• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିବାଦ ଥମିବାର ନାଁ ଧରୁନି । ପ୍ରତ୍ୟେକ ଦିନ ଲେଖାଯାଉଛି ନୂଆ ଅଧ୍ୟାୟ । ଯୋଡ଼ି ହେଉଛି ନୂଆ ଫର୍ଦ୍ଦ । ଅନେକ ସମୟ ପରେ ଏବେ ବାଧ୍ୟ ହୋଇ ମୁହଁ ଖୋଲିଛନ୍ତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ । ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଜଗଦଗୁରୁ । ସେ ସିଧା ସଳଖ ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳିକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ସ୍ଥାନୀୟ ପ୍ରଶାସନର ମନମୁଖୀ କାର୍ଯ୍ୟକୁ ନେଇ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ତପଭୂମିକୁ ଭୋଗଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ । ଏହାସହ ଏତେ ସବୁ ନିର୍ମାଣ କାମ ପୂର୍ବରୁ ପ୍ରଶାସନ ତାଙ୍କ ସହ ଥରେ ବି ଆଲୋଚନା କରିନାହିଁ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ଯେଉଁ ବିକାଶ କାର୍ଯ୍ୟ ଚାଲିଛି, ତାର ଖରାପ ପ୍ରଭାବ ନପଡ଼ୁ । ଭଗବାନଙ୍କ ପ୍ରତି ଭକ୍ତି ମନୋଭାବ ରଖି କାର୍ଯ୍ୟ କରାଯାଉ । ଶ୍ରୀମନ୍ଦିରର ଭବିଷ୍ୟତ ଓ ବର୍ତ୍ତମାନ ପ୍ରତି କୌଣସି ଆଘାତ ନହେଉ । ଯାହା କାର୍ଯ୍ୟ ଚାଲିଛି, ତାହା ଶ୍ରୀମନ୍ଦିର ଉପରେ କ୍ଷତି ନଆଣୁ । ମୋ ଅନୁପସ୍ଥିତିରେ କାର୍ଯ୍ୟ ହୋଇଛି, ପ୍ରଶାସନର ମୋ ସହ ଆଲୋଚନା ଉଚିତ୍‌ ଥିଲା । ପୁରୀ ଏକ ଆଧ୍ୟାତ୍ମିକ ରାଜଧାନୀ, ଦେବଭୂମିରେ ନିର୍ମାଣର ସ୍ୱତନ୍ତ୍ରତା ରହିଛି । ତପଭୂମିକୁ ଭୋଗଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ ।’ ଏଭଳି କହି ସରକାର ଓ ସ୍ଥାନୀୟ ପ୍ରଶାସନକୁ ସିଧାସଳଖ କାଠଗଡ଼ାକୁ ଟାଣିଛନ୍ତି ଜଗଦ୍‌ଗୁରୁ ।

ସେପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ରାଜ୍ୟ ସରକାରଙ୍କୁ ପୁଣି ସମାଲୋଚନା କରିଛନ୍ତି । ସେ କହିଛନ୍ତି ଡର କଣ ପାଇଁ.. ଭୟ କାହାକୁ ? କରିଡର ନିର୍ମାଣରେ ପାରଦର୍ଶିତା ଆବଶ୍ୟକ । କାହାକୁ ଡରୁଛନ୍ତି ରାଜ୍ୟ ସରକାର ? କାହିଁକି ଭୟ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସାଢ଼େ ୪ କୋଟି ଲୋକ ଜାଣି ସାରିଲେଣି ରାଜ୍ୟ ସରକାର କଣ କରୁଛନ୍ତି । ଭୁଲ କରିଛନ୍ତି ତେଣୁ ଏବେ କଭରଅପ୍ ଓ ମ୍ୟାନେଜ କରିବାକୁ ଚେଷ୍ଟା କରାଯାଉଛି ।

ଯଦି ଭୁଲ ନ ଥିଲା ତାହେଲେ ରିସେପସନ ସେଣ୍ଟର କାହିଁକି ୧୦୦ ମିଟର ବାହାରକୁ ନେଲେ ବୋଲି ପ୍ରଶ୍ନ କରିଛନ୍ତି । NMA କାହିଁକି ବିଲ୍ଡିଂ ଉଚ୍ଚତା କମ୍ କରିବା ପାଇଁ SJTAକୁ ଚିଠି ଲେଖିଲା ? ଯଦି, କୌଣସି ଭୁଲ ହୋଇନି କିମ୍ବା ଡର ନାହିଁ ତାହେଲେ ରାତି ଅନ୍ଧାରରେ କାହିଁକି GPRS କଲେ ବୋଲି ପ୍ରଶ୍ନ ଦୋହରାଇଛନ୍ତି ଅପରାଜିତା । ଶ୍ରୀମନ୍ଦିର ଚାରିପଟେ କଣ ହେଉଛି ତାହା ପ୍ରଥମେ ପୁରୀ ସାଂସଦଙ୍କୁ ଜଣାନ୍ତୁ ସରକାର, ଏହାପରେ ଅନ୍ୟ ମାନଙ୍କୁ ଜଣାଇବେ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ।

ସେହିପରି ରାତି ଅନ୍ଧକାରରେ ଚୋର ଓ ଡକାୟତମାନେ କାମ କରନ୍ତି । ଯିଏ କିଛି ଲୁଚେଇବାକୁ ଚାହାନ୍ତି ସିଏ ଏପରି ଘନ ଅନ୍ଧାରରେ କାମ କରନ୍ତି ବୋଲି କହି କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଦିନ ବେଳେ ଲୋକଲୋଚନରେ କାମ କରିବାରେ ବାଧା କେଉଁଠି ? ତାସହ ଗୃହ କମିଟି କାହିଁକି ଦିନରେ ଯାଇ ଅନୁଧ୍ୟାନ କରି ପ୍ରମାଣ ସଂଗ୍ରହ କରୁନି ବୋଲି ପ୍ରଶ୍ନ ଉଠାଇଛନ୍ତି ନରସିଂହ ।