• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଫେଲ୍ ମାରିଛି କି ରାଜ୍ୟ ସରକାରଙ୍କ ତଥାକଥିତ ବିଶ୍ୱର ସର୍ବବୃହତ ଯୋଜନା ଜାଗା ମିଶନ ? କାରଣ ୬ ବର୍ଷ ହୋଇଗଲା, ଯୋଜନାର ଲକ୍ଷ୍ୟ ଓ ଆଭିମୁଖ୍ୟ ଏଯାଏଁ ସଫଳ ହୋଇପାରିନି । କିସମ ପରିବର୍ତ୍ତନରେ ସମସ୍ୟା ସହ ଜବରଦଖଲ ଯୋଗୁ ସହରର ହଜାର ହଜାର ଭୂମିହୀନ ଜମି ଅଧିକାର ପ୍ରମାଣପତ୍ର ପାଇନଥିବା ଅଭିଯୋଗ କରୁଛନ୍ତି । ଭୁବନେଶ୍ୱର ହେଉ କି ଉପାନ୍ତ ମାଲକାନଗିରି, ଜାଗା ଖଣ୍ଡେ ପାଇଁ ହୀନସ୍ତା ହେଉଛନ୍ତି ସହରାଞ୍ଚଳର ବସ୍ତିବାସିନ୍ଦା। ଓଟିଭିର ଗ୍ରାଉଣ୍ଡ ରିପୋର୍ଟ ।

ଭୁବନେଶ୍ୱର ବାଲିତୋଟା ସାହିରେ ପ୍ରାୟ ୩୫ ବର୍ଷ ଧରି ରହିଆସୁଥିବା ବାସନ୍ତୀ ମହାରଣା । କିସମ ପରିବର୍ତ୍ତନରେ ସମସ୍ୟା ଯୋଗୁ ତାଙ୍କର ଜାଗା ଖଣ୍ଡେ ପାଇବାର ସ୍ୱପ୍ନ, ସ୍ୱପ୍ନରେ ରହିଯାଇଛି । ସେହି ବସ୍ତିର ରୀତା ନାଥଙ୍କ ଅବସ୍ଥା ବି ସମାନ । ଝାଟିମାଟିର ଭଙ୍ଗାଦଦରା ଘରେ ରହୁଥିବା ରୀତାଙ୍କ ଆଶା ଟିକକ ଥିଲା ଜାଗା ମିଶନରେ ଜାଗା ଖଣ୍ଡେ ପାଇବା ପରେ ଘରଟିଏ କରିବେ । କିନ୍ତୁ ତାଲିକାରୁ କଟିଯାଇଛି ତାଙ୍କ ନାଁ ।

ଏମିତି ମାଳମାଳ ସମସ୍ୟା ଆଉ ଜାଗା ଖଣ୍ଡେ ଯୋଗାଇଦେବାର ଜଟିଳ ବ୍ୟବସ୍ଥା ଭିତରେ ରାଜଧାନୀର ବହୁ ହିତାଧିକାରୀ ପଟ୍ଟା ପାଇପାରୁନାହାଁନ୍ତି । ଜାଗା ମିଶନ ସର୍ଭେରେ ଚୂଡାନ୍ତ ହୋଇଥିବା ହିତାଧିକାରୀଙ୍କ ତାଲିକାକୁ ଥରେ ଦେଖନ୍ତୁ । କାହା ନାଁରେ ଡବଲ୍ ପ୍ଲଟ୍ ତ ଆଉ କେଉଁଠି ପ୍ଲଟ ଆଲର୍ଟ ହୋଇଥିଲେ ବି ହିତାଧିକାରୀଙ୍କ ନାଁ ନାହିଁ । ଆଶ୍ଚର୍ଯ୍ୟର କଥା ହେଲା, ଫୁଟେ ଫୁଟେ ବ୍ୟବଧାନରେ କିସମ ପରବର୍ତ୍ତିନର ଅଭିଯୋଗ ଉଠିଛି ।

ଆଉ ଏକ ସମସ୍ୟା ହେଉଛି, ରେଳବାଇ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅଧିନରେ ଥିବା ଜାଗାରେ ଜନବସତି ଥିଲେ ବି କାହାକୁ ପଟ୍ଟା ମିଳିପାରିବ ନାହିଁ । କାରଣ ଏହା ରେଡ୍ ଜୋନ୍ ବୋଲି ସର୍ଭେ ହୋଇପାରୁନି । ଏଭଳି ୪୭୧ଟି ବସ୍ତିରୁ ୧୩୩ଟି ବସ୍ତି ରେଡ୍ ଜୋନରେ ଥିବାବେଳେ ଅନ୍ୟସ୍ଥାନ ଗୁଡ଼ିକରେ ହିତାଧିକାରୀ ଚିହ୍ନଟରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠୁଛି । ତେବେ ମେୟର କହିଛନ୍ତି, ଯେଉଁଠୁ ଯାହା ଅଭିଯୋଗ ଆସୁଛି, ତାକୁ ସମାଧାନ କରାଯାଉଛି ।

ମାଲକାନଗିରି ମ୍ୟୁନିସିପାଲିଟିରେ ବି ଆଗେଇ ପାରୁନି ଜାଗା ମିଶନ । ଏଠିଥିବା ୩୧ଟି ବସ୍ତିରେ ୨,୪୩୨ଟି ଘର ପ୍ରଥମ ପର୍ଯ୍ୟାୟରେ ସର୍ଭେ କରାଯାଇଥିଲା l ତା ମଧ୍ୟରୁ କେବଳ ୧,୧୪୭ ଜଣଙ୍କୁ ଜମି ଅଧିକାର ପ୍ରମାଣପତ୍ର ତଥା LRC ଦିଆଯାଇଥିବାବେଳେ ବଞ୍ଚିତ ଅଛନ୍ତି ୧,୧୨୭ ଜଣ । ଅଧିକାଂଶ ଦିନ ମଜୁରିଆ ଥିବାରୁ ସ୍ଥାନୀୟ ଜମିର ବେଞ୍ଚ ମାର୍କ ଭାଲୁଆସନର ୨୫% ଟଙ୍କା ପୈଠ କରିପାରୁନାହାଁନ୍ତି ।

ସେପଟେ ବାଲେଶ୍ୱର ସହରରେ ପ୍ରତିବନ୍ଧକ ସାଜିଛି ଜବରଦଖଲ ସମସ୍ୟା । ବସଷ୍ଟାଣ୍ଡ ଓ ରେଳଷ୍ଟେସନର ଉନ୍ନତିକରଣ ପାଇଁ ସ୍ଥାନ୍ତାନ୍ତର ହେବେ ଗୋଧିବସା ବସ୍ତିବାସିନ୍ଦା । କିନ୍ତୁ ଜବରଦଖଲ ସମସ୍ୟା ଯୋଗୁ ଜାଗା ଚିହ୍ନଟ ହୋଇପାରୁନାହିଁ କିମ୍ବା ଦୂର ଯାଗାରେ ରହିବାକୁ ଚାହୁଁନାହାଁନ୍ତି ଗୋଧିବସା ବସ୍ତିବାସିନ୍ଦା ।

ରାଜ୍ୟର ପ୍ରାୟ ୩ ହଜାର ବସ୍ତିରେ ୧୮ ଲକ୍ଷ ଲୋକ ବାସ କରୁଥିବାବେଳେ ଆସନ୍ତା ୨୮ରେ ଭୁବନେଶ୍ୱର ପାଇଁ ୩ଟି ଯାଗାରେ ଜମିପଟ୍ଟା ଦେବେ ରାଜ୍ୟ ସରକାର । ତେବେ ଅନ୍ୟସ୍ଥାନର ହିତାଧିକାରୀଙ୍କ କେବେ ତୁଟିବ ସମସ୍ୟା ? ଜାଗା ମିଶନ ଜରିଆରେ କେବେ ପାଇବେ ଜମି ପଟ୍ଟା ? ତାକୁ ଅପେକ୍ଷା ।

  • Reported by:
  • JITENDRA BEURA , RASHMIRANJAN DAS , BIBARTAN PANDA