/odishatv-khabar/media/post_attachments/uploadimage/library/16_9/16_9_0/s_1664786952.jpg)
Leg And Palm Of A Migrant Labourer From Gajapati Area Chopped Off
ଟପିଲା ନିର୍ଯାତନାର ସବୁ ସୀମା। ଦାଦନ ଶ୍ରମିକଙ୍କ ହାତ ପାପୁଲି ଓ ଗୋଟିଏ ଗୋଡ଼ କାଟି ଦେଲା ଦଲାଲ। ଏତିକି ମାତ୍ର ଦୋଷ, କାମ କରିବା ପରେ ମଜୁରି ମାଗିଥିଲେ ଶ୍ରମିକ ଜଣକ।ଏଭଳି ଜଘନ୍ୟ ତଥା ସାଂଘାତିକ ଅଭିଯୋଗ ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ କଲବା ଗାଁରୁ ଆସିଛି। ଗାଁର ଶାଙ୍କ ମୁର୍ମୁ ନିର୍ଯାତନାର ଶିକାର ହୋଇଛନ୍ତି।
ସୂଚନା ଅନୁସାରେ, ଗତ ୧୩ ତାରିଖରେ କଲବା ଗାଁର ଶାଙ୍କ ମୁର୍ମୁଙ୍କୁ କାମ ଦେବାର ଲୋଭ ଦେଖାଇ ୪ ଜଣ ଯୁବକ ଉତ୍ତର ପ୍ରଦେଶ ନେଇ ଯାଇଥିଲେ। ମାସିକ ୨୦ ହଜାର ଟଙ୍କା ମିଳିବ ବୋଲି ଶାଙ୍କକୁ ପ୍ରଲୋଭନ ଦେଖାଇଥିଲେ। ଏକ ସିମେଣ୍ଟ କମ୍ପାନୀରେ ଶାଙ୍କ କାମ କରିଥିଲେ। ସପ୍ତାହେ କାମ କରିବା ପରେ ସେ ମଜୁରୀ ମାଗିଥିଲେ।
ତେବେ ଗତ ୨୭ ତାରିଖରେ ଯୁବକମାନେ ଶାଙ୍କକୁ ଟଙ୍କା ନ ଦେଇ ମାଡ଼ ମାରି ମଦ ପିଆଇ ଅଚେତ କରାଇଥିଲେ। ଏହାପରେ ତାଙ୍କର ବାମ ଗୋଡ଼ ଓ ଡାହାଣ ହାତ ପାପୁଲି କାଟି ଦେଇଥିଲେ। ପରେ ଝାନ୍ସିର ଏକ ମେଡ଼ିକାଲରେ ୨ ଦିନ ରଖିବା ପରେ ଯୁବକମାନେ ଶାଙ୍କଙ୍କୁ ଗାଁରେ ଆଣି ଛାଡ଼ି ଦେଇଥିଲେ। ଥାନାରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିବାରୁ ଜୀବନ ଭୟରେ ଥାନାକୁ ନ ଯାଇ ଶାଙ୍କ ଏବେ ଘରେ ପଡ଼ି ରହିଛନ୍ତି।
(ରିପୋର୍ଟ-ମିହିର ଜତି, ମୋହନା)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)