• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ୱାଭିମାନ ଅଞ୍ଚଳରେ ଲେମନଗ୍ରାସ ଓ କାଜୁ କେଳେଙ୍କାରୀ । ଆଦିବାସୀଙ୍କ ଉନ୍ନତି ପାଇଁ କାମ କରୁଥିବା ସଂସ୍ଥା ITDA, ନିରୀହ ଆଦିବାସୀଙ୍କୁ ସ୍ୱାବଲମ୍ବୀ ହେବାକୁ କହି ଠକିଥିବା ଅଭିଯୋଗ । ୨୦୨୨-୨୩ରେ ମାଲକାନଗିରି ଜିଲ୍ଲାର ୩ଟି ପଞ୍ଚାୟତରେ ୨୦୦ ହେକ୍ଟରରୁ ଅଧିକ ଜମିରେ କାଜୁ ଓ ଲେମନଗ୍ରାସ ଚାଷ ପାଇଁ ନିର୍ଦ୍ଦେଶ ଦେଇଥିଲା ଆଇଟିଡିଏ। ହିତାଧିକାରୀଙ୍କୁ ନେଇ କରାଗଲା ଚାଷ ।

୨୦୦ ହେକ୍ଟରରେ ନହୋଇ ସ୍ୱାଭିମାନ ଅଞ୍ଚଳର ପାପରମେଟଲା ପଞ୍ଚାୟତରେ ୩୫ ହେକଟର ଓ ଯୋଡ଼ାମ୍ବ ପଞ୍ଚାୟତରେ ୧୫ ହେକ୍ଟର ଜମିରେ ଲାଗିଲା କାଜୁ ଓ ଲେମନଗ୍ରାସ୍ ଚାରା। ଗ୍ରାମବାସୀମାନେ ଚାରା ରୋପଣ କଲେ। କିନ୍ତୁ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଆଇଟିଡିଏ ପକ୍ଷରୁ ପାରିଶ୍ରମିକ ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ: ରାସନ୍ କାର୍ଡଧାରୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଚାଉଳ ହଡପ୍, ଗରିବଙ୍କ ଦୁଃଖ ବୁଝିବ କିଏ ?

ଚାଷୀମାନଙ୍କୁ ଅଧିକ ରୋଜଗାର ସହ ସ୍ୱାବଲମ୍ବୀ କରିବାର ଲୋଭ ଦେଖାଗଲା। ମନରେଗା ଯୋଜନାରେ ଆଇଟିଡିଏ ଏବଂ ଏହା ଅଧୀନରେ ଥିବା OTLP ସଂସ୍ଥା ମାଧ୍ୟମରେ ଚାଷ ହେଲା। ଚାଷୀମାନେ ନିଜ ପାରମ୍ପରିକ ଚାଷ ଛାଡ଼ି ଲେମନଗ୍ରାସ୍ ଓ କାଜୁ ଚାଷରେ ଲାଗିଲେ। ଫଳରେ ପାରମ୍ପରିକ ଚାଷ ତ ଗଲା, ଏପଟେ ଟଙ୍କାଟିଏ ବି ପାଇଲେନି।

ଗ୍ରାମବାସୀଙ୍କୁ ଭୁଆଁ ବୁଲାଇ OTLP ସଂସ୍ଥା ଚାଷ କରାଇଲା। କାହାକୁ ସାର ମିଳିଲା ତ କାହାକୁ ମିଳିଲାନି, ପୁଣି ଗଛର ସୁରକ୍ଷା ପାଇଁ କାହାକୁ ତାରବାଡ଼ ମିଳିଲା ତ କାହାକୁ ମିଳିଲାନି। ସେପଟେ କିନ୍ତୁ ଲେମନଗ୍ରାସ୍ ଓ କାଜୁ ଚାଷ ପାଇଁ ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ଆସିଥିବା ଜଣାପଡିଛି।

କାଜୁ ଓ ଲେମନଗ୍ରାସ୍ ଚାଷ ପାଇଁ ମୋଟ କେତେ ଟଙ୍କା ଆସିଛି ଏବଂ କେତେ ଟଙ୍କା ବିଲ୍ ହୋଇଛି, ତାର ସ୍ପଷ୍ଟ ସୂଚନା ଆଇଟିଡିଏ କର୍ତ୍ତୃପକ୍ଷ ଦେଉନାହାନ୍ତି। ଏଠି ପ୍ରଶ୍ନ ଉଠୁଛି, ମନରେଗା ଯୋଜନାରେ ଆସିଥିବା ଟଙ୍କା ଗଲା କୁଆଡେ ? ଚାଷୀଙ୍କୁ ତ ପାରିଶ୍ରମିକ ଦିଆଯାଇନି, ସମସ୍ତଙ୍କୁ ସାର ଓ ତାର ବାଡ଼ ମଧ୍ୟ ଦିଆଯାଇନି, ତେଣୁ ଲକ୍ଷ ଲକ୍ଷ ଟଙ୍କା କେଉଁ ବାବଦରେ ଖର୍ଚ୍ଚ ହେଲା ? ଏନେଇ ଆଇଟିଡିଏ ଅଧିକାରୀଙ୍କୁ ପଚାରିବାରୁ ଚାଷୀଙ୍କ ଟଙ୍କା ସ୍ଥଗିତ ରଖାଯାଇଥିବା ସେ କହିଛନ୍ତି।