/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662186200.jpg)
Superstition
ଏଇ ଆଧୁନିକ ଯୁଗରେ, ଏମିତି ବି ରହିଛି ଲୋକଙ୍କ ସ୍ଥିତି । ଏମିତି ବି ରହିଛି ଚିନ୍ତାଧାରା । ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ବାପା ଅଜା ଅମଳରୁ ବାସନ୍ଦ ହୋଇଛନ୍ତି । ହେଲେ କାହିଁକି ଜଣା ନାହିଁ । ୪୦୦ ଟଙ୍କା ଦେଇନଥିଲେ ବୋଲି ସେବେଟୁ ବାସନ୍ଦ । ହେଲେ କ’ଣ ପାଇଁ ଓ କାହିଁକି ଏମିତି ପରିସ୍ଥିତି ତାହା କେହି ବି ସ୍ପଷ୍ଟ କରି ପାରୁ ନାହାନ୍ତି ।
ବର୍ଷେ କି ଦୁଇ ବର୍ଷ ନୁହେଁ । ଦୀର୍ଘ ୭୦ ବର୍ଷ ହେଲା ବାସନ୍ଦ କଷ୍ଟ ଭୋଗୁଛନ୍ତି ୮୫ଟି ପରିବାର । କଥାଟା ବିଶ୍ୱାସ ଲାଗୁନଥିଲେ ବି ସତ । ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଫାସୁଳା ଗାଁରୁ ନଜରକୁ ଆସିଛି ଏଭଳି ଘଟଣା । କାହିଁକି ବାସନ୍ଦ ହୋଇଛନ୍ତି ସେକଥା ବି କହିପାରୁ ନାହାନ୍ତି ଗାଁ ଲୋକେ । ହେଲେ ବାସନ୍ଦ ଯୋଗୁଁ ଆଖପାଖ ଗାଁରେ ନିଜ ଜାତିରେ ପୁଅ-ଝିଅ ବାହା ଦେଇ ପାରୁନାହାନ୍ତି କି ବୈବାହିକ ସଂପର୍କ ସ୍ଥାପନ କରିପାରୁ ନାହାନ୍ତି ।
ବାସନ୍ଦ ଦୁଃଖ ଭୋଗୁଥିବା ବିଶ୍ୱକର୍ମା ସମାଜର ଲୋକଙ୍କ କହିବା କଥା, ସେମାନଙ୍କ ବାପ-ଅଜା ବି ଏମିତି କଷ୍ଟ ଭୋଗୁଥିଲେ । ଏମିତିକି ୧୯୫୦ ମସିହାରେ ସେମାନଙ୍କ ଉପରୁ ବାସନ୍ଦ ହଟାଇବାକୁ ୪ଶହ ଟଙ୍କା ଜରିମାନା ଲାଗିଥିଲା । କିନ୍ତୁ ସେତେବେଳେ ଏତେ ଟଙ୍କା ଦେଇ ନପାରିବାରୁ ବାସନ୍ଦ ସେମିତି ରହିଛି । ଯାହା ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଛି ।
ଏବେ ବାସନ୍ଦ ହଟାଇବାକୁ ସେମାନେ ଖଲ୍ଲିକୋଟ ତାଲୁକଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଏସ୍ପିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କଲେଣି । ସମସ୍ତେ ପ୍ରତିଶ୍ରୁତି ଦେଉଛନ୍ତି ହେଲେ ସମାଧାନ କେବେ ତାହା କିନ୍ତୁ ଅସ୍ପଷ୍ଟ । ତେଣେ ଏସ୍ପି କହିଛନ୍ତି ପ୍ରଶାସନ ପକ୍ଷରୁ ବାସନ୍ଦ ହଟାଇବାକୁ ଉଦ୍ୟମ ଚାଲିଛି । ଯଦି କେହି ସେଥିରେ ବାଧା ଦିଏ ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।
(ରିପୋର୍ଟ: ଅଶୋକ ବ୍ରହ୍ମା, ବ୍ରହ୍ମପୁର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)