• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାଜୁଛି କାନଫଟା ଡିଜେ... ଚାଲିଛି ଧୂଳିଉଡ଼ା ନାଚ... ଦୁଲୁକୁଛି ବରଗଡ଼ ତବଡ଼ା ପଞ୍ଚାୟତର କଳଙ୍ଗାପାଳି ଗାଁ ଦାଣ୍ଡ । ଲାଗୁଛି ଇଏ ନିଶ୍ଚେ ବରଯାତ୍ରୀ, ନହେଲେ କୌଣସି ମେଢ଼ ଭସାଣି ପ୍ରୋସେସନ୍... କିନ୍ତୁ ନା । ଇଏ ଜଣଙ୍କ ଅନ୍ତିମ ଯାତ୍ରା । ସାଧାରଣତଃ କାନ୍ଦ ବୋବାଳି ଓ ରାମ୍ ନାମ୍ ସତ୍ୟ ହେ.. ଭିତରେ ଯେଉଁ କର୍ମ ହୁଏ, ସେଠି ଏଭଳି ହସ ଉଲ୍ଲାସ ନିହାତି ବିରଳ ।

କୁହାଯାଇପାରେ, ସମସ୍ତଙ୍କ ଭାଗ୍ୟରେ ନଥାଏ, ଶତାୟୁ କୁଶ ମେହେରଙ୍କ ଭଳି ସୁଖଦ ଅନ୍ତ । କଳଙ୍ଗାପାଳି ଗାଁର କୁଶ ମେହେର ୧୦୫ ବର୍ଷ ବୟସରେ ବି ବେଶ୍ ସକ୍ରିୟ ଥିଲେ । ନା ବୟସ ଜନିତ ରୋଗ, ନା କୌଣିସ କଷ୍ଟ । ଆଜି ସକାଳେ ଖାଇପିଇ ଶୋଇଥିଲେ, ଚାଲିଗଲେ । ଏହାପରେ ତାଙ୍କ ପରିବାର ପକ୍ଷରୁ ଏଭଳି ନିଆରା ଆୟୋଜନ କରାଯାଇଥିଲା, ପରିବାରର ପିତାମହଙ୍କୁ ଖୁସି ଖୁସିରେ ବିଦାୟ ଦେବା ପାଇଁ । ପରିବାରବର୍ଗ, ବନ୍ଧୁବାନ୍ଧବ, ଜାତିଭାଇ ସମସ୍ତେ ସାମିଲ ହୋଇ ତାଙ୍କ କୋକେଇକୁ ମଶାଣି ନେଇଥିଲେ ଡିଜେର ତାଳେତାଳେ ।

ଇଏ ଆଉ ଏକ ସ୍ଥାନ, ଆଉ ଏକ ଘଟଣା । ଏଠି ଆଗେ ଆଗେ ବ୍ୟାଣ୍ଡ୍ ବାଜା, ପଛେ ପଛେ ଛାତ୍ରଛାତ୍ରୀଙ୍କ ଗହଣରେ ଘଟଣାର ମୁଖ୍ୟ ଚରିତ୍ର । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ରଙ୍ଗପତି ସ୍କୁଲର ବିଦାୟୀ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ବିଶ୍ୱାଳ । ଏଠି ମାତ୍ର ୩ ବର୍ଷର କାର୍ଯ୍ୟକାଳ ଭିତରେ ଶରତ ସାର୍ ଛାତ୍ରଛାତ୍ରୀ ଓ ଗାଁ ଲୋକଙ୍କର ଏତେ ପ୍ରିୟ ପାଲଟିଯାଇଥିଲେ ଯେ, ତାଙ୍କର ଫେୟାରୱେଲ ସେରିମନିକୁ ଚିରଦିନ ଲାଗି ସ୍ମରଣୀୟ କରିବା ପାଇଁ ବ୍ୟାପକ ଆୟୋଜନ କରିଥିଲେ ସେମାନେ ।

ମାନପତ୍ର ସହ ଭେଟି ଦେଇଥିଲେ ଅନେକ ଉପହାର । ଦେଖିଲେ ଲାଗୁଥିଲା, ଇଏ ଖାଲି ବିଦାୟ କାଳୀନ ସମ୍ବର୍ଦ୍ଧନା ନୁହେଁ, ଇଏ ଜଣେ ଗୁରୁଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣର ବେଳ । ବିଦାୟ ବେଳେ ବେଳେ ଛାତିର ଅଲିଭା ଦାଗ ହୋଇ ରହିଯାଏ, ଆଉ କେତେବେଳେ ସୁଖଦ ଅନୁଭୂତିଟିଏ ହୋଇ । ଏହି ୨ଟି ଘଟଣା ଦେଖିଲେ ଅନୁଭବ କରିହୁଏ, ସବୁ ବିଦାୟରେ ବିଷାଦ ନଥାଏ ।

ବରଗଡ଼ରୁ ଦୀପକ ଶର୍ମା ଓ ସୋରରୁ ନିରଞ୍ଜନ ବେହେରାଙ୍କ ରିପୋର୍ଟ, ଓଟିଭି...