• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକାକୁ ନେଇ ପ୍ରଶ୍ନ ।

  • ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଉଠାଇଛନ୍ତି ପ୍ରଶ୍ନ ।

  • ଜିଲ୍ଲାର ଗୋଟିଏ ହେଲେ ଆସନ ପଛୁଆ ବର୍ଗଙ୍କ ପାଇଁ ନାହିଁ ।

ପାରଳାଖେମୁଣ୍ଡି: ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକାକୁ ନେଇ ବିବାଦ ଥମିବାର ନାଁ ଧରୁନି । ଆଜି ପୁଣି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଉଠାଇଛନ୍ତି ପ୍ରଶ୍ନ । ତାଲିକା ଅନୁସାରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ହେଲେ ଜିଲ୍ଲାର ଗୋଟିଏ ହେଲେ ଆସନ ପଛୁଆ ବର୍ଗଙ୍କ ପାଇଁ ନଥିବା ବେଳେ କିଭଳି ଅଧ୍ୟକ୍ଷ ପଦବୀ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।  ୭ଟି ବ୍ଲକକୁ ନେଇ ଗଠିତ ଗଜପତି ଜିଲ୍ଲାରେ ୧୪ଟି ଜିଲ୍ଲା ପରିଷଦ ଜୋନ୍ ରହିଛି । ୧୪ଟି ଯାକ ଆସନ ମଧ୍ୟରୁ ଗୋଟିଏ ବି ଆସନ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ନାହିଁ । ତେଣୁ ଏହି ସଂରକ୍ଷଣ ତାଲିକାର ପୁନଃବିଚାର କରାଯିବା ପାଇଁ ପାରଳାଖେମୁଣ୍ଡି ବିଧାୟକ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାସହ ଏହାର ପୁନଃବିଚାର କରିବାକୁ ସାମ୍ବାଦିକ ସମ୍ମିଳନୀରେ ସେ ଦାବି କରିଛନ୍ତି ।

ଖାଲି ସେତିକି ନୁହେଁ ବରଗଡ଼ରୁ ନବରଙ୍ଗପୁର, ଝାରସୁଗୁଡ଼ାରୁ କୋରାପୁଟ । ପଂଚାୟତ ନିର୍ବାଚନ ପାଇଁ ପ୍ରକାଶିତ ସଂରକ୍ଷଣ ଚିଠା ତାଲିକାକୁ ନେଇ ଜୋରଦାର ପ୍ରତିବାଦ ଦେଖାଯାଇଛି । ସବୁ ଜିଲ୍ଲାରେ ଦାଖଲ ହୋଇଛି ପୁଳାପୁଳା ଅଭିଯୋଗ । ଶନିବାର ଅଭିଯୋଗ ଦାଖଲର ଶେଷ ତାରିଖ ଥିବାରୁ ଜିଲ୍ଲା ପଂଚାୟତ କାର୍ଯ୍ୟାଳୟଗୁଡ଼ିକରେ ଲାଗି ରହିଥିଲା ଭିଡ଼ । କେଉଁଠି ତାଲିକା ପ୍ରସ୍ତୁତିରେ ଗଡ଼ବଡ଼ ତ ଆଉ କେଉଁଠି ସଂରକ୍ଷଣ ତାଲିକାରେ ତ୍ରୁଟି ଥିବା ଅଭିଯୋଗ ଆସିଛି ।

ନବବରଙ୍ଗପୁରରେ ଜିଲ୍ଲା କଂଗ୍ରେସ୍ ପକ୍ଷରୁ ସଂରକ୍ଷଣ ଚିଠା ତାଲିକାରେ ତ୍ରୁଟି ଥିବା ଦର୍ଶାଇ ଜିଲ୍ଲା ପରିଷଦ ସଦସ୍ୟଙ୍କ ସଂରକ୍ଷଣ ତାଲିକାରେ ସଂଶୋଧନ କରିବାକୁ ଦାବି ହୋଇଛି । ଆସନ୍ତା ୨୧ ତାରିଖରେ ଜିଲ୍ଲାପାଳମାନେ ସମସ୍ତ ଆପତ୍ତି ଅଭିଯୋଗର ଶୁଣାଣି କରି ସମାଧାନ କରିବା ଲାଗି ଦିନ ଧାର୍ଯ୍ୟ ହୋଇଛି ।

ଏଣେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ପ୍ରକାଶ ପାଇଛି ଚିଠା ସଂରକ୍ଷଣ ତାଲିକା । ପଛୁଆ ବର୍ଗଙ୍କ ପାଇଁ ୪ଟି, ଅନୂସୂଚିତ ଜାତି ପାଇଁ ୪, ଅନୂସୂଚିତ ଜନଜାତି ଲାଗି ୧୦ ଏବଂ ଅଣସଂରକ୍ଷିତ ବର୍ଗ ଲାଗି ୧୨ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ସଂରକ୍ଷିତ ରଖାଯାଇଛି । ଅନ୍ୟ କିଛି ସ୍ଥାନରେ ମଧ୍ୟ ତ୍ରୁଟି ହୋଇଥିବା କୁହାଯାଉଛି । ଆସନ୍ତା ୨୬ ତାରିଖରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ଚୂଡ଼ାନ୍ତ ତାଲିକା ପ୍ରକାଶ କରିବ ପଂଚାୟତିରାଜ ବିଭାଗ । ତେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ ୨୫ ତାରିଖ ସୁଦ୍ଧା ତାହା ସରକାରଙ୍କୁ ଜଣାଇ ହେବ ।