• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବୋତଲ, ଲେବୁଲ, ଷ୍ଟିକର ସବୁ ଅସଲି, ହେଲେ ମାଲ ଏକଦମ୍ ନକଲି । ସମ୍ବଲପୁର ରାଣୀଖିଣ୍ଡା ଅଞ୍ଚଳରେ ଡୁପ୍ଲିକେଟ୍ ମଦ ପ୍ରସ୍ତୁତିର ଏକ ବଡ଼ ୟୁନିଟ୍ ଉପରେ ଚଢାଉ କରିଛି ଅବକାରୀ ଗୁଇନ୍ଦା ବିଭାଗ । ରେଡ୍ ବେଳେ ସେଠାରୁ ନାମୀଦାମୀ ବ୍ରାଣ୍ଡର ବିପୁଳ ପରିମାଣର ଠିପି, ବୋତଲ, ଲେବୁଲ ସହ ଅବକାରୀ ବିଭାଗର ସିଲ୍ ଷ୍ଟିକର ବି ଜବତ କରିଛି । ଏ ଘଟଣାରେ ଜଣକୁ ଗିରଫ କରାଯାଇଥିବା ବେଳେ ମାଷ୍ଟରମାଇଣ୍ଡ୍ ଫେରାର ହୋଇଯାଇଛି ।

ଅରିଜିନାଲ ଷ୍ଟାଇଲରେ ତିଆରି ହେଉଥିଲା ପୁରା ଡୁପ୍ଲିକେଟ୍ । ପେଷାଗତ ବ୍ୟବହାରକାରୀ ନହେଲେ, ମାଲ୍ ଅସଲି କି ନକଲି ଜାଣିବା ସମ୍ପୂର୍ଣ୍ଣ ମୁସ୍କିଲ । ସମ୍ବଲପୁର ରାଣୀଖିଣ୍ଡାରେ ଦୀର୍ଘ ଦିନ ଧରି ଚାଲିଥିବା ଏକ ବଡ଼ ବିଦେଶୀ ନକଲି ମଦ ପ୍ରସ୍ତୁତି ୟୁନିଟ୍ ଉପରେ ଚଢାଉ କରିଛି ଅବକରୀ ଗୁଇନ୍ଦା ବିଭାଗ । ବିଶେଷସୂତ୍ରରୁ ଖବର ମିଳିବା ପରେ ଗତକାଲି ରାତିରେ ସମ୍ବଲପୁର ଶାସନ ଥାନା ଅଧିନ ରାଣୀଖିଣ୍ଡାର ଏକ ଭଡ଼ା ଘରେ ଚାଲିଥିବା ଡୁପ୍ଲିକେଟ୍ ମଦ ପ୍ରସ୍ତୁତି ୟୁନିଟ୍ ଉପରେ ରେଡ୍ କରିଥିଲା ।

ରେଡ୍ ବେଳେ ଘଟଣାସ୍ଥଳରୁ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ୧୦ ହଜାର ଠିପି, ୪୫୨ ବୋତଲ, ୪୫୦ ଲିଟର ସ୍ପିରିଟ୍, ବ୍ଲେଣ୍ଡେଡ୍ ସ୍ପିରିଟ୍ ଭଳି ସାମଗ୍ରୀ ସହ ଗୋଟିଏ ପଂଚିଂ ମେସିନ୍ ଓ ଓଡ଼ିଶା ଅବକାରୀ ବିଭାଗର ଡୁପ୍ଲିକେଟ୍ ଆଡେସିଭ୍ ଲେବୁଲ ବି ଜବତ କରିଛି । ତେବେ ଏ ଘଟଣାରେ ଜଣେ ଅଭିଯୁକ୍ତ ସରୋଜ ବେହେରାକୁ ଅବକାରୀ ବିଭାଗ ଗିରଫ କରିଥିବା ବେଳେ ମୁଖ୍ୟ କାର୍ପଟଦାର ଫେରାର ମାରିଛି ।

ଅବକାରୀ ଗୁଇନ୍ଦା ବିଭାଗ କହିଛି, ରାଣୀଖିଣ୍ଡାର ଏ ଭଡ଼ାଘରେ ଆଜିକୁ ପ୍ରାୟ ୮ ମାସ ଧରି ଚାଲି ଆସୁଥିଲା ଏ କଳା କାରବାର । ଏ ଚୋରା ବ୍ୟବସାୟର ମାଷ୍ଟର ମାଇଣ୍ଡ ସମ୍ବଲପୁର କ୍ଷେତରାଜପୁରରେ ରହୁଥିବା ଜସବୀର ସିଂ କୋହଲି ଓରଫ୍ ଗୋଲଡି । ସେ ଜାଲ ନାଁରେ କୋଲକାତାର ଏକ କମ୍ପାନୀରୁ ସ୍ପିରିଟ୍ ମଗାଉଥିଲା ।

ପଶ୍ଚିମବଙ୍ଗର ଏକ ଟ୍ରାନ୍ସପୋର୍ଟ କମ୍ପାନୀ ଜରିଆରେ ପ୍ରିଣ୍ଟି ଅଏଲ ବୋଲି ଉଲ୍ଲେଖ କରି ସ୍ପିରିଟ୍ ପହଞ୍ଚୁଥିଲା ସମ୍ବଲପୁରରେ । ପରେ ଏଠାରେ ଡୁପ୍ଲିକେଟ୍ ମଦ ପ୍ରସ୍ତୁତି ପରେ ସମ୍ବଲପୁର ଓ ପଡ଼ୋଶୀ ଜିଲ୍ଲାକୁ ସପ୍ଲାଇ କରାଯାଉଥିଲା । ଗୋଲଡି ଓ ସରୋଜ୍ ମିଲି ଭଗତରେ ଏ ରାକେଟ୍ ଚଳାଉଥିଲେ । ବଡ଼ କଥା ହେଉଛି, କେମେଷ୍ଟ୍ରିରେ ଡିଗ୍ରୀ ବ୍ୟାଚେଲର ଡିଗ୍ରୀ ପଢ଼ିଥିବା ସରୋଜ ଯୁକ୍ତ ଦୁଇ ପିଲାଙ୍କୁ ଟ୍ୟୁସନ୍ କରେ ।

ଜଣେ ଉଚ୍ଚ ଶିକ୍ଷିତ ଯୁବକ ହୋଇ ବି ସେ ଏହି ବ୍ୟବସାୟକୁ ଆଗକୁ ନେଉଥିଲେ । ଡୁପ୍ଲିକେଟ୍ ମଦ ପ୍ରସ୍ତୁତିର ସବୁ କାର୍ଯ୍ୟ ସେ କରିବା ପରେ ହିଁ ମାଲ ସପ୍ଲାଇ ହେଉଥିଲା । ଗିରଫ ପରେ ଯାହାର ଡେମୋ ଦେଖାଇଛି ଅଭିଯୁକ୍ତ ସରୋଜ ।

ସମ୍ବଲପୁର ସହରରେ ନକଲି ମଦର ଏ ବଡ଼ କାରବାର ଧରାପଡ଼ିବା ପରେ ଜିଲ୍ଲା ଓ ଜିଲ୍ଲା ବାହାରେ ବିଭିନ୍ନ ବିଦେଶୀ ମଦ ଦୋକାନରେ ଏ ଡୁପ୍ଲିକେଟ୍ ମାଲ ବିକ୍ରି ହେଉଛି କି ନାହିଁ, ତାର ଯାଞ୍ଚ୍ କରିବା ସହ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛି ଅବକାରୀ ଗୁଇନ୍ଦା ବିଭାଗ ।

ସମ୍ବଲପୁରରୁ କ୍ୟାମେରା ପର୍ସନ ରଞ୍ଜନଙ୍କ ସହ ସଂଜୟ କୁମାର ଜେନାଙ୍କ ରିପୋର୍ଟ, ଓଟିଭି