ବର୍ଷା ଓ ଶୀତ ସମୟରେ ଖୋଲା ଆକାଶ ତଳେ ପିଲା ଛୁଆ ଧରି ଯାତ୍ରୀମାନେ ବସକୁ ଅପେକ୍ଷା କରୁଛନ୍ତି । ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଗୁରୁତ୍ଵ ଦିଅଯାଉନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

ତେବେ କେବେ ହେବ ଯାତ୍ରୀଙ୍କ ପାଇଁ ବହଳଦା ବସ୍‌ଷ୍ଟାଣ୍ଡ ? ସାଧାରଣ ଲୋକଙ୍କୁ କେବେ ମିଳିବ ବିପଦପୂର୍ଣ୍ଣ ଯାତାୟାତରୁ ମୁକ୍ତି ? ଅଧୁନିକୀକରଣର ଡିଣ୍ଡିମ ପିଟୁଥିବା ସରକାର କେବେ କରିବେ ବସ୍‌ଷ୍ଟାଣ୍ଡ ତାହା ଦେଖିବାକୁ ବାକି ରହିଲା ।

(ରାଇରଙ୍ଗପୁରରୁ ଯଶବନ୍ତ ବାରିକଙ୍କ ରିପୋର୍ଟ, ଓଟିଭି)