/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653714657.jpg)
Tree Cutting
ବିଧାୟକଙ୍କ ଲାଗି ତିଆରି ହେବ ବହୁତଳ ପ୍ରାସାଦ । ଏଥିପାଇଁ ବଳି ପଡ଼ିଲା ଶହ ଶହ ଗଛ । ରବୀନ୍ଦ୍ର ମଣ୍ଡପଠୁ ନେଇ ପୋଲିସ କମିଶନରେଟ ଛକ ଯାଏ ଥିବା ସବୁ ପୁରୁଣା କ୍ୱାର୍ଟରକୁ ପ୍ରଥମେ ଭଙ୍ଗାଯାଇଛି । ଆଉ ତାପରେ ଆରମ୍ଭ ହୋଇଛି ନିର୍ମାଣ କାମ । ତେବେ ସେହି ସ୍ଥାନରେ ବହୁ ପୂର୍ବରୁ ଥିବା ପୁରାତନ ଗଛ ଗୁଡ଼ିକୁ କାଟି ଦିଆଯାଉଛି । ଯାହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ରାଜଧାନୀ ବାସିନ୍ଦା । ୨୭୫ କୋଟି ଟଙ୍କା ବ୍ୟୟରେ ଏହି ସ୍ଥାନରେ ର୍ନିମାଣ ହେବ ୧୦ ମହଲା ଓ ୧୧ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ । ଏଥିରେ ୩୦୦ଟି କ୍ୱାର୍ଟର ରହିବ ।
ଆସନ୍ତା ଅଢ଼େଇ ବର୍ଷ ମଧ୍ୟରେ ଶେଷ ହେବ ବିଧାୟକଙ୍କ ପାଇଁ ଏହି ବହୁତଳ ପ୍ରସାଦର ନିର୍ମାଣ । ଏଥିପାଇଁ ୨୭୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଓବିସିସି ଚିଫ୍ ଇଞ୍ଜିନିୟରଙ୍କୁ ୫୦ କୋଟି ପ୍ରଦାନ କରାଯାଇଛି । ଅବଶିଷ୍ଠ ୨୨୫ କୋଟି ଟଙ୍କା ଅର୍ଥବିଭାଗ ଦେବ । ଏଥିପାଇଁ ବଜେଟରେ ବ୍ୟବସ୍ଥା କରାଯିବ ।
ବିଧାୟକ କ୍ୱାର୍ଟର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ମଝିରେ ମଝିରେ ସମୀକ୍ଷା କରୁଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ବାଚସ୍ପତି । କ୍ୱାର୍ଟର୍ସ ର୍ନିମାଣ ପାଇଁ ଟେଣ୍ଡର ସରିଛି, ବଡ଼ ବଡ଼ କମ୍ପାନୀ ଅଂଶଗ୍ରହଣ କରିଥିଲେ । ୩୦୦ କ୍ୱାର୍ଟର ମଧ୍ୟରୁ ୧୩୦ଟି କ୍ୱାର୍ଟର ବିଧାୟକଙ୍କ ପାଇଁ ରହିବ ବୋଲି ସ୍ଥିର କରାଯାଇଥିବା ବେଳେ, ୧୦୫ ଟି ଟାଇପ-VII ଓ ୨୫ଟି ଟାଇପ୍-V କ୍ୱାର୍ଟର୍ସ ରହିବ ।
ଆଇଏଏସ୍ ଅଧିକାରୀଙ୍କ ପାଇଁ ବି କିଛି କ୍ୱାର୍ଟର୍ସ ରହିବ । ଏହି ବିଲ୍ଡିଂରେ ମାର୍କେଟ କମ୍ପ୍ଲେକ୍ସ ଓ ମେଡ଼ିକାଲ ବ୍ୟବସ୍ଥା ସହ ୨ ହଜାର ଲୋକ ଏକାଠି ଭୋଜି ଖାଇବା ପରି ବ୍ୟବସ୍ଥା ରହିବ । ଏମିତିକି ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ଏଠାରେ ଉପଲବ୍ଧ ହେବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)