Advertisment

NREGS ଯୋଜନାରେ ଦୁର୍ନୀତି, ମାଟି ପୋତା କାମରେ ମନଇଚ୍ଛା ବିଲ୍

ଜଗତସିଂହପୁର ଜିଲ୍ଲାର ସବୁ ପଞ୍ଚାୟତରେ ଖୋଳତାଡ଼ କରାଯାଏ, ତେବେ କୋଟି କୋଟି ଟଙ୍କା ଫଲ୍ସ ବିଲ୍ ହୋଇଥିବା ସାମ୍ନାକୁ ଆସିବ।

ଅଦ୍ୟତନ ହୋଇଛି
Library Construction Corruption In Jagatsinghpur

jojanara Na Hariloot

Advertisment

ମନରେଗା ଯୋଜନାରେ ପୁଣି ଏକ ହରିଲୁଟ୍ । ଫଲ୍ସ ବିଲ୍ କରି ଟଙ୍କା ଖାଇଥିବା ଖବର ଆସିଛି ଜଗତସିଂହପୁର ଜିଲ୍ଲାରୁ । ନାଉଗାଁ ବ୍ଲକ ଘୋଡାଂଶ ପଞ୍ଚାୟତରେ ମାଟି ପୋତା କାମରେ ଟଙ୍କା କିକବ୍ୟାକ୍ ହୋଇଛି । ନିର୍ମାଣାଧୀନ ଲାଇବ୍ରେରି ଚାରିପାଖରେ ଅଳ୍ପ କିଛି ମାଟି ପକାଇ ୩ ଲକ୍ଷରୁ ଅଧିକ ଟଙ୍କା ବିଲ୍ ହୋଇଛି । ସେହିପରି ଶ୍ମଶାନକୁ ରାସ୍ତା ନିର୍ମାଣ ପାଇଁ ମାଟି ପକାଇବା ବାବଦରେ ମିଥ୍ୟା ବିଲ୍ ହୋଇଛି।

Advertisment

ଅଧିକ ପଢ଼ନ୍ତୁ: ୮ ବର୍ଷ ହେଲାଣି ପ୍ରକଳ୍ପ ବୋର୍ଡ ମରାଯାଇଛି କିନ୍ତୁ କାମ ହେଉନି...

ଜଗତସିଂହପୁର ଘୋଡାଂଶ ପଞ୍ଚାୟତ ମୁଗେଇ ଗାଁରେ ରହିଛି ନିର୍ମାଣାଧୀନ ଲାଇବ୍ରେରି । ଆମ ଗାଁ ଆମ ବିକାଶ ସ୍କିମ୍ ରେ ୫ ଲକ୍ଷ ଟଙ୍କା ଅଟକଳରେ ଚାଲିଛି କାମ । ତେବେ ଲାଇବ୍ରେରି ଚାରିପାଖରେ ମାଟି ପୋତିବା ପାଇଁ ମନରେଗା ଯୋଜନାରେ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ସେଥିରୁ ୩ ଲକ୍ଷ ୨୬ ହଜାର ୯୧୬ ଟଙ୍କା ବିଲ୍ ସରିଲାଣି । କିନ୍ତୁ କାମ ନାଁରେ ଅଳ୍ପ କିଛି ଟ୍ରାକ୍ଟର ମାଟି ପଡିଛି । ଅର୍ଥାତ୍ ପାଖାପାଖି ୨୦ରୁ ୩୦ ହଜାର ଟଙ୍କାର ମାଟି ପକାଇ ଦେଇ ୩ ଲକ୍ଷ ୨୬ ହଜାର ଟଙ୍କା ବିଲ୍ ହୋଇଯାଇଛି।

ଖାଲି ଏତିକି ନୁହେଁ, ମୁଗେଇ ଗାଁ ଶ୍ମଶାନକୁ ରାସ୍ତା ନିର୍ମାଣ ପାଇଁ ମାଟି ଫିଲିଙ୍ଗ ବାବଦକୁ ମଞ୍ଜୁର ହୋଇଥିଲା ୫୦ ହଜାର ଟଙ୍କା। ମାଟି ଆଦୌ ପଡିନି, କିନ୍ତୁ ୪୧ ହଜାର ୨୯୨ ଟଙ୍କା ବିଲ୍ ସରିଯାଇଛି। ସେହିପରି ଓଡ଼ପଏଙ୍ଗା ମଶାଣିକୁ ରାସ୍ତା ନିର୍ମାଣ ପାଇ: ମାଟି ପୋତା ବାବଦରେ ୩୧ ହଜାର ଟଙ୍କା ଉଠାଯାଇଛି, ଝୁଡିଟେ ବି ମାଟି ପଡିନି, ଫଲ୍ସ ବିଲ୍ ହୋଇଛି।

Advertisment

ଘୋଡାଂଶ ପଞ୍ଚାୟତର ଅନେକ ପ୍ରକଳ୍ପ କାର୍ଯ୍ୟରେ ମିଥ୍ୟା ବିଲ୍ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ଖୋଦ୍ ଘୋଡାଂଶ ପଞ୍ଚାୟତର ସରପଞ୍ଚ ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି । ଏପରିକି ବ୍ଲକ ପ୍ରଶାସନ ବିଲ୍ କରିବା ପାଇଁ ପିସି ମାଗୁଥିବା ସେ ସାଂଘାତିକ ଅଭିଯୋଗ କରିଛନ୍ତି।

ଅଧିକ ପଢ଼ନ୍ତୁ: ଟଙ୍କା ଉଠୁଛି, କାମରେ ଲାଗୁନି ! ଗୋଟିଏ ରାସ୍ତାକୁ ଦେଖାଇ ତିନି ତିନି ଥର ବିଲ୍

Advertisment

ବ୍ଲକରେ ପିସି ମାଗୁଥିବା ଅଭିଯୋଗ ନେଇ ନାଉଗାଁ ବିଡିଓଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ନାଉଗାଁ ବ୍ଲକ ଅଧ୍ୟକ୍ଷା କହିଛନ୍ତି, ସେ ଫାଇଲ୍ ମଗେଇ ଦେଖିବେ ଏବଂ କାମରେ ତ୍ରୁଟି ଥିଲେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ଜଣାଇବେ ।

ଏହା ତ କେବଳ ଗୋଟିଏ ପଞ୍ଚାୟତର ତଥ୍ୟ, ଯଦି ଜଗତସିଂହପୁର ଜିଲ୍ଲାର ସବୁ ପଞ୍ଚାୟତରେ ଖୋଳତାଡ଼ କରାଯାଏ, ତେବେ କୋଟି କୋଟି ଟଙ୍କା ଫଲ୍ସ ବିଲ୍ ହୋଇଥିବା ସାମ୍ନାକୁ ଆସିବ। ଘୋଡାଂଶ ପଞ୍ଚାୟତରେ ଘୋଟାଲା ସମ୍ପର୍କରେ ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀଙ୍କୁ ପଚାରିବାରୁ ତାଙ୍କ ପାଖରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା କହିଛନ୍ତି, ତଥାପି ତଦନ୍ତ କରିବାର ପ୍ରତିଶ୍ରୁତି ଦେଇଛନ୍ତି।

Jojona Ra Na Hariloot Yojanara Na Hariloot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ