/odishatv-khabar/media/post_attachments/uploadimage/library/16_9/16_9_0/Rain_1641917150.jpg)
Rain
ପଶ୍ଚିମ ଓଡ଼ିଶାରେ ଚାଷୀଙ୍କ ପାଇଁ କାଳ ହେଲା ଅଦିନିଆ ବର୍ଷା । ପଶ୍ଚିମା ଝଡ଼ ପ୍ରଭାବରେ ବଲାଙ୍ଗିର, ସୋନପୁର, ନୂଆପଡ଼ା, ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ଲଗାଣ ବର୍ଷା ଫଳରେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି ଚାଷୀ କୂଳ । ବିଶେଷକରି ଏ ସବୁ ଜିଲ୍ଲାର ଚାଷୀ ଅମଳ ପରେ ବିକ୍ରି ପାଇଁ ମଣ୍ଡିର ଖୋଲା ଆକାଶ ତଳେ ଧାନ ପକାଇ ରଖିଥିବା ବେଳେ ବହୁ ସ୍ଥାନରେ ସାଇତା ଧାନକୁ ଭିଜାଇ ଦେଇଛି ବର୍ଷା ।
ଅଦିନିଆ ବର୍ଷାରେ ଭିଜିଲା ପୁରା ପଶ୍ଚିମ ଓଡ଼ିଶା । ପଶ୍ଚିମା ଝଡ଼ ପ୍ରଭାବରେ ଗତକାଲିଠୁ ରାଜ୍ୟର ପଶ୍ଚିମାଞ୍ଚଳରେ ମୂଶଳ ଧାରାରେ ବର୍ଷା ପରେ ପୁଣି ସମସ୍ୟାରେ ଚାଷୀ କୂଳ । ନୂଆପଡ଼ା ଜିଲ୍ଲା ଡୁଙ୍ଗୁରିପାଲି ଧାନ ମଣ୍ଡିର ଆଜିକୁ ପ୍ରାୟ ୧୦ ଦିନ ଧରି ଚାଷୀ ଏଠାରେ ଧାନ ବିକ୍ରି ପାଇଁ ପକାଇ ରଖିଥିବା ବେଳେ ୩ ଦିନ ଧରି ଏମିତି ଦାଉ ସାଧୁଛି ଲଗାଣ କୁଆପଥର ବର୍ଷା ।
ଖୋଲା ଆକାଶ ତଳେ ପଡ଼ିଥିବା ଚାଷୀର ବର୍ଷ ଯାକର ଶ୍ରମକୁ ସୁରକ୍ଷା ଦେଇଛି ପଲିଥିନ୍ । ହେଲେ ଅଧିକ ବର୍ଷା ଫଳରେ ତଳ ପାଣି ଧାନକୁ ଭିଜାଇ ଦେଇଥିବାରୁ ଧାନ ଗଜା ହେବା ସହ ରଙ୍ଗ ହରାଇବା ଆଶଙ୍କା ପରେ ଚିନ୍ତାରେ ଚାଷୀ ।
ସେହିଭଳି ଝାରସୁଗୁଡ଼ା ଜିଲ୍ଲା କିରିମିରା ଅଞ୍ଚଳର ଅମଳ ଧାନକୁ ବିକ୍ରି ପାଇଁ ମଣ୍ଡି ଆଗରେ ଧାଡ଼ି ଲଗାଇଛନ୍ତି ଶହ ଶହ ଟ୍ରାକ୍ଟର । ଏପଟେ ଅଦିନିଆ ବର୍ଷା ଆସିଯିବା ପରେ ଉପାୟ ନପାଇ ସେହି ଗାଡ଼ି ଉପରେ ପାଲ ଟାଣି ଦେଇଛନ୍ତି ଚାଷୀ । ହେଲେ ବର୍ଷା ଥମି ନଥିବାରୁ ବିକ୍ରି ଅପେକ୍ଷାରେ ଥିବା ଧାନର ଅବସ୍ଥା କେମିତି ଥିବା ତାହା ସନ୍ଦେହରେ । କଳାହାଣ୍ଡି ଜିଲ୍ଲାର ମଣ୍ଡିଗୁଡ଼ିକରେ ବି ଅନୁରୂପ ଅବସ୍ଥା । ସୋମବାର ରାତି ଅଧରେ ହଠାତ ବର୍ଷା ଆସିଯିବା ପରେ ଚାଷୀଙ୍କ ଭରଷା ଥିଲା ଏଇ ତାର୍ପୋଲିନ୍ । ଦିନ ଦିନ ଧରି ତାରି ତଳେ ଥିବା ଧାନ ବର୍ଷା ଛାଡ଼ିବା ପରେ କିଭଳି ଅବସ୍ଥାରେ ଥିବ ତାକୁ ଆଶା ଆଶଙ୍କାରେ ଚାଷୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)