• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନୂଆପଡ଼ାରେ ଗଲା କିଛି ଦିନ ଧରି ବାଘ ଆତଙ୍କ ଭିତରେ ଆଜି ନୂଆପଡ଼ା ସଦର ରେଂଜର ସିଲିଆରିବାହାରା ଗାଁରୁ ଧରାପଡ଼ିଛି ଏକ କଲରାପତରିଆ । ଗାଁ ନିକଟରେ ବାଘଟି ବୁଲୁଥିବା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ପରେ ବନ ବିଭାଗ ଟିମ୍ ବାଘକୁ କାବୁ କରିବା ପରେ, ବାଘଟି ଅସୁସ୍ଥ ଥିବା ଜଣାପଡ଼ିଥିଲା । ସେପଟେ ଅଞ୍ଚଳରେ ଗଲା କିଛି ଦିନ ଧରି ଆତଙ୍କ ମଚାଇଥିବା ଇଏ ସେଇ ବାଘ କି ନୁହେଁ, ସେ ନେଇ କିଛି ସ୍ପଷ୍ଟ ହୋଇନି।

ନୂଆପଡ଼ାରେ ବାଘ ଆତଙ୍କ ଭିତରେ କାବୁ ହେଲା କଲରାପତରିଆ । ବନ ବିଭାଗ ଜାଲରେ ଧରାପଡ଼ିଲା ଶିକାରୀ ବାଘ । ନୂଆପଡ଼ା ଜିଲ୍ଲାର ତିନିଟି ରେଞ୍ଜ୍ ଅଞ୍ଚଳରେ ଲୋକଙ୍କ ନିଦ ହଜାଇ ଦେଇଥିଲା ବାଘ ଭୟ । ଦୈନିକ ଗୃହପାଳିତ ପଶୁଙ୍କୁ ଶିକାର ପରେ ଆତଙ୍କରେ ଥିଲେ ଅଞ୍ଚଳବାସୀ । ତେବେ ଆଜି ସକାଳେ ସ୍ଥାନୀୟ ଧରମବନ୍ଧା ସେକ୍ସନ୍ ସିଲିଆରିବାହାଲ ଗାଁ ନିକଟରେ ଏକ ବାଘ ବୁଲୁଥିବା ଦେଖିବାକୁ ପାଇଥିଲେ ଗାଁ ଲୋକେ ।

ତୁରନ୍ତ ବନ ବିଭାଗକୁ ଖବର ପରେ ଗାଁରେ ପହଞ୍ଚିଥିଲା ଫରେଷ୍ଟ ଟିମ୍ । ପରେ ବାଘ ଧରିବାକୁ ଆରମ୍ଭ ହୋଇଥିଲା ଅଭିଯାନ । ବେଶ୍ କିଛି ସମୟର କସରତ ପରେ ଶେଷରେ ଜାଲ ପକାଇ ବାଘକୁ କାବୁ କରିବାରେ ସଫଳ ହୋଇଥିଲା ବନ ବିଭାଗ ଟିମ୍ । ଧରିବା ପରେ ବାଘଟି ଅସୁସ୍ଥ ଥିବା କହିଛି ବନ ବିଭାଗ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ବାଘଟି ମୁର୍ଚ୍ଛା ଯାଇଥିବା ଅନୁମାନ କରାଯାଉଥିବାରୁ ତାକୁ ତୁରନ୍ତ ତାର ପ୍ରାଥମିକ ଚିକିତ୍ସା କରାଯାଇଥିଲା ।

ପରେ ଏକ ଜନ୍ତା ସାହାଯ୍ୟରେ ଉଦ୍ଧାର ବାଘକୁ ନୂଆପଡ଼ା ପ୍ରାଣୀ ଚିକିତ୍ସାଳୟ ନେଇ ସେଠାରେ ଅଧିକ ଚିକିତ୍ସା କରାଯାଉଛି। ବାଘଟିର ସ୍ୱାସ୍ଥ୍ୟବସ୍ଥା ଏବେ ଠିକ୍ ଥିବା ସୂଚନା ଦେଇଛନ୍ତି ବନ ବିଭାଗ କର୍ତ୍ତୃପକ୍ଷ । ନୂଆପଡ଼ା ଜିଲ୍ଲାର ସୁନାବେଡ଼ା, କୋମନା ଓ ନୂଆପଡ଼ା ରେଞ୍ଜରେ ବାଘ ମାତିଥିବା ନେଇ ଗତ ମାସେ ଧରି ଲୋକଙ୍କ ଭିତରେ ଆତଙ୍କ ଲାଗି ରହିଛି । ଏମିତିକି ଏହିସବୁ ରେଞ୍ଜର ବିଭିନ୍ନ ଜନବସତି ଅଞ୍ଚଳରେ ବାଘ ଆକ୍ରମଣରେ ୨୫ରୁ ଅଧିକ ଗାଈଗୋରୁ ଓ ଅନ୍ୟ ଗୃହପାଳିତ ପଶୁଙ୍କ ଜୀବନ ଗଲାଣି ।

ୟା ଭିତରେ ଆଜି ଧରମବନ୍ଧାରୁ କଲରାପତରିଆ ଧରାପଡ଼ିଥିଲେ ବି ପ୍ରକୃତରେ ଜନବସତି ଅଞ୍ଚଳରେ ଶିକାର କରୁଥିବା ଇଏ ସେଇ ବାଘ କି ନୁହେଁ, ତାହା ସ୍ପଷ୍ଟ ହୋଇନି । ସେପଟେ ଆଜି ବାଘ ଧରାପଡ଼ିଥିବା ସ୍ଥାନଠୁ ପ୍ରାୟ ୬ କିଲୋମିଟର ଦୂରରେ ଏକ ବାଛୁରୀକୁ ମାରି ଖାଇଛି ବାଘ । ତେଣୁ ଅଞ୍ଚଳରେ ଆଉ କିଛି ବାଘ ବୁଲୁଥିବା ଲୋକେ ଅନୁମାନ କରୁଛନ୍ତି।.

  • Reported by:
  • MAYADHAR SARAF