• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପଥର ଖାଦାନ ପ୍ରଭାବିତ କରୁଛି ଲୋକଙ୍କ ଜୀବନ ଜୀବିକା । ପଥର ବ୍ଲାଷ୍ଟିଂ ଯୋଗୁଁ ଘରଦ୍ୱାର ଭାଙ୍ଗି ଯାଉଥିବା ବେଳେ, ଏବେ ଚାଷକାର୍ଯ୍ୟକୁ ବି କଲାଣି ପ୍ରଭାବିତ । ଲୋକେ ନା ଘରେ ସୁରକ୍ଷିତ ନା ବାହାରେ, ଏବେ ଏମିତି କିଛି ଅବସ୍ଥା କୋରାପୁଟ ଲକ୍ଷ୍ମୀପୁର ବ୍ଲକର ତୁନପାର ପଞ୍ଚାୟତର ଅନେକ ଅଞ୍ଚଳରେ ।

ଗୋଟେପଟେ ପଥର ବ୍ଲାଷ୍ଟିଂ ଅନ୍ୟପଟେ ଘର ଗୁଡ଼ିକରେ ଫାଟ । ଭାଙ୍ଗି ଯାଉଛି କାନ୍ଥ, ଛାତରେ ବଡ଼ ବଡ଼ ଫାଟ । ଗାଁ ପାଖରେ ଥିବା ପଥର ଖଣି ଗୁଡ଼ିକ ଯୋଗୁଁ ଏବେ କିଛି ଏମିତି ଅବସ୍ଥା । ନା ଘରେ ରହି ହେଉଛି ନା ବାହାରେ .. କାରଣ ପଥର ଖଣିରେ ବ୍ଲାଷ୍ଟିଂ ଯୋଗୁଁ ଏବେ ଆଖପାଖରେ ଥିବା ଘର ଗୁଡ଼ିକ ଭାଙ୍ଗିବାକୁ ବସିଲାଣି ।

ଆଉ ବାହାରେ ଏତେ ପ୍ରଦୂଷଣ ଯେ, ରହିବା ମୁସ୍କିଲ୍ ହୋଇପଡ଼ୁଛି । ଲୋକେ ଏନେଇ ବାରମ୍ବାର ସମାଧାନ ପାଇଁ ଦାବି କରିଛନ୍ତି । ଏପରିକି ରାସ୍ତାରୋକ ବି ହୋଇଛି । ହେଲେ ଆଲୋଚନା କରି ସମାଧାନ ପ୍ରତିଶ୍ରୁତି ପରେ ସମସ୍ୟା ଯେସାକୁ ତେସା । ପଥର ଖଣି ସେମିତି ଚାଲୁଛି, ଲୋକଙ୍କ ଘର ସେମିତି ଭାଙ୍ଗିବାରେ ଲାଗିଛି ।

ଖାଲି ଘର ଦ୍ୱାର ଭାଙ୍ଗିବାରେ ସମସ୍ୟା ସୀମିତ ରହିନି । ଚାଷ ଜମିରେ ପଥର ପଡ଼ୁଛି । ଯାହା ଚାଷ କାର୍ଯ୍ୟକୁ କରୁଛି ପ୍ରଭାବିତ । ସ୍କୁଲ ଘର ଅବସ୍ଥା ତ ନକହିବା ଭଲ । ପିଲା ଏମିତି ବିପଦସଙ୍କୁଳ ଅବସ୍ଥାରେ ପାଠ ପଢ଼ୁଛନ୍ତି ଯେ, କେତେବେଳେ କିଛି ବି ହୋଇପାରେ । ଲୋକଙ୍କ ଜମି ଦେଇ କ୍ରସରକୁ ଚାଲାଣ ପାଇଁ ଟ୍ରକ ଯାଉଥିବାରୁ ସମସ୍ୟା ଆହୁରି ବଢ଼ୁଛି ।

ତୁନପାର ପଞ୍ଚାୟତର ଏହି ଅଞ୍ଚଳରେ ୭ରୁ ଅଧିକ ପଥର ଖଣି ଗତ ୫ ବର୍ଷ ହେଲା ଚାଲିଛି । ପଥର ଖନନ ପାଇଁ ଯାହା ଗାଇଡଲାଇନ୍ ରହିବା ଜରୁରୀ ସେ ସବୁ ପାଳନ ହେଉନଥିବା ଅଭିଯୋଗ ଥାନାରେ ବି ପହଞ୍ଚିଛି । ସେପଟେ ଘଟଣାର ଅନୁଧ୍ୟାନ ହୋଇଛି । ରିପୋର୍ଟକୁ ଅପେକ୍ଷା କରା ଯାଇଥିବା କହିଛନ୍ତି ଲକ୍ଷ୍ମୀପୁର ତହସିଲଦାର ।

ଅପରପକ୍ଷେ, ଏନେଇ ପଥର ଖଣି ଚଲାଉଥିବା ସଂସ୍ଥା ଗୁଡ଼ିକର ପ୍ରତିକ୍ରିୟା ମିଳିପାରିନି । ପଥର ଖଣି ବ୍ୟବସାୟ ଦୃଷ୍ଟିକୋଣରୁ ଚାଲୁ କିନ୍ତୁ ତାହା ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଇବା କେତେ ଦୂର ଠିକ୍ ତାକୁ ନେଇ ଉଠିଛି ପ୍ରଶ୍ନ ?