• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯାଉନି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଟେନ୍‌ସନ୍ । ଚିନ୍ତାରେ ଗାଡ଼ି ମାଲିକ ଓ ଚାଳକ । ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲାଗି ଆବେଦନ କରିଥିବା ଲୋକେ ରସିଦ୍ ଦେଖାଇ ଜରିମାନାରୁ ବର୍ତ୍ତି ପାରିବେ ବୋଲି ଗତକାଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ଏହାସତ୍ତ୍ୱେ ବି ସମସ୍ୟା ଯାହାକୁ ତାହା । କାରଣ ବୁକିଂ କଲେ ତ ରିସିପ୍ଟ ମିଳିବ । କେଉଁଠି ଦୁର୍ବଳ ନେଟ୍‌ୱର୍କ ଯୋଗୁଁ ଅନ୍‌ଲାଇନ୍ ଆବେଦନ ହୋଇପାରୁନି ତ ଆଉ କେଉଁଠି ସିଆମ୍‌ ୱେବ୍‌ସାଇଟ୍ ସର୍ଭର ଡାଉନ୍ ଯୋଗୁଁ ହଇରାଣ ଆବେଦନକାରୀ ।

ଆଉ କିଛି କ୍ଷେତ୍ରରେ ଗାଡ଼ିର ବିବରଣୀ ଦେବା ପରେ ସିଆମ୍ ୱେବ୍‌ସାଇଟ୍ କହୁଛି, ଆପଣଙ୍କ ଗାଡ଼ି ତଥ୍ୟ ବାହାନ ପୋର୍ଟାଲରେ ଉପଲବ୍ଧ ନାହିଁ । ଫଳରେ ଗାଡ଼ି ନମ୍ବର ୧, ୨, ୩, ୪ରେ ଶେଷ ହେଉଥିବା ଅନେକ ଲୋକ ଏବେ ବି ସିଆମ୍  ୱେବ୍‌ସାଇଟ୍‌ରରେ ଆବେଦନ କରିବାରେ ବିଫଳ ହୋଇଛନ୍ତି । ଏଭଳି କ୍ଷେତ୍ରରେ ଜରିମାନାରୁ ବର୍ତ୍ତିବାକୁ ସରକାର କି ବ୍ୟବସ୍ଥା କରିଛନ୍ତି ବୋଲି ଉଠିଛି ପ୍ରଶ୍ନ । ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନିୟମ କଡ଼ାକଡ଼ି ପୂର୍ବରୁ ସରକାର ଏସବୁ ସମସ୍ୟାର ସମାଧାନ କରନ୍ତୁ ବୋଲି ଦାବି ହେଉଛି ।

ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଯୁକ୍ତି ସିଆମ୍ ୱେବସାଇଟ୍‌ରେ ସମସ୍ୟା ନେଇ କୌଣସି ଅଭିଯୋଗ ଆସିନି । ୱେବସାଇଟ୍‌ରେ ଏସ୍‌ଟିଏର ଯୋଗାଯୋଗ ନମ୍ବର ସମେତ ବିଭିନ୍ନ ଗାଡ଼ି କମ୍ପାନିର ଟୋଲ୍ ଫ୍ରି ନମ୍ବର ରହିଛି । ଯେଉଁମାନଙ୍କର ସମସ୍ୟା ରହୁଛି, ସେମାନେ ଏହି ନମ୍ବରକୁ କଲ୍ କରି ନିଜ ସମସ୍ୟାର ସମାଧାନ କରିପାରିବେ । ଏନେଇ ବିଭାଗ ପକ୍ଷରୁ କୁହାଯାଇଛି ।

ଏବେ ଅପେକ୍ଷା, ଅକ୍ଟୋବର ପହିଲାକୁ । ସରକାର ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଡେଡ୍‌ଲାଇନ୍ ବଢାଉଛନ୍ତି, ନା ପୂର୍ବ ନିଷ୍ପତ୍ତି ଅନୁଯାୟୀ ଅସହାୟ ଲୋକଙ୍କଠୁ ଜରିମାନା ଆଦାୟ କରୁଛନ୍ତି ।