• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରିଜର୍ଭ ବ୍ୟାଙ୍କ ସାମ୍ନାରେ ଉଡ଼ିଲା ନୋଟ୍ । RBI ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । RBI ଓ ବ୍ୟାଙ୍କଗୁଡ଼ିକର ଛକାପଞ୍ଝାରେ ଅତିଷ୍ଠ ହୋଇ ନିଜର ଚିରା ନୋଟ୍ ବଦଳାଇବାକୁ ଆସିଥିବା ସାଧାରଣ ଜନତା ଦେଖାଇଛନ୍ତି ଏଭଳି କ୍ଷୋଭ । ତେବେ କାହିଁକି ଘଟିଲା ଏଭଳି ସ୍ଥିତି ?

ରିଜର୍ଭ ବ୍ୟାଙ୍କ ସାମ୍ନାରେ ଉଡ଼ିଲା ନୋଟ୍ । ଟଙ୍କା ଉଡ଼ୁଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ସଭିଙ୍କ ମନରେ ପ୍ରଶ୍ନ, କିଏ ଉଡ଼ାଇଲା ଟଙ୍କା ? କାହିଁକି ଉଡ଼ାଇଲା ? ବାସ୍ତବ କଥା ହେଉଛି, RBI ସମ୍ମୁଖରେ ଉଡ଼ୁଥିବା ଏ ନୋଟ୍ ସବୁ ହେଉଛି ଚିରା ଫଟା ନୋଟ୍ । ସାଧାରଣ ଗ୍ରାହକ ଏସବୁ ନୋଟ୍‌କୁ ଏମିତି ଉଡ଼ାଇ ଫୋପାଡ଼ି ଦେଇଛନ୍ତି । RBIର ଭୁବନେଶ୍ୱର ଆଞ୍ଚଳିକ ଶାଖାରେ ଚିରା ନୋଟ୍ ବଦଳାଇବାକୁ ଆସି ହଇରାଣ ହେବାପରେ ରାଗ ତମତମ ହୋଇ ଏଭଳି କୋପ ଦେଖାଇଛନ୍ତି ଗ୍ରାହକ । ସେମାନଙ୍କ ଅଭିଯୋଗ, ଚଳିତ ମାସ ପହିଲାରୁ RBI ଆଞ୍ଚଳିକ କାର୍ଯ୍ୟାଳୟ ଆଉ ଚିରାଫଟା ନୋଟ୍ ନେଉନି । ବର୍ଷ ବର୍ଷ ହେଲା ଖୋଲାଥିବା ସ୍ୱତନ୍ତ୍ର ନୋଟ୍ ବଦଳ କାଉଣ୍ଟରକୁ ବନ୍ଦ କରିଦେଇଛି । ନୋଟ୍ ବଦଳାଇବାକୁ ଗଲେ, ଆରବିଆଇ ଅଧିକାରୀ କହୁଛନ୍ତି ବ୍ୟାଙ୍କ ଶାଖାକୁ ଯାଅ । ବ୍ୟାଙ୍କ କହୁଛି ଆମେ ନବୁନି ।

ଗ୍ରାହକଙ୍କ ଏ ଅସନ୍ତୋଷର ଝଡ଼ ନେଇ ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ ଶାଖାର ଅଧିକାରୀମାନେ ମିଡିଆ ଆଗରେ ସିଧାସଳଖ ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି । ତେବେ ସୂଚନା ଦେଇଛନ୍ତି, ବ୍ୟାଙ୍କ ଶାଖାରେ ଚିରା ଓ ମଇଳା ନୋଟ୍ ବଦଳ ପାଇଁ ଆରବିଆଇ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହା ଅନୁସାରେ, ଦେଶର ସମସ୍ତ ବ୍ୟାଙ୍କ ଶାଖା ଚିରାଫଟା ଓ ମଇଳା ନୋଟ ବଦଳାଇବାକୁ ବାଧ୍ୟ । ଲୋକେ ଯେକୌଣସି ବ୍ୟାଙ୍କ ଶାଖାରେ ଯାଇ ସେମାନଙ୍କ ଚିରା ଓ ମଇଳା ନୋଟ୍ ବଦଳାଇପାରିବେ । ଏଥିରେ ବ୍ୟାଙ୍କ କୌଣସି ପ୍ରକାର ଭେଦଭାବ କରିପାରିବ ନାହିଁ । ବ୍ୟାଙ୍କିଙ୍ଗ୍ ବିଶେଷଜ୍ଞଙ୍କ ମତରେ, ବିନା କୌଣସି ପବ୍ଲିକ ନୋଟିସରେ ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ ଶାଖାରେ ହଠାତ୍ ନୋଟ ବଦଳ ବ୍ୟବସ୍ଥା ବନ୍ଦ କରାଯିବା ଠିକ ନୁହେଁ ।

ଚିରା ନୋଟ୍ ବଦଳାଇବା ନେଇ ଆରବିଆଇର ନିର୍ଦ୍ଦେଶନାମା ଓ ବ୍ୟାଙ୍କଗୁଡ଼ିକର ମନୋମୁଖୀ ନିଷ୍ପତ୍ତି ଭିତରେ ପେଷି ହେଉଛନ୍ତି ସାଧାରଣ ଜନତା । ଆଶା, ଖୁବ୍‌ଶୀଘ୍ର ଏ ସମସ୍ୟାର ସମାଧାନ ବାହାରିବ ।

  • Reported by:
  • KAPILENDRA PRADHAN , ALOK MOHANTY