• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚାକିରି ଖଣ୍ଡିକ ପାଇଁ କେତେ ସଂଘର୍ଷ କରୁଛନ୍ତି ମେଧାବୀ । ଦିନରାତି ଅହରହ ସଂଗ୍ରାମ ଚଳାଇଛନ୍ତି ଚାକିରୀ ଆଶାୟୀ । ଏଭଳି ସ୍ଥିତିରେ ଜୀବନରେ କେବେ ପରୀକ୍ଷା ଦେଇନଥିବା ଯୁବକ ଯୁବତୀ ନକଲି ସାର୍ଟିଫିକେଟରେ ବନିଯାଉଛନ୍ତି ସରକାରୀ ଚାକିରିଆ । ବଲାଙ୍ଗିର ଜିଲ୍ଲାର ଡାକ ବିଭାଗରେ ଏମିତି ଏକ ବିରାଟ ରାକେଟର ପର୍ଦ୍ଦାଫାସ କରିଛି ଓଟିଭି । ଯାହାକୁ ନେଇ ପୋଲିସର ଖୋଳତାଡ଼ ଚାଲିଥିବାବେଳେ ନକଲି ସାର୍ଟିଫିକେଟରେ ଅସଲି ଚାକିରିଆ ବନିଥିବା ଯୁବକ ଯୁବତୀ ଏବେ ଗାୟବ ।

ନକଲି ସାର୍ଟିଫିକେଟରେ ଅସଲି ଚାକିରୀ । ଡାକଘରେ ଡୁପ୍ଲିକେଟ୍ କର୍ମଚାରୀ । ଧରାପଡ଼ିଛନ୍ତି ଏକାଧିକ ୪୨୦ ପୋଷ୍ଟରମାଷ୍ଟର । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପୋଷ୍ଟଅଫିସର ପୋଷ୍ଟ ମାଷ୍ଟର ହେଉଛନ୍ତି ଜଗନ୍ନାଥ ପୋଢ଼ । ସାମ୍ନାକୁ ଆସିଛି ବାବୁଙ୍କ ଜାଲିଆତି । ପାଟଣାଗଡ ମରୁଆଁ ପୋଷ୍ଟ ଅଫିସର ସହକାରୀ ପୋଷ୍ଟମାଷ୍ଟର କୋକିଳ ମେହେରଙ୍କ ବି ଦେଖାନାହିଁ ।

ସେହିଭଳି ପାଢେଲର ପୋଷ୍ଟମାଷ୍ଟର ପୂଜା ମେହେର, ଘସିଏନର ପୋଷ୍ଟମାଷ୍ଟର ରଘୁନାଥ ମେହେରଙ୍କ ବି ପତ୍ତା ମିଳୁନି । ଓଟିଭିରେ ନକଲି ସାର୍ଟିଫିକେଟର ଖବର ପରେ କିଏ କୁଆଡ଼େ ଗଲେ କାହାର ଦର୍ଶନ ମିଳୁନି । ଡାକ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜଗନ୍ନାଥ, ପୂଜା, ଫକିର, ରଘୁନାଥ ଏବଂ କୋକିଳ କିଛିମାସ ତଳେ ଚାକିରି ପାଇଛନ୍ତି । କିନ୍ତୁ ଫକୀର କାର୍ଯ୍ୟରେ ଯୋଗଦେଇନାହାଁନ୍ତି । ଅନ୍ୟ ୪ ଜଣଙ୍କ ସାଟିଫିକେଟକୁ ସନ୍ଦେହ କରି ଦରମା ବନ୍ଦ କରାଯାଇଥିବା ବଲାଙ୍ଗିର ଡାକମଣ୍ଡଳ ଅଧିକ୍ଷକ କହିଛନ୍ତି ।

୨୦୨୨ରେ ବଲାଙ୍ଗିର ଡାକମଣ୍ଡଳ ପାଇଁ ବାହାରିଥିଲା ୮୩ଟି ବ୍ରାଞ୍ଚ ପୋଷ୍ଟର ମାଷ୍ଟର, ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର ସହ ଡାକସେବା ପଦବୀ । ଆଉ ଆବେଦନକାରୀଙ୍କ ମଧ୍ୟରୁ ୩୭ଜଣ ଥିଲେ ଉତ୍ତରପ୍ରଦେଶରୁ ମାଟ୍ରିକ ସାର୍ଟିଫିକେଟ ଆଣିଥିବା ଆବେଦନକାରୀ । ରୋଚକ କଥା ହେଉଛି, କିଛି ମାଟ୍ରିକ ସାର୍ଟିଫିକେଟରେ ଅନର୍ସ ପାଇଥିବା ଲେଖାଯାଇଛି ।

ତେବେ ଉତ୍ତରପ୍ରଦେଶରୁ ପାଇଥିବା ମାଟ୍ରିକ ସାର୍ଟିଫିକେଟରେ ଓଡ଼ିଆ ବିଷୟରେ ମାର୍କ ମିଳିଲା କେମିତି ? ସତରେ କ’ଣ ସମସ୍ତେ ପ୍ରତ୍ୟେକ ବିଷୟରେ ୯୫ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ? ଏଭଳି ସନ୍ଦେହ ପରେ ସତ୍ୟାସତ୍ୟ ଜାଣିବାକୁ ବଲାଙ୍ଗିର ଡାକ ବିଭାଗ ସଂପୃକ୍ତ ଅନୁଷ୍ଠାନକୁ ଚିଠି କରିଥିଲା । ଆଉ ଯେଉଁ ଉତ୍ତର ଆସିଲା ତାହା ବି ଥିଲା ନକଲି । କାରଣ ଯାଞ୍ଚ ରିପୋର୍ଟରେ Verified ସହ Genuine ଲେଖାଯାଏ । କିନ୍ତୁ ଲେଖାଯାଇଛି କେବଳ Verified । ଏଭଳି ଅନେକ ସନ୍ଦେହ ହେବାରୁ ସଂପୃକ୍ତ କର୍ମଚାରୀଙ୍କ ଦରମା ବନ୍ଦ କରାଯିବା ସହ ବଲାଙ୍ଗିର ଡାକମଣ୍ଡଳ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ କରାଯାଇଛି।

ଏଭଳି ଘଟଣା ପରେ ଦିନରାତି ପାଠପଢିବା ସହ ସଂଘର୍ଷ କରୁଥିବା ଚାକିରି ଆଶାୟୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ତେବେ ଘଟଣା ସଂପର୍କରେ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେଇନଥିଲେ ବି ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତର ନିର୍ଦ୍ଦେଶ ଦେଇଥିବା ବଲାଙ୍ଗିର ଏସ୍.ପି ସୂଚନା ଦେଇଛନ୍ତି ।

ମନରଂଜନ ଯୋଷୀ, ପଶ୍ଚିମ ଓଡ଼ିଶା ବ୍ୟୁରୋ ହେଡ୍, ଓଟିଭି