• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କେନ୍ଦ୍ରାପଡ଼ା ସହର ଜଗିଛି ଅଚଳ ସିସିଟିଭି କ୍ୟାମେରା । ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ୩୮ ଗୋଟି କ୍ୟାମେରା ମଧ୍ୟରୁ ମାତ୍ର ଗୋଟିଏ ସଚଳ ଅବସ୍ଥାରେ ରହିଛି । ଚୋର ଜଗିବା ପାଇଁ ଲାଗିଥିବା ଅନେକ ସିସିଟିଭି କ୍ୟାମେରାକୁ ଚୋର ଚୋରି କରି ନେଇ ଯାଇଛନ୍ତି । ନିମ୍ନ ମାନର ସିସିଟିଭି କ୍ୟାମେରା ଲଗାଇ ୧୫ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି ।

ଆଗକୁ ନିର୍ବାଚନ ଥିବା ବେଳେ ସହରରେ ଅପରାଧ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷାକରିବା ପାଇଁ ସିସି କ୍ୟାମେରାର ଆବଶ୍ୟକତା ରହିଛି । ଅଚଳ ହୋଇ ପଡ଼ି ରହିଛି ତୃତୀୟ ନୟନ, କମୁଛି ଅପରାଧୀଙ୍କ ଭୟ । ସହର ସାରା ଲାଗିଛି ସିସିଟିଭି, କିନ୍ତୁ ସବୁ ଅଚଳ । ଅପରାଧ, ଦୁର୍ଘଟଣା, ଛିନତାୟୀ ବଢୁଥିବା ବେଳେ ଅନ୍ଧାର ଭିତରେ ସିସିଟିଭିର ନଜର ।

କେନ୍ଦ୍ରାପଡ଼ା ସହରରେ ଅଚଳ ସିସିଟିଭି କ୍ୟାମେରାକୁ ନେଇ ସବୁ ସ୍ତରରେ ଅସନ୍ତୋଷ । ସହରରେ ଲାଗିଥିବା ୩୮ଟି କ୍ୟାମେରା ଭିତରୁ ମାତ୍ର ଗୋଟିଏ ଠିକଠାକ ଚାଲିଛି । ବାକି ୩୭ଟି କ୍ୟାମେରା କାମ କରୁନି । ଆଶ୍ଚର୍ଯ୍ୟର କଥା କିଛି ସିସିଟିଭି ଚୋରି ମଧ୍ୟ ହୋଇଯାଇଛି । ମାତ୍ର ଗୋଟିଏ କ୍ୟାମେରା ଭରସାରେ ପୋଲିସ ଅପରାଧ ନିୟନ୍ତ୍ରଣ ପାଇଁ ଅଣ୍ଟା ଭିଡ଼ିଛି ।

୨୦୧୯ ଅକ୍ଟୋବରରେ ସହରର ସମ୍ବେଦନଶୀଳ ସ୍ଥାନରେ କ୍ୟାମେରା ଲଗାଯାଇଥିଲା । କିନ୍ତୁ ସମୟ କ୍ରମେ ଧିରେ ଧିରେ ସବୁ ଅଚଳ ହୋଇଗଲାଣି । ୧୫ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ଫେଲ ମାରିଛି । କେନ୍ଦ୍ରାପଡା ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅର୍ଥରେ ପୋଲିସ୍ ପ୍ରଶାସନ ଦ୍ୱାରା କେନ୍ଦ୍ରାପଡ଼ା ପୌରାଞ୍ଚଳ ପାଇଁ ଏହି ପ୍ରକଳ୍ପ ହୋଇଥିଲା ।

ସହରର ପୁରୁଣା ବସଷ୍ଟାଣ୍ଡରେ ଥିବା ଦୁଇ ନମ୍ବର ଫାଣ୍ଡିରେ ଏହାର କଣ୍ଟ୍ରୋଲ ରୁମ ରହିଥିଲା । କେନ୍ଦ୍ରାପଡ଼ା ପୌରାଞ୍ଚଳର ୬୦ ହଜାର ଲୋକଙ୍କ ସୁରକ୍ଷା କବଚ ହୋଇଥିଲା ସିସିଟିଭି କ୍ୟାମେରା । ଏବେ ଏହା ଅଚଳ ହେବା ପରେ ପୋଲିସକୁ ଚକମା ଦେଉଛନ୍ତି ଅପରାଧୀ । ଅନ୍ୟପଟେ ଏହାକୁ ବ୍ୟବସ୍ଥିତ କରାଯିବ ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ କେନ୍ଦ୍ରାପଡ଼ା ସହର ଏବଂ ଏହାର ଉପକଣ୍ଠ ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ଆବଶ୍ୟକତା ରହିଛି । ଅଚଳ କ୍ୟାମେରାକୁ କାର୍ଯ୍ୟକ୍ଷମ କରିବା ପାଇଁ ପୋଲିସ କର୍ତ୍ତୃପକ୍ଷ ତ୍ୱରିତ ପଦକ୍ଷେପ ନେବା ଆବଶ୍ୟକ ହୋଇପଡିଛି ।