• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • pds

ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ଖାଉଟି ସାମଗ୍ରୀ ଯୋଗାଇ ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଛନ୍ତି ରାସନ୍ କାର୍ଡ ବ୍ୟବସ୍ଥା। ଏଥିରେ ଗରିବ ହିତାଧିକାରୀଙ୍କୁ ସାମିଲ କରି ସେମାନଙ୍କୁ ପ୍ରତି ମାସରେ ଚାଉଳ ଯୋଗାଇ ଦେଉଛନ୍ତି। କିନ୍ତୁ ମନମାନି କରୁଛନ୍ତି ଡିଲର । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ତରାସ ପଞ୍ଚାୟତରେ ରାସନ୍ ବଣ୍ଟନ ଦାୟିତ୍ୱରେ ଥିବା ସମବାୟ ସମିତି ସମ୍ପାଦକ ୩୫୦ରୁ ଅଧିକ ରାସନ୍ କାର୍ଡଧାରୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ୨ ମାସର ଚାଉଳ ହଡପ୍ କରିଥିବା ଅଭିଯୋଗ ହୋଇଛି । ଏନେଇ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି।

କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ତରାସ ପଞ୍ଚାୟତର ଡିଲର ତଥା ସମବାୟ ସମିତି ସମ୍ପାଦକ ପ୍ରଶାନ୍ତ ନାୟକଙ୍କ ବିରୋଧରେ ଶତାଧିକ ହିତାଧିକାରୀଙ୍କ ସଙ୍ଗୀନ ଅଭିଯୋଗ । ଏପ୍ରିଲ ମାସ ସରିବାକୁ ବସିଲାଣି, କିନ୍ତୁ ଆଜିଯାଏଁ ମିଳିନି ଫେବୃଆରୀ ଓ ମାର୍ଚ୍ଚ ମାସର ଚାଉଳ। କେତେବେଳେ ଖାତାରେ ୨ ମାସର ଚାଉଳ ଦେଉଥିବା ପକାଇ ମାସକର ଦେଉଛନ୍ତି ତ ପୁଣି କେତେବେଳେ ଫିଙ୍ଗର ପ୍ରିଣ୍ଟ ନେଇ ଚାଉଳ ଦେଉନଥିବା ଭଳି ଅଭିଯୋଗ।

କେବଳ ଫେବୃଆରୀ ଓ ମାର୍ଚ୍ଚ ଦୁଇ ମାସର ଚାଉଳ ଯେ ମିଳିନି ତା ନୁହେଁ, ବରଂ ୨୦୨୧ ଓ ୨୦୨୨ ମସିହାରେ ଆସିଥିବା କୋଟା ଭିତରୁ କେତେକ ହିତାଧିକାରୀଙ୍କ ୧୦-୧୧ ମାସର କୋଟାକୁ ସମବାୟ ସମିତି ସମ୍ପାଦକ ଗାଏବ୍ କରିଥିବାର ଅଭିଯୋଗ ହୋଇଛି । ତରାସ ପଞ୍ଚାୟତର ଅମର ସାହୁ ଚାଉଳ ଗାଏବ୍ ନେଇ ବିଡିଓ, ଜିଲ୍ଲାପାଳ ଏପରିକି ରାଜ୍ୟପାଳ ସମସ୍ତଙ୍କୁ ଜଣାଇଛନ୍ତି । ଘଟଣା ସମ୍ପର୍କରେ ଜାଣିବା ପରେ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।

ପ୍ରଶ୍ନ ଉଠୁଛି, ଗରିବ ଲୋକଙ୍କ ଚାଉଳ ହଡପ୍ ପଛରେ କିଏ ? କେବଳ ଡିଲର ନା ବିଭାଗର କିଛି ଅଧିକାରୀଙ୍କ ମିଲିଭଗତ ବି ରହିଛି ? କାହିଁକି ଗରିବ ଲୋକେ ସେମାନଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେବେ ?

ତଥ୍ୟ ଅନୁସାରେ, ତରାସ ପଞ୍ଚାୟତର ୬ଟି ୱାର୍ଡରେ ସମୁଦାୟ ୩୫୫ ଜଣ ରାସନ କାର୍ଡଧାରୀ ଥିବା ବେଳେ ହିତାଧିକାରୀ ଅଛନ୍ତି ୧୨ ଶହ ୪୮ ଜଣ। ଫେବୃଆରୀ ଓ ମାର୍ଚ୍ଚ ମାସରେ ୬୯୦ କୁଇଣ୍ଟାଲ ଲେଖାଏଁ ଚାଉଳ ଉଠାଣ କରାଯାଇଛି। ହେଲେ ସମସ୍ତ ଚାଉଳକୁ ହିତାଧିକାରୀଙ୍କୁ ନଦେଇ ତରାସ ସମବାୟ ସମିତି ସମ୍ପାଦକ ହଡପ କରିଥିବା ଅଭିଯୋଗ ହୋଇଛି । ତେବେ ଏହାକୁ ସେ ଖଣ୍ଡନ କରିଛନ୍ତି।

ପିଡିଏସ୍ ବଣ୍ଟନରେ ଅନିୟମିତତା ନେଇ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ ପରେ ଆରମ୍ଭ ହୋଇଛି ତଦନ୍ତ। ଯୋଗାଣ ବିଭାଗ ଅଧିକାରୀ ଓ ମାର୍କେଟିଙ୍ଗ ଇନ୍ସପେକ୍ଟର ଯାଇ ତଦନ୍ତ କରିଛନ୍ତି।

  • Reported by:
  • Banamali Sahoo