• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସଫ୍ଟଓୟାର ଇଂଜିନିୟରଙ୍କ ନାଁରେ ଆବାସ ଯୋଜନାରେ ଟଙ୍କା ହଡପ ।

  • ଆଳି ବ୍ଲକ ବାଟିପଡାରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।

  • ମୁମ୍ବାଇର ଏକ ସଫ୍ଟଓୟାର ଇଞ୍ଜିନିୟରଙ୍କ ନାଁରେ ଉଠାଯାଇଛି ଆବାସ ଟଙ୍କା ।

କେନ୍ଦ୍ରାପଡ଼ା: ସଫ୍ଟଓୟାର ଇଂଜିନିୟର ଓ ବିଧବା ମହିଳାଙ୍କ ନାଁରେ ଆବାସ ଯୋଜନାରେ ଟଙ୍କା ହଡପ ଅଭିଯୋଗ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ବାଟିପଡା ପଂଚାୟତରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଏହି ପଞ୍ଚାୟତର ସୁବ୍ରତ ପରିଡା ମୁମ୍ବାଇରେ ଏକ ସଫ୍ଟଓୟାର କମ୍ପାନୀର ଇଞ୍ଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି ।

ତାଙ୍କର ଦୁଇ ମହଲା ବିଶିଷ୍ଟ ଏକ କୋଠାଘର ଥିବା ବେଳେ ସେ ଆୟକର ପୈଠ ମଧ୍ୟ କରନ୍ତି । ତେବେ ୨୦୧୮-୧୯ ଆର୍ଥିକ ବର୍ଷରେ ତାଙ୍କ ନାମକୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ୧ଲକ୍ଷ ୨୦ହଜାର ଟଙ୍କା ହଡ଼ପ କରାଯାଇଛି । ଏନେଇ ସୁବ୍ରତ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

କେବଳ ସୁବ୍ରତ ନୁହନ୍ତି ବାଟିପଡା ପଞ୍ଚାୟତର ସେବତୀ ସାହୁଙ୍କ ଆବାସ ଟଙ୍କା ମଧ୍ୟ ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ଯେଉଁ କୁଡ଼ିଆରେ ରହୁଥିଲେ ସେହି କୁଡ଼ିଆଟି ଭାଙ୍ଗିଯିବା ପରେ ତାକୁ ସଜାଡ଼ି ନ ପାରି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି ସେବତୀ । ତାଙ୍କ ନାଁରେ ମଧ୍ୟ ୨୦୧୮-୧୯ ଆର୍ଥିକ ବର୍ଷରେ ଆବାସ ଯୋଜନାର ସହାୟତା ରାଶି ୧ଲକ୍ଷ ୨୦ହଜାର ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଏନେଇ ଆଳି ବିଡିଓଙ୍କୁ ପଚାରିବାରୁ ସେ କହିଛନ୍ତି, ଏଯାଏଁ ଅଭିଯୋଗ ଆସିନି, ଅଭିଯୋଗ ଆସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । 

ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ବିଜେପି ର୍ପୂବରୁ ଟାର୍ଗେଟ୍ କରିଥିଲା । ଏମିତିକି ଦୁର୍ନୀତିରେ ସଂପୃକ୍ତ ଥିବା କହି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଆବାସ କେଳେଙ୍କାରୀର ସିବିଆଇ ତଦନ୍ତ ମଧ୍ୟ ଦାବି କରିଥିଲେ ଦଳର ବରିଷ୍ଠ ନେତା ପୀତାମ୍ବର ଆଚାର୍ଯ୍ୟ ।

ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ଅଭିଯୋଗ କରିଥିଲେ ଯେ ୧ଲକ୍ଷ ଘର ଆବଣ୍ଟନରେ ହଜାରେ କୋଟିର ଦୁର୍ନୀତି ହୋଇଛି । ଅଯୋଗ୍ୟ ଲୋକ ଆବାସ ଯୋଜନାରେ ଘର ପାଉଛନ୍ତି । ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହେଉଛି । ବାରମ୍ବାର ଆକାଉଣ୍ଟ ପରିବର୍ତ୍ତନ ହେଉଛି । ଗୁହାଳ ଓ ବାରିପଟ ଘର ଦେଖାଇ ଯୋଜନା ଟଙ୍କା ହଡ଼ପ୍ ଚାଲିଛି ଓ ଡମି ନାଁ ଚଢ଼ାଇ ଲୋକ ଘର ନେଇଥିବା ବିଜେପି ପକ୍ଷରୁ ପୂର୍ବରୁ ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ନିମ୍ନ ମାନର ଘର ନିର୍ମାଣ ସହ ମନରେଗାରେ କାମ କରିଥିବା ଶ୍ରମିକଙ୍କୁ ପାଉଣା ଦିଆଯାଉନି । ଆବାସ ଦୁର୍ନୀତିରେ ବିଜେଡି ନେତା ଓ ଅଧିକାରୀଙ୍କ ସଂପୃକ୍ତି ରହିଛି ବୋଲି ସେ ଅଭିଯୋଗ କରିଥିଲେ ସମୀର ମହାନ୍ତି ।

ରାଜ୍ୟକୁ ମିଳିଥିବା ୮ଲକ୍ଷ ୧୭ ହଜାର ଆବାସ କେବଳ ୨୧ଟି ଜିଲ୍ଲାରେ ଆବଣ୍ଟିତ କରି ବାକି ୯ଟି ଜିଲ୍ଲାକୁ ଗୋଟିଏ ବି ଦେଇନାହାନ୍ତି । ତେଣୁ ଏଭଳି ପାତର ଅନ୍ତର ନୀତି କାହିଁକି ବୋଲି ପ୍ରଶ୍ନ କଥିଲା ବିଜେପି । ରାଜ୍ୟରେ ଏଭଳି ଆବାସ ଦୁର୍ନୀତି ପ୍ରତିବାଦରେ ବିଜେପି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ମଧ୍ୟ କରିଥିଲା ।