/odishatv-khabar/media/post_attachments/uploadimage/library/16_9/16_9_0/potato_1714099802.jpg)
potato
ଚପ୍ ହେଉକି ସିଙ୍ଗଡା, ଡାଲମା ହେଉ କି ସନ୍ତୁଳା । ଯଦି ସିଏ ନାହିଁ, ଏ ତିଅଣରେ ମଜା ବି ନାହିଁ । ସିଏ ଆଉ କେହି ନୁହେଁ ଆମ ସମସ୍ତଙ୍କର ପ୍ରିୟ ୱାନ ଆଣ୍ଡ ଓନଲି ଆଳୁ । ଆପଣ ଆମର ଏ ଆଳୁ ଅବତାରଣା ଶୁଣି ଚକିତ ହେବେଣି । ତୁଚ୍ଛା ଆଳୁ ପାଇଁ ଏତେ ଉପମା କ’ଣ ପାଇଁ ଯେ ?
କଥାଟା ଏଇଠି ଆଜ୍ଞା, ଆଜିର ଆମ ପ୍ରଶ୍ନ ଆଉ ପ୍ରସଙ୍ଗର ମୁଖ୍ୟ ନାୟକ ଆଳୁ, ଆଉ ତା’ର ପରିଚୟ । କହିଲେ ଦେଖି ଆଳୁ ଦେଶୀ ନା ବିଦେଶୀ । ହୁଏତ ଆପଣ ଭାବିବେ । ଆଉ ଆପଣ ଭାବିବା ଭିତରେ ଆମେ କହୁଛୁ ଆଳୁର ଅସଲ କାହାଣୀ।
କୁହାଯାଏ ଖ୍ରୀଷ୍ଟ ପୂର୍ବ ୬ ହଜାର ବେଳକୁ ପେରୁରେ ଲୋକମାନେ ଆଳୁର ବ୍ୟବହାର ବିଷୟରେ ଜାଣିଥିଲେ । ସାରା ଦୁନିଆ ଏ ବିଷୟରେ ଅଜ୍ଞ ଥିଲା । ପ୍ରାୟ ୮ ହଜାର ବର୍ଷ ପୂର୍ବରୁ ସାଉଥ ଆମେରିକାର ଇଣ୍ଡିଜରେ ଆଳୁ ଚାଷ ଆରମ୍ଭ କରାଯାଇଥିଲା । ସେତେବେଳେ ଏହାକୁ କମାଟା ଓ ବଟାଟା ନାଁରେ ଚିହ୍ନା ଯାଉଥିଲା । ୧୬୦୦ ଶତାଦ୍ଦୀ ବେଳକୁ ଯେତେବେଳେ ସ୍ପେନ ଓ ୟୁରୋପରେ ପହଞ୍ଚିଲା ଏହାକୁ ପଟୋଟୋ ନାଁରେ ଗ୍ରହଣ କରାଗଲା ।
କିନ୍ତୁ ଆପଣ ପୁଣି ଭାବୁଥିବେ । ପେରୁ, ସ୍ପେନ, ୟୁରୋପ କଥା ସିନା କହିଲେ, ହେଲେ ଏହା ଭାରତ ଆସିଲା କେମିତି ? କୁହାଯାଏ କଲମ୍ୱସ୍ ଯେତେବେଳେ ସାରା ବିଶ୍ୱ ଭ୍ରମଣରେ ବାହାରିଥିଲେ ସେତେବେଳେ ଆଳୁ ସାଙ୍ଗରେ ନେଇ ଯାଇଥିଲେ । ହେଲେ ଭାରତକୁ କଲମ୍ୱସ୍ ନୁହେଁ ବରଂ ପର୍ତ୍ତୁଗାଲ ଓ ଡଚ୍ମାନେ ଆଣିଥିଲେ । ୧୪୯୮ ମସିହା ବେଳକୁ ଆଳୁ ସେହିମାନେ ହିଁ ଆଣିଥିବା କୁହାଯାଏ । ଏଠାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଆଳୁ ବ୍ୟବସାୟ ଲାଭଜନକ ହେବା ଦେଖି ପ୍ରାୟ ୧୮୦୦ ମସିହା ବେଳକୁ ଭାରତରେ ଆଳୁ ଚାଷ ଆରମ୍ଭ ହୋଇଥିଲା । ଯାହା ଫଳରେ ଭାରତରେ ବହୁଳ ଭାବରେ ଆଳୁଚାଷ ଆରମ୍ଭ ହୋଇଯାଇଥିଲା । ଭାରତର ଜନତା ମାନେ ବି ଆଳୁକୁ ପସନ୍ଦ କରିବାକୁ ଲାଗିଲେ ।
ମୋଗଲ ଦରବାରରେ ଆଳୁର ବ୍ୟବହାର ହେଲା। ଲୋକପ୍ରିୟତା ବଢିବା ପରେ ଆଳୁ ପାଲଟିଗଲା, ଭାରତୀୟ ଜନଜୀବନର ଗୋଟିଏ ଉପାଦାନ । ଏପରିକି ବିଭିନ୍ନ ତରକାରୀରେ ଆଳୁର ବ୍ୟବହାର ହେଲା । ବ୍ରିଟିଶମାନେ ଯେତେବେଳେ ବଙ୍ଗଳାରେ ଥିଲେ ସେତେବେଳେ ସମସ୍ତ ବେଙ୍ଗଲି ଡିସରେ ଆଳୁର ବ୍ୟବହାର କରାଯାଉଥିଲା । ପରବର୍ତ୍ତୀ ସମୟରେ ଏହା ବ୍ୟାପକ ଭାବରେ ପ୍ରସାରିତ ହୋଇଥିଲା । ଆଉ ଆଳୁ ପାଲଟିଥିଲା ସମସ୍ତଙ୍କ ପାଇଁ ପ୍ରିୟ ପରିବା । ଆଳୁ ଭାରତୀୟ ନୁହେଁ ସତ ହେଲେ ଆଜି ଆଳୁ ବିନା କୌଣସି ଖାଦ୍ୟର ସୁଆଦ ଅଧୁରା ଅଧୁରା ଲାଗେ, ଏ କଥା ଆପଣ ବି ସ୍ୱୀକାର କରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)