• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅର୍ପଣ ରଥରୁ ସଂଗୃହୀତ ଚାଉଳକୁ ଥମୁନି ବିବାଦ । ଶ୍ରୀମନ୍ଦିରରେ ଠାକୁରଙ୍କ ପାଇଁ ପିଠା, ଖେଚୁଡି ହେବ ବୋଲି ଗତ ୧୯ ତାରିଖରେ କହିଥିଲେ ଖୋଦେ ସୁଆର ନିଯୋଗ ସଂପାଦକ । ହେଲେ ବାରମିଶା ଚାଉଳରେ ପ୍ରସାଦ ନରାନ୍ଧିବାକୁ ଅନ୍ୟ ମହାସୁଆର ସେବକଙ୍କ ଚେତାବନୀ ପରେ ସଂଗୃହୀତ ୧୨ ହଜାର କୁଇଣ୍ଟାଲ ଚାଉଳର ଭବିଷ୍ୟତକୁ ନେଇ ସୃଷ୍ଟି ହେଲାଣି ସନ୍ଦେହ। ଏଣେ ଭକ୍ତ କହିଲେଣି ଭାବର ଚାଉଳକୁ ନେଇ ଭଣ୍ଡେଇ ଦେଲେ ।

ଖୋଦ୍ ଶ୍ରୀମନ୍ଦିରର ଜଣେ ମହାସୁଆର ସେବକ କହିଥିଲେ ଅର୍ପଣ ଚାଉଳରେ ଠାକୁରଙ୍କ ପାଇଁ ଖେଚୁଡି କିମ୍ବା ପିଠା ତିଆରି ହେବ । ହେଲେ ଆଜି ଆଉ ଜଣେ ସଫା ସଫା ମନା କଲେଣି । କହୁଛନ୍ତି ବାରମିଶା ଅମୁଣିଆରେ ଆଦୌ ମହାପ୍ରଭୁଙ୍କ ପାଇଁ ପ୍ରସାଦ ରାନ୍ଧିବିନି । ତାହାଲେ ଏଠି ପ୍ରଶ୍ନ ରାଜ୍ୟ ସରକାର ଅର୍ପଣ ରଥ ବୁଲାଇ ସାରା ଓଡ଼ିଶାରୁ ସଂଗ୍ରହ କରିଥିବା ହଜାର ହଜାର କୁଇଣ୍ଟାଲ ଚାଉଳର ଭବିଷ୍ୟତ କ’ଣ ?

ସେଥିରେ ତାହାଲେ କଣ ତିଆରି ହେବ ? ସେଇ ମହାସୁଆର ସେବକଙ୍କ ମଧ୍ୟରୁ ଆଉ ଜଣେ ବି କହିଲେଣି ଅରୁଆ- ଉଷୁନା ମିଶା ଚାଉଳ ଶ୍ରୀମନ୍ଦିର ରୋଷ ଘରକୁ ଆଦୌ ଯିବନି । ତାଛଡ଼ା ଭକ୍ତ ଅର୍ପଣ କରିଥିବା ଚାଉଳ, ନଡିଆ ଓ ଗୁଆ କେଉଁଠି ଅଛି ? କିଭଳି ସ୍ଥିତିରେ ଅଛି ? ତାହା ଆମକୁ ଜଣାନାହିଁ ।

ସୂଚନା ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ଅର୍ପଣ ରଥ ଗାଁ ଗାଁ ବୁଲି ପ୍ରାୟ ୧୨ ହଜାର କୁଇଣ୍ଟାଲ ଚାଉଳ ସଂଗ୍ରହ କରିଛି । ଏହି ଚାଉଳ ପୁରୀ ପଠାନଯାଇ ବିଭିନ୍ନ ସ୍ଥାନରେ ପରିତ୍ୟକ୍ତ ଅବସ୍ଥାରେ ପକାଇ ରଖାଯିବାକୁ ନେଇ ସାରା ରାଜ୍ୟରେ ତୁମ୍ବିତୋଫାନ ହେବା ପରେ ୨୪ ତାରିଖରୁ ଚାଉଳ ଶ୍ରୀକ୍ଷେତ୍ର ପହଞ୍ଚାଯାଉଛି ।

ପ୍ରଥମେ ଗୁଣ୍ଡିଚା ମନ୍ଦିରରେ ରହିବା ପରେ ଏବେ ୫ ହଜାର କୁଇଣ୍ଟାଲ ଚାଉଳ ଅକ୍ଷୟ ପାତ୍ର ଫାଉଣ୍ଡେସନରେ ପହଞ୍ଚିଲାଣି । ତେବେ ଏସବୁ ଚାଉଳ ବେଶୀ ଦିନ ରହିଲେ ପୋକ ଲାଗିବାର ଆଶଙ୍କା ସୃଷ୍ଟି ହେଲାଣି । ତା’ସହ ଭକ୍ତ ଦେଇଥିବା ନଡ଼ିଆ ଅତିବେଶୀରେ ୧୦ରୁ ୧୫ ଦିନ ଭିତରେ ପଚିଯିବାର ମଧ୍ୟ ସନ୍ଦେହ ସୃଷ୍ଟି ହେଲାଣି । ତେଣୁ ଭକ୍ତଙ୍କ ପ୍ରଶ୍ନ -ଆମକୁ ଠାକୁରଙ୍କ ଅନ୍ନ-ଖେଚୁଡ଼ି ଓ ମହାପ୍ରସାଦ କଣିକା ରାନ୍ଧିବାକୁ କହି ଚାଉଳ ଆଣିଲେ, କିନ୍ତୁ ତାକୁ ମିଶାଗୋଳିଆ କରିଦେବାରୁ ଏବେ ସେ ଅନ୍ନ ହେବନି ବୋଲି ଶୁଣି ମନ କଷ୍ଟ ଲାଗୁଛି ?

ତେଣେ ଶ୍ରୀମନ୍ଦିର ସଂସ୍କୃତି ଗବେଷକଙ୍କ ମତରେ- ପରମ୍ପରା ରହିଛି, ମହାପ୍ରଭୁଙ୍କ ପାଇଁ ରନ୍ଧନ କରାଯାଉଥିବା ଅନ୍ନ ଚାଉଳ ଉତ୍ତମମାନର କି ନାହିଁ ତାକୁ ପ୍ରଥମେ ଚାଉଳବଛା ସେବକ ଓ ଅମିନ ମହାସୁଆର ଯାଞ୍ଚ କରିଥାନ୍ତି । ସେଠୁ ଅନୁମତି ମିଳିଲେ ଯାଇ ତାହା ରନ୍ଧନ ପାଇଁ ଯାଏ । କିନ୍ତୁ ପୋକରା କି ଉଷୁନା ଚାଉଳ ରୋଷଶଳାକୁ ପ୍ରବେଶ ସଂପୂର୍ଣ୍ଣ ବର୍ଜନୀୟ ।

ଏସବୁ ଭିତରେ କେହି କେହି ବାରମିଶା ଅର୍ପଣ ଚାଉଳକୁ ବିକି ସେ ଟଙ୍କାରେ ଭଲ ଅମୁଣିଆ କିଣି ଶ୍ରୀମନ୍ଦିର ରୋଷ ଶାଳାକୁ ପଠାଇବାକୁ ପ୍ରସ୍ତାବ ଦେବା ପରେ ଭକ୍ତ ଦେଇଥିବା ଭାବର ଚାଉଳକୁ ନେଇ ସୃଷ୍ଟି ହେଲାଣି ବଡ଼ ସନ୍ଦେହ ।

  • Reported by:
  • MADHUSUDAN MISHRA