• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଚର୍ଚ୍ଚାରେ ସାରଥି । ଚର୍ଚ୍ଚାରେ ଆତ୍ମଘୋଷିତ ବାବାଙ୍କ ଆଶ୍ରମ କେନ୍ଦ୍ରାପଡ଼ାର ବାରିମୂଳ । ଆଉ ଚର୍ଚ୍ଚା, ଭାଇରାଲ୍ ହେଉଥିବା ଭିଡିଓ ପାଇଁ । ଆପଣ ବି ଦେଖିଥିବେ ସେହି ଭାଇରାଲ ଭିଡିଓ । ୩୬ ସେକେଣ୍ଡର ସେ ଭିଡିଓ ଯାହା କହୁଛି- କିଛି ଅନୁଗାମୀ ବାରିମୂଳ ଆଶ୍ରମ ଆସି ଆସ୍ଥାନରେ ସାରଥୀଙ୍କ ଫଟୋ ରଖି ପୂଜାର୍ଚ୍ଚନା କରୁଛନ୍ତି । ପଣା ପିଉଛନ୍ତି ଚନ୍ଦନ ଟିପା ଲଗାଉଛନ୍ତି । କେହି କେହି ସାରଥୀଙ୍କ ନାମାବଳି ଉତ୍ତରୀ ପକାଇ ଆଶ୍ରମ ଭିତରେ ପରିକ୍ରମା ବି କରୁଛନ୍ତି । ସେ ଭିଡିଓଟି କେବେକାର ସ୍ପଷ୍ଟ ହୋଇ ନଥିଲେ ବି ସ୍ଥାନୀୟ ଲୋକଙ୍କ କହିବା କଥା ଏଇ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ସମୟରେ ଆଶ୍ରମକୁ ପ୍ରାୟ ୪୦ରୁ ୫୦ ଲୋକ ଆସି ପୂଜାର୍ଚ୍ଚନା କରିଥିଲେ ।

ଜଣେ ମେଡିକାଲ୍ ଛାତ୍ରୀଙ୍କ ସହ ସଂପର୍କକୁ ନେଇ ୨୦୧୫ରେ ବିବାଦୀୟ ହୋଇପଡ଼ିଥିଲେ କେନ୍ଦ୍ରାପଡ଼ା ବାରିମୂଳରେ ବିଶାଳ ଆଶ୍ରମ କରିଥିବା ବାବା ସାରଥୀ ଓରଫ୍ ସନ୍ତୋଷ ରାଉଳ । ପରେ ଆର୍ଥିକ ଅନିୟମିତତା, ଧାର୍ମିକ ଭାବନାକୁ ଆଘାତ, ଯୌନ ଶୋଷଣ ଓ ଠକେଇ ଭଳି ଏକାଧିକ ମାମଲାରେ ଛନ୍ଦି ହୋଇ ୨୦୧୫ରେ ଜେଲ୍ ଯାଇଥିଲେ ଏବଂ ଏହାପରେ ୨୦୧୯ରେ ଜେଲ୍‌ରୁ ମୁକୁଳିଥିଲେ । କିନ୍ତୁ ଏହା ଭିତରେ ଆର୍ଥିକ ଅନିୟମିତତା ମାମଲାରେ ୨୦୧୯ ଜୁଲାଇ ୨୭ ତାରିଖରେ ଆଶ୍ରମକୁ ନିଜ କବ୍‌ଜାକୁ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ।

ବାରିମୂଳ ଆଶ୍ରମକୁ ଇଡି କବ୍‌ଜାକୁ ନେବା ପରଠୁୁ ଆଶ୍ରମର ମେନ୍ ଗେଟ୍‌ରେ ତାଲା ଝୁଲୁଛି । କୁହାଯାଉଛି ସାରଥୀଙ୍କ ଅନୁଗାମୀ ମାନେ ପଛ ଗେଟ୍ ଦେଇ ଭିତରେ ପଶିଛନ୍ତି । ହେଲେ ପ୍ରଶ୍ନ ଉଠୁଛି ଆଶ୍ରମ ଇଡି ହେପାଜତ୍‌ରେ ଥିବା ବେଳେ ତା ଭିତରେ ଧାର୍ମିକ କାର୍ଯ୍ୟକ୍ରମ କରିବାକୁ ଅନୁଗାମୀ ମାନେ ଗଲେ କେମିତି ? କାହା ପ୍ରୋତ୍ସାହନ ଓ କାହା ସାହସରେ ଗଲେ ? ଆଶ୍ରମ ପରିସରର ସଫାସୁତରା ଦେଖାଯାଉଛି । ଏଠି ବାରମ୍ବାର ଏଭଳି କାର୍ଯ୍ୟକ୍ରମ ହେଉନାହିଁ ତ ?

କାରଣ ୨୦୧୭ରେ ହାଇକୋର୍ଟରୁ ସାରଥୀଙ୍କୁ ମିଳିଥିବା ସର୍ତ୍ତମୂଳକ ଜାମିନ୍‌ରେ ଯେଉଁ ପ୍ରମୁଖ ୪ଟି ସର୍ତ୍ତ ଥିଲା ସେଥିରୁ ଦୁଇଟି ଥିଲା ସାରଥୀ କେନ୍ଦ୍ରାପଡ଼ା ଯିବେ ନାହିଁ କି ପ୍ରବଚନ ଦେବେ ନାହିଁ । ହେଲେ ପରବର୍ତ୍ତୀ ସମୟରେ ୧୬ ଫେବ୍ରୁଆରୀ ୨୦୨୧ରେ କୋଭିଡ୍ କଟକଣା ଭିତରେ ସେହିବର୍ଷ ଜୁଲାଇ ପହିଲାରୁ ୨ଶହ ଲୋକଙ୍କୁ ନେଇ ସଭା ଓ ସତ୍‌ସଙ୍ଗ କରିପାରିବେ ବୋଲି ହାଇକୋର୍ଟ ସାରଥୀଙ୍କୁ ଅନୁମତି ଦେଇଥିଲେ ।

ହେଲେ ଏହା ଭିତରେ ସାରଥୀଙ୍କୁ ସେଭଳି ସାର୍ବଜନୀନ ସ୍ଥାନରେ ଦେଖିବାକୁ ମିଳୁ ନଥିଲା ବେଳେ ପ୍ରଶ୍ନ ଏୟା ବି ଉଠୁଛି ଅନୁଗାମୀଙ୍କ ଜରିଆରେ ଆଶ୍ରମକୁ ଚଳଚଞ୍ଚଳ କରି ପୁଣି ପୂର୍ବ ମୁଦ୍ରାକୁ ଫେରିବାକୁ ଚାହୁଁନାହାନ୍ତି ତ ସାରଥୀ ? ତେବେ ସାରଥୀଙ୍କ ଓକିଲ କହିଛନ୍ତି ଏଥିରେ ତାଙ୍କର କୌଣସି ଭୂମିକା ନାହିଁ । ତେବେ ଭାଇରାଲ୍ ଭିଡିଓକୁ ନେଇ ସୃଷ୍ଟି ହୋଇଥିବା ପୂରା ପ୍ରକରଣରେ ସ୍ଥାନୀୟ ପୋଲିସ୍ କି ପ୍ରଶାସନ ମୁହଁ ଖୋଲି ନାହାନ୍ତି ।