• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଛୋଟ ପିଲା ସିନା, ମୁଣ୍ଡରେ କିନ୍ତୁ ବଡ଼ ଚିନ୍ତା ।

  • ପ୍ରଶାସନିକ ସ୍ତରରେ ହୋଇପାରିଲାନି, କୁନି ପିଲା କରିଦେଲେ ।

  • କାଦୁଅ, ଖାଲଖମା ଭର୍ତ୍ତି ରାସ୍ତାର ମରାମତି କଲେ ।

କୋରାପୁଟ: ଛୋଟ ପିଲା ସିନା, ମୁଣ୍ଡରେ କିନ୍ତୁ ବଡ଼ ଚିନ୍ତା । ପ୍ରଶାସନିକ ସ୍ତରରେ ଯାହା ହୋଇପାରିଲାନି, ମେଳି ବାନ୍ଧି କରି ଦେଖାଇଲେ । କାଦୁଅ, ଖାଲଖମା ଭର୍ତ୍ତି ରାସ୍ତାର ମରାମତି କଲେ । ହାତରେ କୋଡ଼ି କୋଦାଳ ଧରି ଗାଁ ରାସ୍ତାକୁ ସମତୁଲ କଲେ । ଉତ୍କଳ ଗୌରବ ମଧୁ ବାବୁଙ୍କ ଉପରେ ରଚିତ ସେହି ମନଭିଜା କବିତା ତୁମ ପରି ଛୋଟ ପିଲାଟିଏ ଦ୍ୱାରା ପ୍ରଭାବିତ ହୋଇ ଏଭଳି କାମ କରିଥିବା କୁହନ୍ତି ସେମାନେ ।

ନବ ଉତ୍କଳର ନିର୍ମାତା ଉତ୍କଳ ଗୌରବ ମଧୁସୂଦନ ଦାସ । ଏମିତି କେହି ଓଡ଼ିଆ ନଥିବେ, ଯିଏ ତାଙ୍କ ଜୀବନୀ ଉପରେ ଡ.ଜଗନ୍ନାଥ ମହାନ୍ତିଙ୍କ ଦ୍ୱାରା ରଚିତ ତୁମ ପରି ଛୋଟ ପିଲାଟିଏ କବିତାକୁ ଆବୃତ୍ତି କରିନଥିବେ । ଗ୍ରାମାଞ୍ଚଳର କାଦୁଅ ପଚ୍ ପଚ୍ ହେଉ କିମ୍ବା ଖାଲଖମା ଭର୍ତ୍ତି ରାସ୍ତା । ତାହାରି ଭିତର ଦେଇ ଯାଉଥିବା ପିଲାଙ୍କୁ ଦେଖିଲେ ମନେ ପଡ଼େ ତାଙ୍କର ସେହି କଥା ଆଉ କବିତା । ଖାଲି ମନେ ପଡ଼େନି, ଆଜିବି ପ୍ରେରଣା ଯୋଗାଏ ପିଲାଙ୍କୁ ।

ସେଥିପାଇଁ ବୋଧହୁଏ କୋରାପୁଟ ଜିଲ୍ଲା ନନ୍ଦପୁର ଗାଲଗାଣ୍ଡ ଗାଁର କୁନି ପିଲାଙ୍କ ହାତରେ କୋଡ଼ି ଆଉ କୋଦାଳ । କିଛି ପିଲା ଅନାବନା ଘାସକୁ କାଟୁଥିଲେ ତ  ଆଉ କିଏ ରାସ୍ତା ଉପରୁ ପାଣି କାଦୁଅ ସଫା କରୁଥିଲେ । କାରଣ ବର୍ଷା ଯୋଗୁ ରାସ୍ତାଟି ସନ୍ତସନ୍ତିଆ ରହୁଥିଲା । ଯାଆସରେ ଅସୁବିଧା ହେବାରୁ ଏବଂ ସରୀସୃପ ଭୟ ଥିବାରୁ ନିଜେ ଆସି ରାସ୍ତାକୁ ମରାମତି କରିଥିଲେ ଏହି କୁନି କୁନି ପିଲା ।

ପିଲାଙ୍କ ଏଭଳି ପ୍ରଚେଷ୍ଟା ପଛରେ ପ୍ରଶାସନିକ କଳର ଉଦାସୀନତାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ । କାରଣ ଶହେଟି ପରିବାର ବିଶିଷ୍ଟ ଗାଁକୁ ସବୁଦିନିଆ ରାସ୍ତାଟିଏ ନାହିଁ । ତେଣୁ ବିପଦଜ୍ଜନକ ଭାବେ ଟ୍ରେନ୍ ଲାଇନ ପାରି ହୋଇଯିବାକୁ ପଡେ ସମସ୍ତଙ୍କୁ । ରାସ୍ତା ମରାମତି ପାଇଁ ବିଡିଓଙ୍କଠୁ ବିଧାୟକଙ୍କ ଯାଏଁ ଲୋକେ ଗୁହାରି ବି କରିଛନ୍ତି । ଅଥଚ କୌଣସି ପଦକ୍ଷେପ ନିଆନଯିବାରୁ ପିଲାଏ ନିଜେ ମରାମତି କରିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ନନ୍ଦପୁର ବିଡ଼ିଓ କହିଛନ୍ତି, ଘଟଣାର ଅନୁଧ୍ୟାନ କରାଯିବ ।