• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଡ଼ୋଶୀ ଚୀନ ଏବଂ ଭାରତ ମଧ୍ୟରେ ଲଦାଖ ଅଞ୍ଚଳରେ ଲାଗିରହିଥିବା ଅଚଳାବସ୍ଥାରେ ମିଳିଛି ସୁଧାର ସଙ୍କେତ । ଗୋଗ୍ରା ଓ ହଟ୍‌ସ୍ପ୍ରିଙ୍ଗ୍‌ ଅଞ୍ଚଳର ପାଟ୍ରୋଲିଂ ପଏଣ୍ଟ ଫିପ୍ଟିନ୍‌ରୁ ଉଭୟ ରାଷ୍ଟ୍ର ନିଜ ନିଜର ସୈନ୍ୟ ଅପସାରଣ କରିବାକୁ ମିଳିତ ଭାବେ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଉଜ୍‌ବେକିସ୍ତାନ ସାଂଘାଇ ସହଯୋଗ ସମିଟ୍ ପୂର୍ବରୁ ଏହି ନିଷ୍ପତ୍ତି ନେଇଛନ୍ତି ଚୀନ ଏବଂ ଭାରତ ।

ଉଭୟ ରାଷ୍ଟ୍ର ମଧ୍ୟରେ ହୋଇଥିବା ୧୬ ତମ କୋର କମାଣ୍ଡର ସ୍ତରୀୟ ଆଲୋଚନାରେ ଲଦାଖର ଗୋଗ୍ରା ଏବଂ ହଟ୍‌ସ୍ପ୍ରିଙ୍ଗ୍‌ ଇଲାକାରୁ ସୈନ୍ୟ ପ୍ରତ୍ୟାହାର ପାଇଁ ରାଜି ହୋଇଥିଲେ । ବିଶେଷ କରି ଚୀନ ସେନା ୨୦୨୦ ପୂର୍ବସ୍ଥିତିକୁ ଫେରିଯିବାକୁ ରାଜି ହୋଇଛି । ଏହା ସହିତ ପେଙ୍ଗାଙ୍ଗ ହ୍ରଦଠାରୁ କିଛି ବାଟ ଦୂରକୁ ଯିବାକୁ ଚୀନ ରାଜି ହୋଇଛି ।

ଆସନ୍ତା ସପ୍ତାହରେ ଉଜ୍‌ବେକିସ୍ତାନରେ ସାଂଘାଇ କୋ-ଅପରେସନ୍ ଅର୍ଗାନାଇଜେସନ୍-ଏସ୍‌ସିଓ ସମିଟ୍ ହେବ । ଯେଉଁଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ଜିନ୍‌ପିଙ୍ଗ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକ ପୂର୍ବରୁ ଉଭୟ ରାଷ୍ଟ୍ର ଗୋଗ୍ରା ଓ ହଟ୍‌ସ୍ପ୍ରିଙ୍ଗ୍‌ ଅଞ୍ଚଳର ପାଟ୍ରୋଲିଂ ପଏଣ୍ଟ ଫିପ୍ଟିନ୍‌ରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଗତକାଲି ଘୋଷଣା କରିଥିଲେ ।

ମିଳିତ ବୟାନ ଦେଇ ଉଭୟ ରାଷ୍ଟ୍ର କହିଛନ୍ତି, ସୈନ୍ୟ ପ୍ରତ୍ୟାହାର ଦ୍ୱାରା ପ୍ରକୃତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରହିବ । ୨୦୨୦ ଜୁନ୍ ମାସରେ ଗଲୱାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିବାବେଳେ ମାତ୍ର ୪ ଜଣ ସୈନ୍ୟ ମରିଥିଲେ ବୋଲି ଚୀନ କହିଥିଲା । ଏସବୁ ଭିତରେ ଉଜ୍‌ବେକିସ୍ତାନ ସାଂଘାଇ ସହଯୋଗ ସମିଟ୍‌ରେ ଉଭୟ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ କଣ ରହୁଛି ଏବଂ ସେନାର ପରବର୍ତ୍ତୀ ପଦକ୍ଷେପ କଣ ରହୁଛି ତାଉପରେ ନଜର ।