• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବର୍ଷ ବର୍ଷ ଧରି ସରୁନି ଜାତୀୟ ରାଜପଥ ନିର୍ମାଣ କାମ । ମଝିରେ ମଝିରେ କାମ ବନ୍ଦ ଏବଂ ମନ୍ଥର ଗତିରେ କାମ ପାଇଁ ରାସ୍ତା ପାଲଟୁଛି ମରଣ ଯନ୍ତା । ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲରୁ ଡୁବୁରୀ ଏବଂ ବାଲେଶ୍ବର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ମଇତାପୁରରୁ ବାଲେଶ୍ୱର ଯାଏଁ, ଏ ଉଭୟ ରାସ୍ତାର ନିର୍ମାଣ ଓ ପ୍ରଶସ୍ତୀକରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ପାଇଁ ଦୁର୍ବିସହ ହୋଇପଡ଼ିଲାଣି ଲୋକଙ୍କ ଜୀବନ । ସେପଟେ ଆସନ୍ତା ମାର୍ଚ୍ଚ ସୁଦ୍ଧା ଓଡ଼ିଶାରେ ଚାଲିଥିବା ୪ଟ ପ୍ରକଳ୍ପର କାମ ସମ୍ପୂର୍ଣ୍ଣ ଶେଷ ହୋଇଯିବ ବୋଲି କହିଛନ୍ତି NHAI କର୍ତ୍ତୃପକ୍ଷ ।

ବାଲେଶ୍ୱର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଏବଂ ଚଣ୍ଡୀଖୋଲରୁ ଡୁବୁରୀ ଯାଏଁ ଏନଏଚ୍ ନମ୍ବର ୫୩ । ଉଭୟ ରାସ୍ତାରେ ଗଲେ ଭୋଗିବାକୁ ପଡ଼ିବ ସମାନ ଦଶା । ରାସ୍ତା ତ ନୁହେଁ, ସତେ ଯେମିତି ମରଣ ଯନ୍ତା । ପ୍ରତି ମୁହୂର୍ତ୍ତରେ ଧନ-ଜୀବନ ହାନୀର ଆଶଙ୍କା । ୧୬ ନମ୍ବର ଜାତୀୟ ରାଜପଥର ମଇତାପୁରଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ପ୍ରାୟ ୭୦ କିଲୋମିଟର ରାସ୍ତାର ଅବସ୍ଥା ଯାହା, ଏଠି ଗାଡ଼ି ଚାଳକଟିଏ ସୁରକ୍ଷିତ କି ନୁହେଁ, ନିଜକୁ ୫୦ ବାର ପ୍ରଶ୍ନ କରିବ । ଜାତୀୟ ରାଜପଥ ଉପରେ କେଉଁଠି ଆଣ୍ଠୁଏ ଉଚ୍ଚର ପାଣି ତ କେଉଁଠି ରାସ୍ତା କଡ଼ରେ ଆଁ କରିଛି ପୋଖରୀ ସଦୃଶ ଗାଡ଼ ।

ଟିକେ ଅସାବଧାନ ହେଲେ, ସାମ୍ନାରେ ବଡ଼ ବିପଦ । ତେବେ ଏ ୭୦ କିଲୋମିଟର ରାସ୍ତାରେ ସବୁଠୁ ଘାତକ ସାଜୁଛି ୧୫ରୁ ଅଧିକ ଡାଇଭରସନ୍ । କେବଳ ଏଇଥିପାଇଁ ରାସ୍ତାରେ ବେଳେ ବେଳେ ଅସମ୍ଭବ ଟ୍ରାଫିକ ଜାମ୍ ସ୍ଥିତି ସୃଷ୍ଟି ସହ ପାସିଂ ରୋଡର ଦୟନୀୟ ଅବସ୍ଥା ପାଇଁ ଅସୁବିଧାରେ ପଡୁଛନ୍ତି ବଡ଼ ବଡ଼ ଭାରିଯାନ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ନିର୍ମାଣକାରୀ ସଂସ୍ଥା ବ୍ରିଜ ଗୋପାଳ କନଷ୍ଟ୍ରକ୍ସନ କମ୍ପାନୀର ଏ ମନମାନି ପାଇଁ ଅନେକ ସମୟରେ ଟ୍ରାଫିକ୍ ଜାମରେ ଫସି ପେସି ହୋଇଯାଉଛନ୍ତି ଶହ ଶହ ହାଲୁକା ଯାନ, ଆମ୍ବଲାନ୍ସ ଓ ଅନ୍ୟ ଜରୁରୀ କାମରେ ଯାଉଥିବା ଯାନବାହନ ।

ଏପଟେ ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡୀଖୋଲରୁ ଡୁବୁରୀ ପର୍ଯ୍ୟନ୍ତ ୪୦ କିଲୋମିଟର ରାସ୍ତାର ପ୍ରଶସ୍ତୀକରଣ ଚାଲିଥିବା ବେଳେ ଏଠି ବି ସମଦଶା ଭୋଗୁଛନ୍ତି ଗାଡ଼ିଚାଳକ ଓ ସାଧାରଣ ଜନତା । ପ୍ରାୟ ୭ ବର୍ଷ ଧରି ଏ ରାସ୍ତା କାମ ଚାଲୁଥିଲେ ବି ସାରିପାରୁନି ଠିକା ସଂସ୍ଥା । ଫଳରେ ଦୈନିକ ହଜାର ହଜାର ସଂଖ୍ୟାରେ ଯାଉଥିବା ଭାରି ଯାନ ଓ ଖଣି ଅଞ୍ଚଳକୁ ଯାଆସ କରୁ ବଡ଼ ବଡ଼ ଟ୍ରକ୍ ସବୁ ଯିବା ଆସିବାରେ ଖାଲି ଅସୁବିଧା ହେଉନି, ବରଂ ଅନ୍ୟ ଯାନବାହନ ଚଳାଚଳରେ ସୃଷ୍ଟି କରୁଛି ଗୁରୁତର ସମସ୍ୟା । ମରାମତି ଅଭାବରୁ ବର୍ଷା ଦିନେ ରାସ୍ତାରେ ବଡ଼ ବଡ ଖାଲଖମା ସୃଷ୍ଟି ହେଉଥିବାରୁ ଏହା ଅନେକ ସମୟରେ ଅଜଣା ପଥଚାରୀଙ୍କ ପାଇଁ ବିପଦ୍ଜନକ ସାଜୁଛି । ତେବେ ଏ ନେଇ ସ୍ଥାନୀୟ ଲୋକେ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣାଉଥିଲେ ବି, କିଛି ଫଳ ମିଳୁନଥିବା ସେମାନଙ୍କ ଅଭିଯୋଗ ।

 

  • Reported by:
  • KAPILENDRA PRADHAN , Niranjan Behera , Gulam