• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସ୍ଥିତି । ଦେଶରେ ଆଜି ଦୈନିକ ସଂକ୍ରମଣ ଲକ୍ଷେ ପାର୍ କରିଥିବାବେଳେ ରାଜ୍ୟରେ ବି ୨୭ ଶହ ଡେଇଁଛି । ତେବେ ରାଜ୍ୟରେ ସଂକ୍ରମଣ ହୁ ହୁ ବଢୁଥିଲେ ବି କେବେ ପିକ୍‌ରେ ପହଞ୍ଚିବ, ତାହା ଏବେଠୁ କହି ହେବନି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏଣେ ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବି ହୋଇଛନ୍ତି କରୋନା ସଂକ୍ରମିତ ।

ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୧୭ ହଜାର ୧୦୦ ନୂଆ କରୋନା ସଂକ୍ରମିତ । ଯାହାକି ଗତକାଲି ଅପେକ୍ଷା ୨୬ ହଜାରରୁ ଅଧିକ । ମାତ୍ର ୧୨ ଦିନ ତଳେ ଡିସେମ୍ବର ୨୫ରେ ଚିହ୍ନଟ ହୋଇଥିଲେ, ୬ ହଜାର ୯୮୭ ଆକ୍ରାନ୍ତ, ହେଲେ ତାର ୬ ଦିନ ପରେ ଅର୍ଥାତ୍ ଜାନୁଆରୀ ପହିଲାରେ ସଂଖ୍ୟା ଲମ୍ବା ଡିଆଁ ମାରି ୨୭ ହଜାର ୫୫୩ ଛୁଇଁଗଲା । ଆଉ ୫ ଜାନୁଆରୀରେ ଡବଲ୍‌ସ ବି ଅଧିକ ହୋଇ ୫୮ ହଜାର ଡେଇଁଲା । ଆଉ ଆଜି ଲକ୍ଷେ ପାର୍ ।

ଏଣେ ଦୈନିକ ପଜିଟିଭିଟି ହାର ବି ୭.୭୪ ପ୍ରତିଶତକୁ ବଢିଛି ଓ ଆକ୍ଟିଭ କେସ୍ ୩ ଲକ୍ଷ ୭୧ ହଜାର ୩୬୩ରେ ପହଞ୍ଚିଛି । ଦିଲ୍ଲୀ ଓ ମୁମ୍ବାଇରେ ସଂକ୍ରମଣର ସୃଷ୍ଟି ହୋଇଛି ବିସ୍ପୋରକ ସ୍ଥିତି । ଏପଟେ ଦ୍ରୁତ ସଂକ୍ରମଣକାରୀ ଭାରିଆଣ୍ଟ ଓମିକ୍ରନ୍ ବି ୟା ଭିତରେ ୨୭ ରାଜ୍ୟକୁ ଛୁଇଁ ୩ ହଜାରରୁ ଅଧିକଙ୍କୁ ଆକ୍ରାନ୍ତ କଲାଣି । ଏଇ ତୃତୀୟ ଲହରରେ ଅଦ୍ୟାବଧି ସାରା ଦେଶରେ ୧୭ଶହରୁ ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ବି ଆକ୍ରାନ୍ତ ହେଲେଣି । ପଶ୍ଚିମବଙ୍ଗରୁ ସର୍ବାଧିକ ୪ଶହ ସ୍ୱାସ୍ଥ୍ୟକର୍ମୀ ଥିବାବେଳେ ମହାରାଷ୍ଟ୍ର ଓ ବିହାରରୁ ୩ଶହ ଲେଖାଏଁ ଅଛନ୍ତି । ଝାଡ଼ଖଣ୍ଡରୁ ୧୭୯ ଓ ଦିଲ୍ଲୀରୁ ୧୦୦ ସଂକ୍ରମିତ ହୋଇଛନ୍ତି । କେନ୍ଦ୍ର ଗୃହସଚିବ ଅଜୟ ଭାଲ୍ଲା ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଦିଲ୍ଲୀ-ଏନ୍‌ସିଆର ଓ ସୀମାନ୍ତ ୟୁପି ସହ ହରିୟାଣାର କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ।

ଏଣେ ରାଜ୍ୟରେ ବି ପୁଣି ଅଣାୟତ୍ତ କରୋନାର ଦୈନିକ ସଂକ୍ରମଣ । ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍ ୨୭ ଶହ ଡେଇଁଛି । ୨୪ ଘଣ୍ଟାରେ ୨୭୦୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମାତ୍ର ୮ଦିନ ତଳେ ୧୦୦ ଆକ୍ରାନ୍ତ ବାହାରିଥିବା ବେଳେ ସପ୍ତାହକ ପରେ ପ୍ରାୟ ୨୭ଗୁଣା ବଢିଛି ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୯୨୬ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଜିଲ୍ଲା ପୁଣି ସଂକ୍ରମଣର ରେଡ୍ ଜୋନ୍‌କୁ ଆସିଛି । ସେହିପରି ୪୫୪ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ୟୋଲା ଜୋନ୍‌କୁ ଆସିଛି ସୁନ୍ଦରଗଡ଼ ଜିଲ୍ଲା । ଏଣେ ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢୁଥିଲେ ବି କେବେ ପିକ୍‌ରେ ପହଞ୍ଚିବ ତାହା ଏବେ କହି ହେବନି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।