• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମହାବିଷୁବ ସଂକ୍ରାନ୍ତି ଅବସରରେ ପୁରୀ ଜିଲ୍ଲା ଭୀମପୁରରେ ଅନୁଷ୍ଠିତ ହୋଇଯାଇଛି ଖାଇଫୋଡା ଯାତ୍ରା । ଏଥିରେ ବହୁ ସଂଖ୍ୟାରେ ମାନସିକଧାରୀ ମାନସିକ ପୂରଣ ପାଇଁ ନିଜ ପିଠିରେ କଣ୍ଟା ଲଗାଇ ରସିରେ ଝୁଲିଥିଲେ । ସେପଟେ କଣାସ ବ୍ଲକ ମଣିଦୀପୁରରେ କଣ୍ଟାରେ ଗଡିବା ସହ ଓ ନିଆଁରେ ଚାଲିଲେ ମାନସିକଧାରୀ ।

ମୁଣ୍ଡରେ ମାଆଙ୍କ ସିନ୍ଦୁର ହାତରେ କତା, ରଶି ଓ ଲୁହା କଣ୍ଟା ଧରି ଅପେକ୍ଷା କରି ରହିଥାନ୍ତି ମାନସିକଧାରୀ । ଅଧିଆ ପଡ଼ି ମାଆଙ୍କ ନିର୍ଦ୍ଦେଶକୁ ଜଗି ରହିଥାନ୍ତି । ମା’ ଗଡ଼ଚଣ୍ଡୀଙ୍କ ନିର୍ଦ୍ଦେଶ ଆସିଲା ମାତ୍ରକେ ସମସ୍ତେ ଗାଁ ପୋଖରୀ କୂଳକୁ ଯାଇଥାନ୍ତି । ସେଠାରେ ପୁରୁଖା ମାନସିକଧାରୀ ପୂଜା କରିବା ପରେ ଅନ୍ୟ ମାନସିକଧାରୀଙ୍କ ପିଠିରେ କଣ୍ଟା ଫୋଡ଼ାଯାଇଥାଏ । ପରେ ଏମାନେ ଖାଇ ପାଖକୁ ଯାଇ ସେଠାରେ ଲଗାଯାଇଥିବା କାଠରେ ଝୁଲିଥାନ୍ତି ।

ପିଠିରେ ଲାଗିଥିବା କଣ୍ଟାରେ ରଶି ଲଗାଇ ଭକ୍ତଙ୍କ ଆଡକୁ ମୁହଁ କରି ଘୁରିଥାନ୍ତି ଏହି ମାନସିକଧାରୀ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଭୀମପୁର ଗାଁରେ କାହିଁ କେଉଁ କାଳରୁ ଏଭଳି ପରମ୍ପରା ଚାଲି ଆସୁଛି । ଏହା ଖାଇଫୋଡ଼ ଯାତ୍ରା ଭାବେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା । ଆଉ ଏହି ଯାତ୍ରାରେ ସାମିଲ ହେବା ଲାଗି ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ଭିଡ଼ ଜମିଥାଏ । ତେବେ ପିଠିରେ କଣ୍ଟା ଲାଗି ଝୁଲୁଥିଲେ ମଧ୍ୟ କୌଣସି କଷ୍ଟ ହୋଇ ନ ଥାଏ ବୋଲି କହନ୍ତି ମାନସିକଧାରୀ ।

ସେହିଭଳି ପୁରୀ ଜିଲ୍ଲା କଣାସ ବ୍ଲକ ମଣୀଦିପୁର ଗାଁରେ ମଧ୍ୟ ଦେଖିବାକୁ ମିଳିଛି ମାନସିକଧାରୀଙ୍କ କଷ୍ଟ । ତଳେ ବିଛା ଯାଇଛି ପତ୍ର ସାଙ୍ଗକୁ କଂଟା । ଏହାରି ଉପରେ ଭଗବାନଙ୍କୁ ସ୍ମରଣ କରି ଶ୍ରଦ୍ଧାଳୁମାନେ ଗଡ଼ି ଗଡ଼ି ଯାଇଥାନ୍ତି । ନିଜର ମନସ୍କାମନା ପୂରଣ ପାଇଁ ମାନସିକଧାରୀମାନେ ଏଭଳି କରୁଥିବା ଜଣାପଡ଼ିଛି । ଦୀର୍ଘ ଦିନ ଧରି ଏଠାରେ ମାନସିକଧାରୀମାନେ ଏଭଳି ଭାବରେ କଂଟାରେ ଗଡ଼ିବା ସହିତ ଗୋଡ଼ ଉପରକୁ କରି ନିଆଁରେ ତଳକୁ ମୁଣ୍ଡ କରି ଝୁଲୁଥାନ୍ତି । ୨୧ ଦିନ ପର୍ଯ୍ୟନ୍ତ ପଣା ପିଇ ନିର୍ଜଳା ଉପବାସ କରି ନିଷ୍ଠାର ସହିତ କୃଷ୍ଣେଶ୍ୱରଙ୍କ ପୂଜା କରିଥାନ୍ତି । ପ୍ରତିବର୍ଷ ଚୈତ୍ର ମାସରେ ଏହି ମେରୁଯାତ୍ରା ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ ।