• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅବହେଳିତ ଅବସ୍ଥାରେ ବଡ଼ବିଲର ଇଏସ୍‌ଆଇ ହସ୍ପିଟାଲ । ଓଟିରେ ପଡ଼ିଛି ତାଲା, ବେଡ୍‌ରେ ଧୂଳିର ଆସ୍ତରଣ । ଲୋକଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସରକାରଙ୍କର କାହିଁ କେତେ ଯୋଜନା । ମାତ୍ର ଏସବୁ ସତ୍ତ୍ୱେ ବି ଚିକିତ୍ସାରୁ ବଞ୍ଚିତ ରୋଗୀ । କେଉଁଠି ଆନୁସଙ୍ଗିକ ଉପକରଣ ନାହିଁ ତ କେଉଁଠି ଡାକ୍ତର ଅଭାବରୁ ରୋଗୀ ଫେରୁଛନ୍ତି । 

କେନ୍ଦୁଝରର ବଡ଼ବିଲ ଅଞ୍ଚଳରେ ଥିବା କିଛି ଡାକ୍ତରଖାନା ଉପରେ ଆମର ନଜର ପଡ଼ିଥିଲା । ଯେଉଁଠି କେବଳ କାଗଜପତ୍ରରେ ଚାଲିଛି ସ୍ୱାସ୍ଥ୍ୟସେବା । ଅନ୍ୟଥା ସ୍ୱାସ୍ଥ୍ୟସେବା ଏଠାରେ ସ୍ଥାଣୁ ପାଲଟି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆମେ ଦେଖିଲୁ ହସ୍ପିଟାଲ ବେଡ୍‌ରେ ବସି ରହିଛି ମୋଟା ଧୂଳିର ଆସ୍ତରଣ । ଲାବୋରୋଟାରୀ ଉପକରଣରେ ଲାଗିଗଲାଣି କଳଙ୍କି । ଓଟିରେ ପଡ଼ିଛି ତାଲା । ଏଭଳି ଦୃଶ୍ୟ ହିଁ ସ୍ପଷ୍ଟ ବୟାନ କରୁଛି କିଭଳି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି ମେଡିକାଲ ।

ଏଭଳି ସ୍ଥିତି କେନ୍ଦୁଝର ବଡବିଲ୍‌ରେ ଥିବା ଇଏସ୍‌ଆଇ ହସ୍ପିଟାଲର । ଏହି ହସ୍ପିଟାଲ ପାଇଁ ଜଣେ ମାତ୍ର ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି । ହେଲେ ସବୁଠାରୁ ଦୁଃଖଦ କଥା ହେଲା ଏହି ଡାକ୍ତର ଜଣକ ୪ ମାସ ହେବ ଛୁଟିରେ ଅଛନ୍ତି । ତେଣୁ କାଂସବାହାଲରୁ ଅନ୍ୟ ଜଣେ ଡାକ୍ତର ମାସକୁ ଥରେ ଦୁଇଥର ଆସି ରୋଗୀ ଦେଖିଥାନ୍ତି । ସେହିପରି ମେଡିକାଲରେ ଆବଶ୍ୟକ ମୁତାବକ ନର୍ସ ଏବଂ ଆଟେଣ୍ଡାଣ୍ଟ ବି ନାହାନ୍ତି । ଦୀର୍ଘ ଦିନରୁ ଫାର୍ମାସିଷ୍ଟ ପଦବୀ ଖାଲି ପଡ଼ିଛି ।

ଏହାରି ଭିତରେ ଆମର ନଜର ପଡ଼ିଥିଲା ହସ୍ପିଟାରେ ଥିବା ଆମ୍ବୁଲାନ୍ସ ଉପରେ । ଯାହାର ଅବସ୍ଥା ନକହିଲେ ଭଲ । କାମରେ ଲାଗୁନଥିବାରୁ ଏହା ଏବେ ଖତ ଖାଇବାକୁ ବସିଲାଣି । ଖାଲି ସେତେକି ନୁହେଁ, ଠିକ୍ ସମୟରେ ରୋଗୀଙ୍କୁ ଦିଆଯାଉନି ଔଷଧ, କିନ୍ତୁ ଏକ୍ସପାଏରୀ ହେବା ପରେ ସେସବୁକୁ ପୋଡ଼ି ଦିଆଯାଉଛି । ତେବେ ସ୍ଥାନୀୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଏହା ଉପରେ ନଜର ରଖିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ଯଦି ଏଭଳି ନହୁଏ ତେବେ ଆଗକୁ ପରିସ୍ଥିତି ଆହୁରି ଖରାପ ହେବ । ଲୋକେ ସ୍ୱାସ୍ଥ୍ୟସେବା ପାଇପାରିବେ ନାହିଁ । ତେଣୁ ତୁରନ୍ତ ଏଦିଗରେ ପଦକ୍ଷେପ ନିଆନଗଲେ ଆନ୍ଦୋଳନ ପାଇଁ ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି ।

ସେପଟେ ଯାଜପୁର ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କଥା ନକହିବା ଭଲ । ମେଡିକାଲରେ ରୋଗୀଙ୍କ ପ୍ରବଳ ଭିଡ଼ ଜମୁଛି । ରୋଗୀମାନେ ଚିକିତ୍ସା ଟିକେ ପାଇଁ ଘଣ୍ଟା ଘଣ୍ଟା କାଳ ଲାଇନ୍‌ରେ ଛିଡ଼ା ହୋଇ ଅପେକ୍ଷା କରୁଛନ୍ତି । ଆଉ ଶେଷରେ ଚିକିତ୍ସା ନପାଇ ନିରାଶ ହୋଇ ଫେରିଯାଉଛନ୍ତି । ଆବଶ୍ୟକ ଡାକ୍ତର ଅଭାବରୁ ଯାଜପୁର ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଦେଇଛି ଏଭଳି ସମସ୍ୟା । ଦୀର୍ଘ ବର୍ଷରୁ ଏଠାରେ ଭେଷଜ, ଶଲ୍ୟ, ଶିଶୁ, ସ୍ତ୍ରୀ ଓ ପ୍ରସୂତି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନାହାନ୍ତି ଡାକ୍ତର । ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏମ୍‌ସିଏଚ୍ ବିଲ୍ଡିଂ ବି ଏଯାଏଁ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନି । ଅନ୍ୟପଟେ ଖୁବ୍‌ଶୀଘ୍ର ଖାଲିଥିବା ପଦବୀ ପୂରଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।