Advertisment

ଘଡ଼ିକି ଘଡ଼ି ବଦଳୁଛି ଧବଳେଶ୍ୱରଙ୍କ ଦର୍ଶନ ନିୟମ, ମନ ବୁଝେଇବାକୁ ଲାଗିବ ଏଲଇଡି

ଗଲା ୩୧ ତାରିଖରୁ ଲାଗି ରହିଛି ଧବଳେଶ୍ୱର ପୀଠରେ ଦର୍ଶନ ଦ୍ୱନ୍ଦ୍ୱ।

author-image
Chandan Shishu
Dhabaleswar Temple

Dhabaleswar Temple

ଘଡ଼ିକି ଘଡ଼ି ବଦଳୁଛି ଧବଳେଶ୍ୱରଙ୍କ ଦର୍ଶନ ନିୟମ। ଏଥର ପୀଠରେ ନୁହଁ ଏଲଇଡିରେ ହେବ ବାବାଙ୍କ ଦର୍ଶନ। ଭକ୍ତ ପରଦାରେ ଠାକୁରଙ୍କୁ ଦେଖିବେ, କିନ୍ତୁ ପାଖକୁ ଯିବେନି। ଗୁଜରାଟ ମୋର୍ବି ଦୁର୍ଘଟଣା ପରେ କଟକ ଧବଳେଶ୍ୱରପୀଠ ଝୁଲାପୋଲକୁ ନେଇ ହଠାତ୍ ଚେଇଁ ଉଠିଛି ପ୍ରଶାସନ। ପୋଲ ଦୁର୍ବଳ ଥିବା ଜଣାପଡ଼ିବା ପରେ ପଞ୍ଚୁକ ପୂର୍ବରୁ ଆଗୁଆ ୧୪୪ ଧାରା ଜାରି କରି ଦେଇଛି। ଏମିତିକି ଝୁଲାପୋଲରେ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବାବେଳେ ତଳେ ଡଙ୍ଗା କି ବୋଟ୍ ଯୋଗେ ବି ଭକ୍ତଙ୍କୁ ବ୍ୟାନ୍ କରାଯାଇଛି। 

Advertisment

ତେବେ ପ୍ରଶାସନର ଏଭଳି କଠୋର ନିଷ୍ପତ୍ତିକୁ ନେଇ ଉଭୟ ଭକ୍ତ ଓ ପୂଜକଙ୍କ ଅସନ୍ତୋଷ ବଢୁଥିବାରୁ ନିଷ୍ପତ୍ତି ପୁଣି ବଦଳିଛି। ଆଠଗଡ଼ ଉପ-ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ପଞ୍ଚୁକରେ ଝୁଲା ପୋଲ ପାଖରେ ନୁହେଁ ବରଂ ପୀଠର ମୁଖ୍ୟ ରାସ୍ତା ଗେଟ୍ ପାଖରେ ଏକ LED ଲାଗିବ। LED ପରଦା ଜରିଆରେ ଶ୍ରଦ୍ଧାଳୁମାନେ ମହାଦେବଙ୍କୁ ଦର୍ଶନ କରିପାରିବେ, ହେଲେ ସେଠି କୌଣସି ପ୍ରକାର ପୂଜାର୍ଚ୍ଚନା ହେବନି କି ଭୋଗ ଲାଗିବନି।

ଯଦି ଅଧିକ ଭକ୍ତଙ୍କ ଭିଡ଼ ହୁଏ ତାହାଲେ ଆଉ ଏକ LED ଲାଗିବ ଭକ୍ତମାନେ ଚାହିଁଲେ ସେଇଠୁ ପୂଜକଙ୍କ ମାଧ୍ୟମରେ ଭୋଗ ଠାକୁରଙ୍କ ପାଖକୁ ପଠାଇ ପାରିବେ। ଗଜଭୋଗ ନିଜସ୍ବ ଉଦ୍ୟମରେ ସେବକଙ୍କ ଘରୁ ସଂଗ୍ରହ କରିବେ। ତାସହ ପୂର୍ବଭଳି ଯାତ୍ରା ଚାଲିବ। ତେବେ ପ୍ରଶାସନର ଏଭଳି ନିଷ୍ପତ୍ତି ଅତି ବିଚିତ୍ର ବୋଲି ସେବକମାନେ କହିବା ସହ କରୋନାଠାରୁ ଏ କଟକଣା ଅଧିକ ଯନ୍ତ୍ରଣାଦାୟକ ବୋଲି ଆକ୍ଷେପ କରିଛନ୍ତି। ଏମିତିକି ପ୍ରଶାସନ ସେମାନଙ୍କ ପାଉଣା ଭରଣା କରିବାକୁ ବି ଜୋରଦାର ଦାବି ଉଠାଇଛନ୍ତି।

Advertisment

ଗଲା ୩୧ ତାରିଖରୁ ଲାଗି ରହିଛି ଧବଳେଶ୍ୱର ପୀଠରେ ଦର୍ଶନ ଦ୍ୱନ୍ଦ୍ୱ। ଗୁଜରାଟ ମୋର୍ବି ଦୁର୍ଘଟଣା ପରେ ତୁରନ୍ତ ଧବଳେଶ୍ୱର ଝୁଲାପୋଲ ଯାଞ୍ଚ କରି ପ୍ରଥମେ ୨ଶହ ୨ଶହ କରି ଭକ୍ତଙ୍କୁ ପୀଠକୁ ଛଡ଼ାଗଲା। ତାପରେ ମରାମତି କାରଣରୁ ଦିନକ ପାଇଁ ପୋଲକୁ ବନ୍ଦ ରଖିବାକୁ ଘୋଷଣା ହେଲା। ହେଲେ ସେଦିନ ସନ୍ଧ୍ୟାରେ ହଠାତ୍ ୧୪୪ଧାରା ଜାରି କରିଦେଲା ପ୍ରଶାସନ। କୁହାଗଲା- ଏଥର ଧବଳେଶ୍ୱରଙ୍କ ଯାତ୍ରା ବନ୍ଦ। ଏସବୁ ଭିତରେ ଗତକାଲି କଟକ ଜିଲ୍ଲାପାଳ ସୂଚନା ଆସିଲା ପୋଲ ଆରପଟେ ଧବଳେଶ୍ୱରଙ୍କ ଅସ୍ଥାୟୀ ପ୍ରତିମା ସ୍ଥାପନ ହୋଇ ପୂଜାର୍ଚ୍ଚନା ଚାଲିବ। ଯାହାକୁ ତୀବ୍ର ବିରୋଧ କରିଥିଲେ ସେବକ, ଏମିତିକି ଜିଲ୍ଲାପାଳଙ୍କ ସହ ସେମାନଙ୍କର ବହୁ ସମୟ ଧରି ଯୁକ୍ତିତର୍କ ମଧ୍ୟ ହୋଇଥିଲା।

ତେବେ ପୂଜକମାନଙ୍କ ବିରୋଧରୁ ପୁଣି ବଦଳଛି ନିଷ୍ପତ୍ତି। ତେଣୁ ଏଠି ପ୍ରଶ୍ନ କାହିଁକି କୌଣସି ସଠିକ୍ ନିଷ୍କର୍ସରେ ପହଞ୍ଚିପାରୁନି ପ୍ରଶାସନ? ଜିଲ୍ଲାପାଳ ଗୋଟେ କଥା କହୁଥିବାବେଳେ ଉପ-ଜିଲ୍ଲାପାଳଙ୍କ କଥା କାହିଁକି ହେଉଛି ଭିନ୍ନ ? କଣ କୌଣସି ନିଷ୍ପତ୍ତି ସ୍ଥିର ହେବା ପୂର୍ବରୁ ସମସ୍ତ ପକ୍ଷଙ୍କୁ ଡାକି ଆଲୋଚନା କରାଯାଉନି କି? ଏଣେ ଜିଲ୍ଲା ପ୍ରଶାସନର ଏଭଳି ବାଉଳା ଚାଉଳା ନିଷ୍ପତ୍ତିକୁ ଦେଖି ଧବଳେଶ୍ୱର ଭକ୍ତଙ୍କ ମୁଣ୍ଡ ବି ଘୂରେଇଲାଣି। ତେଜୁଥିବା ବିବାଦ ଓ ଅସନ୍ତୋଷ ଭିତରେ ଏବେ ପ୍ରଶ୍ନ- ଧବଳେଶ୍ୱର ଦର୍ଶନକୁ ନେଇ ଜିଲ୍ଲା ପ୍ରଶାସନ ଆଗକୁ ପୁଣି କିଛି ନୂଆ ନିଷ୍ପତ୍ତି ନେବନି ତ ?

(ଆଠଗଡ଼ରୁ ନୀଳକଣ୍ଠ ଦୋରାଙ୍କ ରିପୋର୍ଟ)

Dhabaleswar Temple Hanging Bridge
Advertisment
Advertisment