• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କୁଆଡେ ଗଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ଏନ୍.ବି. ଭାରତୀ ? ପ୍ରାୟ ୩ ବର୍ଷ ହେଲା ତାଙ୍କର କୌଣସି ଖୋଜଖବର ନାହିଁ । ଅଫିସ୍ ଆସୁନାହାନ୍ତି କି ସରକାରଙ୍କ କୌଣସି ନୋଟିସର ଉତ୍ତର ମଧ୍ୟ ଦେଉନାହାନ୍ତି । ତେଣୁ ତାଙ୍କ ବିରୋଧରେ ରାଜ୍ୟ ପୋଲିସ ମୁଖ୍ୟାଳୟ ତରଫରୁ ଖବର କାଗଜରେ ଦିଆଯାଇଛି ବିଜ୍ଞାପନ ନୋଟିସ୍ । ଏହି ନୋଟିସର ୧୫ ଦିନ ଭିତରେ ଭାରତୀ କୌଣସି ଉତ୍ତର ନରଖିଲେ ବିଭାଗ ତରଫରୁ ଏକତରଫା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରାଯାଇଛି ।

୨୦୧୭ରେ କଟକ ପୋଲିସ ମୁଖ୍ୟାଳୟରେ ହ୍ୟୁମାନ ରାଇଟସ୍ ପ୍ରୋଟେକସନ ସେଲରେ ଆଇଜି ଭାବେ ଅବସ୍ଥାପିତ ହୋଇଥିଲେ ୧୯୯୮ ବ୍ୟାଚର ଆଇପିଏସ୍ ଅଧିକାରୀ ଏନବି ଭାରତୀ । ଅଭିଯୋଗ ଅନୁସାରେ ସେ ବିନା ଅନୁମତିରେ କିଛି ଦିନ କାର୍ଯ୍ୟରେ ଅନୁପସ୍ଥିତ ରହିଥିଲେ। ତେଣୁ ତାଙ୍କ ବିରୋଧରେ ୨୦୧୭ ନଭେମ୍ବର ୨୩ରେ ଆରମ୍ଭ ହୋଇଥିଲା ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ପ୍ରକ୍ରିୟା ।

ଅବଶ୍ୟ ଏହା ପରେ କିଛି ମାସ ସେ ଅଫିସ ଆସିଥିଲେ । କିନ୍ତୁ ୨୦୧୯ ନଭେମ୍ବରରୁ ତାଙ୍କର ଆଉ କୌଣସି ପତ୍ତା ମିଳୁନି । ୨୦୨୦ ଜାନୁଆରି ୩ରେ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା ରାଜ୍ୟ କ୍ରାଇମ ରେକର୍ଡସ ବ୍ୟୁରୋ ନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କୁ । ତଦନ୍ତରେ ସହଯୋଗ ପାଇଁ ରେଜିଷ୍ଟ୍ରି,ସ୍ପିଡ୍ ପୋଷ୍ଟ, ଇ ମେଲରେ ବାରମ୍ବାର ନୋଟିସ୍ ସତ୍ତ୍ୱେ ସେସବୁକୁ ଭାରତୀ ଗ୍ରହଣ ନକରିବାରୁ ତାହା ଫେରି ଆସିଥିଲା ।

ତେଣୁ ଏକ ତରଫା ଭାବେ ତଦନ୍ତର ପରିଚାଳନା କରାଯାଇଥିଲା । ତଦନ୍ତ ରିପୋର୍ଟ ର ନକଲ ସହିତ ଗୃହ ବିଭାଗର ନୋଟିସକୁ ଭାରତୀଙ୍କୁ ଦିଆଯାଇଥିଲା ୨୦୨୨ ଫେବ୍ରୁଆରୀ ୨୮ରେ । ବାଙ୍ଗାଲୋରର ୩ଟି ଠିକଣାରେ ଚିଠି ପଠା ଯାଇଥିଲେ ମଧ୍ୟ ତାର ଉତ୍ତର ଆସିନି । ବର୍ତ୍ତମାନ ରାଜ୍ୟ ପୋଲିସ ମୁଖ୍ୟାଳୟ ତରଫରୁ ଖବର କାଗଜରେ ପ୍ରକାଶ ପାଇଥିବା ବିଜ୍ଞାପନ ନୋଟିସରେ ଭାରତୀଙ୍କୁ କୁହାଯାଇଛି ଯେ, ୧୫ ଦିନ ଭିତରେ ସେ ଲିଖିତ ଆବେଦନ କରିପାରିବେ ।

ଏହି ସମୟ ସୀମା ଭିତରେ ଯଦି ଭାରତୀ କିଛି ମତାମତ ନଦିଅନ୍ତି, ତେବେ ତଦନ୍ତ ରିପୋର୍ଟର ସିଦ୍ଧାନ୍ତ ଉପରେ ତାଙ୍କର କିଛି କହିବାର ନାହିଁ ଓ ସେହି ଅନୁସାରେ ଉକ୍ତ ଶୃଙ୍ଖଳାଗତ କାର୍ଯ୍ୟବିଧି ଏକତରଫା ଭାବେ ସମାପ୍ତ କରିଦିଆଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି ।

କଟକରୁ ଗୌତମ ପଣ୍ଡା ଓ ଭୁବନେଶ୍ୱରରୁ କ୍ୟାମେରାପର୍ସନ ଜ୍ୟୋତ୍ସ୍ନାଙ୍କ ସହିତ ଆଲୋକ ମହାନ୍ତିଙ୍କ ରିପୋର୍ଟ, ଓଟିଭି