• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାସ୍ତା କାମରେ ବଡ଼ ଧରଣର ଦୁର୍ନୀତି । ଟଙ୍କା ହରିଲୁଟ୍ ପାଇଁ ସବୁ ସୀମା ସରହଦ୍ ପାର କରିଛନ୍ତି ସରକାରୀ ଅଧିକାରୀ ଓ ଲୋକ ପ୍ରତିନିଧି । ଗୋଟିଏ ୭୦୦ ମିଟର ରାସ୍ତାକୁ ଦେଖାଇ ତିନି ତିନିଥର ବିଲ୍ ହୋଇଛି, ଯେଉଁଠି ରାସ୍ତାର ଆଦୌ ଆବଶ୍ୟକତା ନାହିଁ, ସେଠାରେ ରାସ୍ତା ନିର୍ମାଣ ବାବଦରେ ୧୨ ଲକ୍ଷରୁ ଅଧିକ ଟଙ୍କା ବିଲ୍ ହୋଇଛି ।

ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତରେ ବାଟମଙ୍ଗଳା ମନ୍ଦିରଠାରୁ ରଘୁନାଥପୁର ହରିଜନ ସାହି ଭାୟା ମହେନ୍ଦ୍ର ନାୟକଙ୍କ ଘର ପର୍ଯ୍ୟନ୍ତ ୭୦୦ ମିଟରର ରାସ୍ତା । ଏହି ମାଟି ରାସ୍ତା କାହିଁ କେତେ ବର୍ଷ ତଳର , ଗତ ୫ ବର୍ଷ ଭିତରେ ଏଠାରେ ମାଟି ମୁଠାଏ ବି ପଡିନି, ହେଲେ ସରକାରୀ ତହବିଲରୁ ଉଠିଛି ଲକ୍ଷ ଲକ୍ଷ ଟଙ୍କା । ୨୦୨୦-୨୧ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଏହି ରାସ୍ତା କାମ ପାଇଁ ମଞ୍ଜୁର ହୋଇଥିଲା ୭ ଲକ୍ଷ ଟଙ୍କା । ୫୧୫ ଜଣ ଏହି ଯୋଜନାରେ କାମ କରିଛନ୍ତି ଏବଂ ୫ ଲକ୍ଷ ୯୧ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସରକାରୀ ରିପୋର୍ଟରେ ରହିଛି ।

ପୁଣିଥରେ ୨୦୨୧-୨୨ ଆର୍ଥିକ ବର୍ଷରେ ଦ୍ୱିତୀୟ ଫେଜରେହୋଇଛି ବିଲ୍ । ସମାନ ରାସ୍ତା ପାଇଁ ୨୦୨୧ ମେ ୨୧ ତାରିଖରେ ୬ ଲକ୍ଷ ଟଙ୍କା ଉଠାଯାଇଛି । ଏଥର ମଧ୍ୟ ୨୦୯ ଜଣ କାମ କରିଥିବା ଦର୍ଶାଇ ୨ ଲକ୍ଷ ୯୨ ହଜାରରୁ ଅଧିକ ଟଙ୍କା ସରକାରୀ ତହବିଲରୁ ଉଠିଛି । ଏତିକି ନୁହେଁ ତୃତୀୟ ପର୍ଯ୍ୟାୟରେ ମଧ୍ୟ ଉଠିଛି ଟଙ୍କା ।

ପଞ୍ଚାୟତ ଲୋକଙ୍କ କହିବା ଅନୁସାରେ, ଏଠାରେ ରାସ୍ତାର କୌଣସି ଆବଶ୍ୟକତା ନାହିଁ, ନହେଲେ ଚଳିବ । ହେଲେ ଟଙ୍କା ଆତ୍ମସାତ୍ ପାଇଁ ଏମିତି ଉପାୟ କରିଛନ୍ତି ସରକାରୀ ଅଧିକାରୀ ଓ ଲୋକ ପ୍ରତିନିଧି ।

ଗୋଟିଏ ରାସ୍ତା ପାଇଁ ଏକାଧିକ ଥର ବିଲ୍ ଉଠିଥିବା ଆରଟିଆଇରୁ ଜଣାପଡିବା ପରେ ଏବେର ସମିତି ସଭ୍ୟ ଓ ଗ୍ରାମବାସୀ ପ୍ରଶାସନକୁ ଜଣାଇଛନ୍ତି । ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି । ମିଥ୍ୟା ବିଲ୍ କରିବା ଏବଂ ଟଙ୍କା ଆତ୍ମସାତ୍ କରିବା ଅଭିଯୋଗରେ ସମ୍ପୃକ୍ତ ଥିବା ଜେଇ ମନୋଜ ମିଶ୍ର, ଜିଆରଏସ୍ ବିଶ୍ୱମ୍ବର ମହାନ୍ତି ଓ ସରପଞ୍ଚ ପରମାନନ୍ଦ ନାୟକଙ୍କ ବିରୋଧରେ କାଯର୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଗୋଟିଏ ରାସ୍ତା ପାଇଁ କିପରି ଏକାଧିକ ଥର ବିଲ୍ ହୋଇଛି ? ତେଣୁ ଏହି ଦୁର୍ନୀତିରେ ଲୋକ ପ୍ରତିନିଧି ଏବଂ ପଞ୍ଚାୟତ ଓ ବ୍ଲକ ସ୍ତରର ଅଧିକାରୀଙ୍କ ସମ୍ପୃକ୍ତି ଥିବା ନିଶ୍ଚିତ । ସମସ୍ତ ତଥ୍ୟ ପ୍ରମାଣ ଓ ଦସ୍ତାବିଜ୍ ଥିବା ସତ୍ତ୍ୱେ କାହିଁକି ଦୁର୍ନୀତିଖୋର ଅଧିକାରୀକ ବିରୋଧରେ ହେଉନି କାର୍ଯ୍ୟାନୁଷ୍ଠାନ? ଏବେ ଅପେକ୍ଷା ଜିଲ୍ଲାପାଳ କେବେ ନେଉଛନ୍ତି କାର୍ଯ୍ୟାନୁଷ୍ଠାନ . . .