• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୋରାପୁଟ, (ରିପୋର୍ଟ- ସୂର୍ଯ୍ୟ ନାରାୟଣ ପଣ୍ଡା, ଟି. ଗୌରୀଶଙ୍କର): ବ୍ରାଣ୍ଡ ଅଫ୍ କୋରାପୁଟ, ପ୍ରାଇଡ୍ ଅଫ୍ ଓଡ଼ିଶା । ସାରା ବିଶ୍ୱକୁ ମହକିଛି ଆଦିବାସୀ ଅଧ୍ୟୁଷିତ କୋରାପୁଟ ମାଟିର ଉତ୍କର୍ଷ କଫି । ଗଲା ପ୍ରାୟ ଦୁଇ ଦଶନ୍ଧି ତଳୁ ଏଠାରେ ଆରମ୍ଭ ହୋଇଥିବା କଫି ଚାଷ ପରିକଳ୍ପନା ଏବେ ଖାଲି ବାସ୍ତବତା ନୁହେଁ, ତାଠୁ ଆହୁରି ଆଗରେ । କୋରାପୁଟରୁ ଉତ୍ପାଦିତ କଫି ଏବେ ବିଶ୍ୱ ବଜାରରେ ନିଜ ଉପସ୍ଥିତିକୁ ଜାହିର କରିଛି । ଜିଲ୍ଲାରେ ପ୍ରତି ବର୍ଷ ବଢ଼ିବାରେ ଲାଗିଛି କଫି ଚାଷ ଓ ଉତ୍ପାଦନ ପରିମାଣ । ଏବେ ଖାଲି କୋରାପୁଟ ନୁହେଁ ବରଂ ଜିଲ୍ଲାର ଲକ୍ଷୀମ୍‌ପୁର, ଦଶମନ୍ତପୁର, ନନ୍ଦପୁର, ଲମତାପୁଟ ବ୍ଲକକୁ ବି ସଂପ୍ରସାରିତ ହୋଇଛି ଅର୍ଥକାରୀ କଫି ଚାଷ । ଧାନ ଓ ମାଣ୍ଡିଆ ଭଳି ପାରମ୍ପରିକ ଚାଷକୁ ଛାଡ଼ି ବହୁ ସଂଖ୍ୟାରେ ଆଦିବାସୀ ଚାଷୀ ବି କଫି ଆଡ଼େ ମୁହାଁଇଲେଣି । 

ଜିଲ୍ଲାର ଆଦିବାସୀ ଚାଷୀଙ୍କୁ କଫି ଚାଷର କୌଶଳ, ଆର୍ଥିକ ସହାୟତାଠୁ ଆରମ୍ଭ କରି ବିକ୍ରିବଟା ଯାଏଁ ସବୁ ସୁବିଧା ସୁଯୋଗ ହାତ ପାଆନ୍ତାରେ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ଜିଲ୍ଲାର କଫି ଉନ୍ନୟନ ସଂସ୍ଥା ଓ ଆଦିବାସୀ ଉନ୍ନୟନ ସମବାୟ ନିଗମ TDCC ଜରିଆରେ ଗତବର୍ଷ ଜିଲ୍ଲାର ବିଭିନ୍ନ ଚାଷୀଙ୍କଠୁ ୩୫ ମେଟ୍ରିକ୍ ଟନ୍ କଫି କିଣାଯାଇଥିଲା । ଏବର୍ଷ ଏହାକୁ ୧୫୦ ମେଟ୍ରିକ୍ ଟନ୍ ହେବା ଲକ୍ଷ୍ୟ ରଖାଯାଇଛି । ସେହିଭଳି ଆସନ୍ତା ବର୍ଷ ଜିଲ୍ଲାର ୧ ହଜାର ହେକ୍ଟର ଏବଂ ୩ ବର୍ଷ ମଧ୍ୟରେ ୫ ହଜାର ହେକ୍ଟର ଜମିରେ କଫି ଚାଷ ପାଇଁ ଟାର୍ଗେଟ୍ ରଖାଯାଇଛି ।

ସ୍ଥାନୀୟ କଫି ଚାଷୀଙ୍କ ମତରେ ବଣ, ପାହାଡ଼ ଘେରା ପରିବେଶ ଆଉ ଉନ୍ନତ ମାଟି କୋରାପୁଟ କଫିର ଗୁଣବତ୍ତାକୁ ସମୃଦ୍ଧ କରିପାରୁଛି । ଯେଉଁଥିପାଇଁ ଏହା କର୍ଣ୍ଣାଟକର କୁର୍ଗା ହେଉ ବିଶ୍ୱର ଅନ୍ୟ ନାମୀ ବ୍ରାଣ୍ଡକୁ ଟକ୍କର ଦେଇପାରୁଛି ।

ଆଗରୁ ବିଶ୍ୱ ବଜାରରେ ପତିଆରା ଜାହିର କରୁଥିଲା ବ୍ରାଜିଲର କଫି । ହେଲେ ଏବେ ସେଠାକାର କଫିର ଗୁଣବତ୍ତା ଠିକ୍ ନଥିବାରୁ ଅନ୍ତର୍ଜାତୀୟ ବଜାରର କଫି ଚାହିଦା ପୂରଣ ପାଇଁ ଆମେରିକା, ଇଟାଲି ପ୍ରଭୃତି ଦେଶର କଫି ବ୍ୟବସାୟୀ ବି କୋରାପୁଟ ଆଡ଼କୁ ଦୃଷ୍ଟି ନିକ୍ଷେପ କଲେଣି ।