• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପଣା ସଂକ୍ରାନ୍ତି- ଓଡ଼ିଆ ନବବର୍ଷ । ସେଇଠୁ ପ୍ରଚଳନ ହୁଏ ବର୍ଷକ ପାଇଁ ଓଡ଼ିଆ ପଞ୍ଜିକା, ଯାନିଯାତ୍ରା ପର୍ବପର୍ବାଣୀ ପାଇଁ ଦିନ ଧାର୍ଯ୍ୟ ବି ହୁଏ । ହେଲେ ଏଥର ପଣା ସଂକ୍ରାନ୍ତି ଏପ୍ରିଲ ୧୩ କି ୧୪ରେ ପଡ଼ିବ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ସେହିପରି ଏଥର ମହାପ୍ରଭୁଙ୍କ ଅଣବସର ନୀତି ୧୩ ଦିନ ପଡୁଥିବା ବେଳେ ପଞ୍ଚୁକ ୪ ଦିନ ପଡୁଛି । ଯାହାର ନିଷ୍କର୍ସ ବାହାର କରିବାକୁ ଆସନ୍ତା ୧୨ ତାରିଖରେ ମନ୍ଦିର ପ୍ରଶାସନ ପକ୍ଷରୁ ଡକାଯାଇଛି ବୈଠକ ।

ଏଥର ପଣା ସଂକ୍ରାନ୍ତି କେବେ ? ଏପ୍ରିଲ ୧୩ ନା ୧୪ ତାରିଖ ?.. ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ । ଏ ଦ୍ୱନ୍ଦ୍ୱ ଏଥିପାଇଁ ଯେ, ବିଭିନ୍ନ ପଞ୍ଜିକାରେ ପଣା ସଂକ୍ରାନ୍ତିକୁ ନେଇ ରହିଛି ଭିନ୍ନ ଭିନ୍ନ ତାରିଖ । ରାଧାରମଣ ଓ କୋହିନୂର ପଞ୍ଜିକାରେ ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି ପଡୁଥିବା ଉଲ୍ଲେଖ ଥିବାବେଳେ ସାମନ୍ତ ଚନ୍ଦ୍ରଶେଖର ଓ ବିରଜା ପଞ୍ଜିକାରେ କିନ୍ତୁ ଏପ୍ରିଲ ୧୩ ତାରିଖ ଲେଖା ଅଛି । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରତୀକ ମହାବିଷୁବ ସଂକ୍ରାନ୍ତିକୁ ନେଇ ପଞ୍ଜିକା ଭିତରେ ରହିଥିବା ଏ ପାର୍ଥକ୍ୟ ସୃଷ୍ଟି କରିଛି ଦ୍ୱନ୍ଦ୍ୱ ।

ତେଣେ ପଞ୍ଜିକା ପଞ୍ଜିକା ଭିତରେ ଏଭଳି ଅମେଳ, ପ୍ରଭାବିତ କରୁଛି ଯାନି ଯାତ୍ରା, ପର୍ବ ପର୍ବାଣି ଓ ଶ୍ରୀମନ୍ଦିର ନୀତିକାନ୍ତି । ଏ ଦ୍ୱନ୍ଦ୍ୱ ଦୂର ସହ ୨୦୨୪-୨୫ ପଞ୍ଜିକା ନିର୍ଦ୍ଧାରଣ ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁକ୍ତିମଣ୍ଡପ ପଣ୍ଡିତ, ଜ୍ୟୋତିର୍ବିଦ, ଗଣନାକାର, ବରିଷ୍ଠ ସେବାୟତ, ତଢଉକରଣ ଏବଂ ପରିଚାଳନା କମିଟି ସଦସ୍ୟ ବି ଯୋଗ ଦେଇଥିଲେ । ହେଲେ ନାନା ଘଣ୍ଟାଚକଟା ପରେ ବି ପଣା ସଂକ୍ରାନ୍ତି ତାରିଖକୁ ନେଇ ଆସିପାରିନି ନିଷ୍କର୍ସ । ଫଳରେ ଆସନ୍ତା ୧୨ ତାରିଖକୁ ପୁଣି ଏହା ଉପରେ ପର୍ଯ୍ୟାଲୋଚନା ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ଚଳିତ ବର୍ଷ ସ୍ନାନଯାତ୍ରା ପରେ ମହାପ୍ରଭୁଙ୍କ ଅନବସର ନୀତିରେ ମଧ୍ୟ ବିରାଟ ପରିବର୍ତ୍ତନ ଦେଖାଦେଇଛି । ଏଥର ଶ୍ରୀଜିଉଙ୍କ ଅନବସର ୧୩ ଦିନ ହେବ । ସେହିଭଳି କାର୍ତ୍ତିକ ପଞ୍ଚୁକ ୫ଦିନ ବଦଳରେ ୪ ଦିନ ହେବାକୁ ଯାଉଛି । ଫଳରେ ଏ ବର୍ଷ ଲକ୍ଷ୍ମୀ ନୃସିଂହ ବେଶ ହୋଇପାରିବନି ବୋଲି କହିଲେଣି ବରିଷ୍ଠ ଦଇତାପତି । ଏଭଳି ପରିବର୍ତ୍ତନ ଭିତରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତିକାନ୍ତି ଓ ଗୁପ୍ତ ନୀତି କିଭଳି କରାଯିବ ତାକୁ ନେଇ ବି ଆଶଙ୍କା ଉପୁଜିଲାଣି ।

ଚଳିତ ବର୍ଷ ଲିପ୍ ଇୟର ବା ଅଧିବର୍ଷ ପଡୁଛି । ଫଳରେ ଫେବ୍ରୁଆରୀ ମାସ ୨୮ ପରିବର୍ତ୍ତେ ୨୯ଦିନ ରହିଛି ।

  • Reported by:
  • MADHUSUDAN MISHRA