Advertisment

ବେକରେ ଗଳିଗଲା ଜାଭେଲିନ୍ ! ଛାତ୍ରଙ୍କ ଅସାବଧାନତା ନା ଶିକ୍ଷକଙ୍କ ଅବହେଳା?

ସ୍କୁଲ ପରିସରରେ ଏଭଳି ଘଟଣା, ଚିନ୍ତାଜନକ ନୁହେଁ କି?

author-image
Chandan Shishu
Javelin pierces Odisha child’s throat during school annual sports meet

Javelin pierces Odisha child’s throat during school annual sports meet

ଛାତ୍ରଙ୍କ ଅସାବଧାନତା ନା ଶିକ୍ଷକଙ୍କ ଅବହେଳା? ଗମାତ କରୁକରୁ ବେକରେ ଗଳିଗଲା ଜାଭେଲିନ୍ ! ଆଉ କେଉଁଠି ନୁହେଁ, ସ୍କୁଲ ପରିସରରେ, ଛାତ୍ରଙ୍କ ବେକରେ
ବଲାଙ୍ଗିର ଜିଲ୍ଲା ଆଗଲପୁର ବୟଜ୍ ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ସମାରୋହ ବେଳେ, ଦୌଡ଼ ପାଇଁ ଅନ୍ୟ ପ୍ରତିଯୋଗୀଙ୍କ ସହ ଧାଡ଼ିରେ ଠିଆ ହୋଇଥିଲେ ନବମ ଶ୍ରେଣୀର ଛାତ୍ର ସଦାନନ୍ଦ ମେହେର। ତାଙ୍କର ଜଣେ ସହପାଠୀ ହଠାତ୍ ସେଠାରେ ପଡ଼ିଥିବା ଜାଭେଲିନ୍‌କୁ ଉଠାଇ ଫିଙ୍ଗିଦେବାରୁ, ତାହା ସିଧା ଆସି ପଶି ଯାଇଥିଲା ସଦାନନ୍ଦଙ୍କ ବେକରେ।

Advertisment

ତଣ୍ଟିରେ ବାମ ପଟୁ ପଶି, ଆର ପଟେ ଫୁଟି ଯାଇଛି ଜାଭେଲିନ୍‌ ତୀକ୍ଷ୍ଣ ମେଟାଲ୍ ହେଡ୍। ତୁରନ୍ତ ପିଲାଟିକୁ ଆମ୍ବୁଲାନ୍ସରେ ହସ୍ପିଟାଲ ଆଣିଥିଲେ ସ୍କୁଲ ଶିକ୍ଷକ ଓ କିଛି ସ୍ବେଚ୍ଛାସେବୀ। ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ରେ ଆରମ୍ଭ ହୋଇଥିଲା ସର୍ଜରୀ। ପ୍ରାୟ ୩ ଘଣ୍ଟାର ଅସ୍ତ୍ରୋପଚାର ପରେ, ଜାଭେଲିନଟିକୁ ବେକରୁ ବାହାର କରିଛନ୍ତି ୬ ଜଣିଆ ଡାକ୍ତରୀ ଟିମ୍। ତାହା ତଣ୍ଟିର କୌଣସି ଗୁରୁତ୍ୱପୂର୍ଣ୍ଣ ଅଂଶକୁ କ୍ଷତି କରିନଥିବା କହିଛନ୍ତି ଅପରେସନ୍‌ର ନେତୃତ୍ୱ ନେଇଥିବା ଏଡିଏମ୍ଓ। ନିଜେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ଫୋନ୍ କରି ଛାତ୍ରର ସ୍ୱାସ୍ଥ୍ୟାବସ୍ଥା କଥା ପଚାରିଥିବା ସୂଚନା ମିଳିଛି। 

ରାଜ୍ୟ ସରକାରଙ୍କ ପକ୍ଷରୁ ପିଲାର ଚିକିତ୍ସା ଖର୍ଚ୍ଚ ବହନ କରାଯିବ। ଏଥିସହ ସଦାନନ୍ଦଙ୍କ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୩୦ ହଜାର ଟଙ୍କାର ସହାୟତା ମିଳିଛି। ତେବେ ସମସ୍ତେ ପ୍ରଶଂସା କରୁଛନ୍ତି ଛାତ୍ରଟିର ଧୈର୍ଯ୍ୟ ଓ ସାହସକୁ। ଯିଏ ନିଜ ବେକରେ ପଶିଥିବା କାଳଦଣ୍ଡଟିକୁ ୨ ହାତରେ ଧରି ଅବିଚଳିତ ଭାବେ ଆସିଥିଲା ହସ୍ପିଟାଲ ଯାଏଁ।

Advertisment

ଦୁର୍ଯୋଗ ଆସିଲା, ହେଲେ ଭାଗ୍ୟ ଟାଣ ଥିଲା ବଡ଼ ବିପଦ କବଳରୁ ମୁକୁଳି ଆସିଲା ନବମ ଶ୍ରେଣୀର ଏହି ଛାତ୍ର। କିନ୍ତୁ ଥରେ ଭାବନ୍ତୁ, ଜାଭେଲିନ୍ ଯଦି ଶରୀରର ଅନ୍ୟ କୌଣସି ସ୍ଥାନରେ ବାଜିଥାନ୍ତା? ମୁଣ୍ଡ, ଆଖି, ଛାତି, ପେଟ ଆଦି କଥା ଛାଡ଼ନ୍ତୁ। ସେଇ ବେକ ପାଖରେ ବି ଯଦି ମାତ୍ର ଇଞ୍ଚେ ଦୁଇ ଇଞ୍ଚ ଏପଟ ସେପଟ ହୋଇଯାଇଥାନ୍ତା? କଣ ହୋଇଥାନ୍ତା ଛାତ୍ରର ଅବସ୍ଥା? ଏହା କେବଳ ପିଲାଙ୍କ ଦୁଷ୍ଟାମି, ନା ଏହା ପଛରେ ରହିଛି ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା?  ସ୍କୁଲ ପରିସରରେ ଏଭଳି ଘଟଣା, ଚିନ୍ତାଜନକ ନୁହେଁ କି? ଏହି ଘଟଣା ପଛରେ ଯିଏ ବି ଦାୟୀ, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଛାତ୍ରର ସଂପର୍କୀୟ ଦାବି କରିଛନ୍ତି। 

ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି, ଦୌଡ଼ ପାଇଁ ସେତେବେଳେ ପିଲାଙ୍କୁ ଲାଇନ୍ଅପ୍ କରାଯାଉଥିଲା।  ଛାତ୍ରଟି ଜାଭେଲିନ୍ ଦୂରକୁ ଫିଙ୍ଗିନଥିଲା, ପ୍ରାକ୍ଟିସ କରିବା ବେଳେ ଏଭଳି ଘଟିଛି। ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରାଯିବ ବୋଲି କୁହାଯାଇଛି। 

(ରିପୋର୍ଟ: ଘଟେଶ୍ୱର ମିଶ୍ର)

Advertisment
Advertisment