• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଖୁବ୍‌ଶୀଘ୍ର ଶେଷ ହେବ ଜଟଣୀ ସୀତାରାମ ଛକ ଓଭରବ୍ରିଜ୍ । ୨୦୧୩ରୁ କାମ ଆରମ୍ଭ ହୋଇଥିଲେ ବି ଏଯାଏଁ ଶେଷ ହୋଇନାହିଁ । କିନ୍ତୁ ଲୋକଙ୍କ ଅସୁବିଧାକୁ ଦେଖି ଆସନ୍ତା ଅଗଷ୍ଟ ୩୧ ସୁଦ୍ଧା ଏହାକୁ ଶେଷ କରିବା ପାଇଁ କୁହାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । ନିଜ ସଂସଦୀୟ କ୍ଷେତ୍ରର ଉନ୍ନୟନ କାର୍ଯ୍ୟ ନେଇ ସାଂସଦ ନିଜେ ସୂଚନା ଦେଇଛନ୍ତି । 

ଏହାସହ ସେ କହିଛନ୍ତି ଭୁବନେଶ୍ୱର ରେଳ ଷ୍ଟେସନ ପାଖରେ ଫୁଟ ଓଭର ବ୍ରିଜ ହେବ । ୩ କୋଟି ଟଙ୍କା ବ୍ୟୟରେ ଫୁଟ ଓଭର ବ୍ରିଜ ପାଇଁ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ମଞ୍ଚେଶ୍ୱର ରେଲୱେ ମାର୍କେଟ ପାତ୍ରସାହି ଲୋକଙ୍କୁ ଥଇଥାନ ପରେ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି ।

ସେହିଭଳି ଦୁର୍ଘଟଣା ପ୍ରବଣ ଅଞ୍ଚଳ ରାଜଧାନୀର ପଳାସୁଣିରେ ନିର୍ମାଣ ହେବ ଫୁଟ୍ ଓଭରବ୍ରିଜ୍ । ୨ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି ବ୍ରିଜ୍ ନିର୍ମାଣ ହେବ । ଖୁବ୍ ଶୀଘ୍ର ଏହି ବ୍ରିଜ୍ କାମ ଆରମ୍ଭ ହେବ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପୂର୍ବରୁ ସୂଚନା ଦେଇଛନ୍ତି ।

ଗତ କିଛି ଦିନ ଧରି ରାଜଧାନୀର ଅନ୍ୟତମ ଜନବହୁଳ ଅଞ୍ଚଳ ପଳାସୁଣିରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିଲା । ଯାହା ଏକ ବିରାଟ ସମସ୍ୟା ପାଲଟିଛି । ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରି ଆସୁଥିଲେ । ଜନତାଙ୍କ ଅନୁରୋଧ ରକ୍ଷା କରି ପଳାଶୁଣି ଅଞ୍ଚଳ ପରିଦର୍ଶନ କରିଥିଲେ ସାଂସଦ । ତାଙ୍କ ସାଙ୍ଗରେ ଜାତୀୟ ରାଜପଥ ପ୍ରାଧିକରଣ - NHAIର ଅଧିକାରୀ ମଧ୍ୟ ଥିଲେ । ଅଞ୍ଚଳ ପରିଦର୍ଶନ ପରେ ଏଠାରେ ଏକ ସ୍ଥାୟୀ ଫୁଟ୍ ଓଭର ବ୍ରିଜ୍‌ର ଆବଶ୍ୟକତା ଥିବାରୁ ଖୁବଶୀଘ୍ର ବ୍ରିଜ୍ ନିର୍ମାଣ ହେବ ବୋଲି କହିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।