ଦୀପ ତଳ ଅନ୍ଧାର ଭଳି ପାଖରେ ମହାନଦୀ ଥାଇ ପାଣି ପାଉନାହାନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରବାସୀ । ଶୋଷ ମେଣ୍ଟାଇ ପାରୁନି ପିଏଚଡି ବିଭାଗ । ସହରାଞ୍ଚଳ ଲୋକଙ୍କ ପାଣି ସମସ୍ୟା ଦୂର ପାଇଁ ସରକାରଙ୍କର ଆମ ସହର ଆମ ଉନ୍ନତି ଯୋଜନା ପ୍ରକଳ୍ପ ଅଛି, ହେଲେ ଲୋକେ ଠିକ୍ ସମୟରେ ପାଣି ପାଉନାହାନ୍ତି । ବିଜୁଳି କଟିଲେ ଡିଜେଲ୍ ଜେନେରେଟର ଲଗାଇ ଲୋକଙ୍କୁ ପାଣି ଯୋଗାଣ କରିବା ପାଇଁ ନିର୍ଦ୍ଦେଶ ରହିଛି । କିନ୍ତୁ ବିନିକା ପିଏଚଡି ଜେଇ ଜେନେରେଟର ଆଦୌ ଲଗାଉନାହାନ୍ତି । ଅଥଚ କାଗଜ କଲମରେ ଶହ ଶହ ଡିଜେଲ୍ ଲିଟର ପକାଯାଉଥିବା ଦର୍ଶାଇ ସରକାରୀ ଅର୍ଥ ଶ୍ରାଦ୍ଧ କରୁଛନ୍ତି ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରବାସୀଙ୍କ ପାଇଁ ୨୦୧୯ରେ ସରକାର ୯ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଭାବେ ପାଇପ୍ ଲାଇନ୍ ବିଛେଇଥିଲେ । ଏହି ପ୍ରକଳ୍ପକୁ ବିଧାୟକ ପଦ୍ମନାଭ ବେହେରା ଓ ତତ୍କାଳୀନ ସୁବର୍ଣ୍ଣପୁର ଜିଲ୍ଲାପାଳ ଉଦଘାଟନ କରିଥିଲେ । ହେଲେ ଦୂର ହେଉନି ପାଣି ସମସ୍ୟା । ମନଇଚ୍ଛା ଆସୁଛି ପିଏଚଡି ପାଣି ଦିନରେ ଅଧିକାଂଶ ସମୟରେ ପାଣି ବନ୍ଦ ବାରମ୍ବାର ବିଦ୍ୟୁତ୍ କଟୁଥିବାରୁ ଲୋକେ ପାଣି ଠିକରେ ପାଇପାରୁନାହାନ୍ତି ।
Also Read
ବିଦ୍ୟୁତ୍ କଟିଲେ ସହରବାସୀ ଯେମିତି ପାଣି ପାଇବେ, ସେଥିପାଇଁ ରହିଛି ୧୨୫ କେଭିର ୩ଟି ଡିଜି ଜେନେରେଟର । କିନ୍ତୁ ଥାଇ ନଥିଲା ଭଳିଆ । ଜେନେରେଟର ଚାଲୁନି, ହେଲେ କାଗଜ କଲମରେ ଲକ୍ଷ ଲକ୍ଷ ଟଙ୍କା ବିଲ୍ ହେଉଛି । ଅର୍ଥାତ୍ ଜେନେରେଟର ଜମାରୁ ଚାଲୁନଥିଲେ ବି ସେଥିରେ ଶହ ଶହ ଲିଟର ଡିଜେଲ୍ ଭରାଯାଉଛି ।
କରେଣ୍ଟ ଥିଲେ ପାଇପରେ ପାଣି ଆସୁଛି, କରେଣ୍ଟ କଟିଲେ ପାଣି ଆସୁନି । ଡିଜେଲ୍ ଜେନେରେଟର ଥାଇ ମଧ୍ୟ ଲଗାଯାଉନି । ଫଳରେ ଗୋଟେ ପଟେ ଲୋକେ ପାଣି ପାଇବାରୁ ବଞ୍ଚିତ ହେଉଥିବା ବେଳେ ଖୋଦ୍ ପିଏଚଡି ବିଭାଗର କନିଷ୍ଠ ଯନ୍ତ୍ରୀ ଏ ବାବଦରେ ମିଥ୍ୟା ବିଲ୍ କରି ଲକ୍ଷ ଲକ୍ଷ ସରକାରୀ ଟଙ୍କା ସ୍ୱାହା କରୁଛନ୍ତି, ଯାହାକୁ ନେଇ କିଛି ଦିନ ତଳେ ଅନେକ ମହିଳା ଏକାଠି ହୋଇ ଜେଇଙ୍କ ଅଫିସରେ ତାଲା ପକାଇଥିଲେ ।
ବିଜୁଳି ନଥିଲେ ବିନିକା ସହରବାସୀଙ୍କ ଶୋଷ ମେଣ୍ଟାଇବା ପାଇଁ ପାପକ୍ଷୟ ଘାଟ, ପିଏଚଡି ଅଫିସ୍ ଓ ସରସ୍ୱତୀ ଶିଶୁ ମନ୍ଦିର ନିକଟରେ ବସାଯାଇଛି ତିନି ତିନିଟି ଡିଜି ସେଟ୍ । କିନ୍ତୁ ଏହାକୁ ନଚଲାଇ ଡିଜେଲ୍ ଭରୁଥିବା ଦେଖାଉଛନ୍ତି ଜେଇ । ସେପଟେ କିନ୍ତୁ ପିଏଚଡି ନିର୍ବାହୀ ଯନ୍ତ୍ରୀ କହୁଛନ୍ତି, ଲାଇଟ୍ ନଥିଲେ ଏବଂ ଏମରଜେନ୍ସି ବେଳେ ଡିଜି ସେଟ୍ ଚାଲୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବାଡ଼ ଯଦି ଫସଲ ଖାଇବ ଲୋକେ କହିବେ କାହାକୁ? ଏଠି ସେହି ନ୍ୟାୟରେ ମନଇଚ୍ଛା ସରକାରୀ ଅର୍ଥ ଶ୍ରାଦ୍ଧ କରୁଛନ୍ତି ଜେଇ ଯାହାର ଉଚ୍ଚସ୍ତରୀୟ ତଦନ୍ତ ଜରୁରୀ
(ରିପୋର୍ଟ- ଦିଲ୍ଲୀପ ସାହୁ,ବିନିକା)