• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଲେଶ୍ୱର: ଆପଣ ବିଭିନ୍ନ ପ୍ରକାର ମେଳା ଓ ଯାତ୍ରା ଦେଖିଥିବେ । ହେଲେ ଭିକାରୀ ମେଳା କଥା ଶୁଣିଲେ ଟିକେ ଅଡୁଆ ଲାଗିପାରେ । କିନ୍ତୁ ବାଲେଶ୍ୱରରେ ଏଭଳି ଏକ ମେଳାର ଚିତ୍ର ଆମ ପାଖକୁ ଆସିଛି । ଯେଉଁଠି ଭିକାରୀଙ୍କ ସଂଖ୍ୟା ଦେଖି ଆଶ୍ଚର୍ଯ୍ୟ ଲାଗିଲା । କାହିଁକି ହୋଇଥିଲା ଏ ପ୍ରକାର ମେଳା ? ସେ କଥା ତ ଜାଣିବା ତାସହ ବୁଝିବା ଶ୍ରୀମନ୍ଦିର ଆଗରେ କାହିଁକି ଭିକାରୀ ସାଜିଥିଲେ ଜଣେ କୁନି ଝିଅ ।

ବୁଢ଼ାବଳଙ୍ଗ କୂଳରେ ଭିକାରୀ ମେଳା । ଭିଡ଼ ଲଗାଇଥିଲେ ଉଭୟ ଦାନ ଦେଲାବାଲା ଓ ନେଲାବାଲା । ଏଭଳି ଦୃଶ୍ୟ ବାଲେଶ୍ୱର ସହର ଉପକଣ୍ଠ ବାଲିଘାଟରେ ଦେଖିବାକୁ ମିଳିଛି । ଆଜି କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଭୋରରୁ ଶ୍ରଦ୍ଧାଳୁମାନେ ନଦୀରେ ଡଙ୍ଗା ଭସାଇ ଠାକୁର ଦର୍ଶନ କରିଥିଲେ । ଏତିକି ବେଳୁ ଆରମ୍ଭ ହୋଇଥିଲା ଦାନ ଓ ଧର୍ମର ପର୍ବ । ନଦୀକୂଳରେ ଆଗରୁ ଧାଡ଼ି ଧାଡ଼ି ହୋଇ ବସିଥିଲେ ଶହ ଶହ ସଂଖ୍ୟାରେ ଭିକ୍ଷୁକ । ଆଉ ସେମାନଙ୍କୁ ଦାନ ଆକାରରେ କିଏ ଦେଉଥିଲା ଚାଉଳ ତ କିଏ ଲୁଗା ।

ସେ ବୃଦ୍ଧ ହେଉ କି ବାଳୁତ, ଯେମିତି ଦାନ କରିବାରେ କାହାରି ପାଖରେ ନଥିଲା କାପର୍ଣ୍ଣ୍ୟ ଭାବ । ପାଖାପାଖି ଏକ କିଲୋମିଟର ଯାଏଁ ଲମ୍ବିଥିଲା ଭିକାରୀ ମେଳା । କେହି କେହି ଦାତା ଓ ଅନୁଷ୍ଠାନ ବିସ୍କୁଟ ସହ ଅନ୍ନ ଖେଚୁଡି ବି ପରଷି ଦେଉଥିଲେ । ବର୍ଷ ବର୍ଷ ଧରି ଏଠି ଧର୍ମମାସ କାର୍ତ୍ତିକର ଶେଷ ଦିନରେ ଦେଖିବାକୁ ମିଳେ ଏମିତି ଦୃଶ୍ୟ । ଏହି ଦିନଟିକୁ ବି ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି ଶହ ଶହ ସଂଖ୍ୟକ ଭିକ୍ଷୁକ । କାରଣ ଏଠୁ କେହି କେବେ ନିରାଶ ହୋଇ ଫେରିବାର ନଜିର ନାହିଁ । ଖାଲି ବାଲେଶ୍ୱର କି ପଡ଼ୋଶୀ ଜିଲ୍ଲା ନୁହେଁ ବରଂ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ-ଛତିଶଗଡ଼ରୁ ବି ଆସିଥାନ୍ତି ଶହ ଶହ ସଂଖ୍ୟାରେ ଭିକ୍ଷୁକ । କାରଣ ଦାତାଙ୍କ ବିଶ୍ୱାସ ରହିଛି ଯେ, ଆଜିର ଦିନରେ ଦାନ କଲେ ମିଳେ ଅଜସ୍ର ପୁଣ୍ୟ । 

 

ସେପଟେ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଆଜି ଦେଖିବାକୁ ମିଳିଥିଲା ଏକ ଭିନ୍ନ ଦୃଶ୍ୟ । ଭିକାରୀଙ୍କ ବସିବା ପାଇଁ ବାରଣ ସତ୍ତ୍ୱେ ଲାଡଲି ନାମ୍ନୀ ଜଣେ ଛୋଟ ଝିଅ ଗାମୁଛା ପାରି ବଡ଼ଦାଣ୍ଡରେ ବସି ଭିକ୍ଷା ମାଗୁଥିଲା । ପାଖରେ ଛିଡ଼ା ହୋଇଥିଲେ ତା ଆଈ ମାଆ । ତେବେ କିଛି ସମୟ ଭିକ୍ଷା ମାଗିବା ପରେ, ସଂଗୃହୀତ ସମସ୍ତ ଦାନ ଅର୍ଥକୁ ଝିଅଟି ଜଗନ୍ନାଥଙ୍କ ହୁଣ୍ଡିରେ ପକାଇ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଥିଲା । ବୁଝୁ ବୁଝୁ ଜଣାପଡ଼ିଥିଲା, ପୁରୀ ଚୁଡ଼ଙ୍ଗସାହିର ଉକ୍ତ ଝିଅଟି ଗତ କିଛି ବର୍ଷ ଧରି କୌଣସି ଏକ ରୋଗରେ ପୀଡ଼ିତ ଥିଲା । ବ୍ୟାଧିରୁ ମୁକ୍ତ ହେବା ପରେ ଆଇଙ୍କ ମାନସିକ ମୁତାବକ କାର୍ତ୍ତିକ ପୂର୍ଣ୍ଣମୀରେ ୨୧ ଜଣଙ୍କଠାରୁ ଭିକ୍ଷା ମାଗି ଠାକୁରଙ୍କୁ ଅର୍ପଣ କରି ଘରକୁ ଫେରିଥିଲା ।