ଆଦିବାସୀଙ୍କ ବିକାଶ ନିମନ୍ତେ ସରକାର ମାଳମାଳ ଯୋଜନା କରୁଛନ୍ତି ସତ, ହେଲେ ଆଜି ବି ଆଦିବାସୀଙ୍କ ନିକଟରେ ବିଜୁଳି ସାତସପନ l ବର୍ଷ ପରେ ବର୍ଷ ବିତିଯାଉଥିଲେ ସୁଦ୍ଧା ବିଦ୍ୟୁତ୍ ସେବାରୁ ବଞ୍ଚିତ ଆଦିବାସୀ ଜନତା l ଏମିତି କି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଝିଗିଡି ପଞ୍ଚାୟତର ଚାଞ୍ଚଡାମୁଣ୍ଡୀ ଗାଁରେ ଲୋକଙ୍କ ଲାଗି ବିଜୁଳି ସାତସପନ ।
ସନ୍ଧ୍ୟା ହେଲେ ଅନ୍ଧାର ରାଜ୍ । ରାୟଗଡ଼ା ଜିଲ୍ଲାରେ ଆଜି ବି ଲୋକ ବିଜୁଳି ଯୋଗାଣ ଭଳି ମୌଳିକ ସୁବିଧାରୁ ବଞ୍ଚିତ । କୌଣସି ଉପାନ୍ତ ଅଞ୍ଚଳ ନୁହେଁ , ଆଦିବାସୀ କଲ୍ୟାଣମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବାସଭବନ ଠାରୁ ୨ କିଲୋମିଟର ଦୂରରେ ଥିବା ଚାଞ୍ଚଡ଼ାମୁଣ୍ଡୀ ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ବେଳ ଥାଉ ଥାଉ ଏଠାକାର ଲୋକେ ରନ୍ଧା ବଢା ସାରି ଦିଅନ୍ତି । ଆଉ ସନ୍ଧ୍ୟାପରେ ଏଠି ଅନ୍ଧାରରେ ରାତି ବିତାଉଛନ୍ତି ଲୋକେ । ବିଜୁଳି ଯୋଗାଣ ଲାଗି ଅନେକବାର ପ୍ରଶାସନ ପାଖକୁ ଦୌଡି ଦୌଡି ନୟାନ୍ତ ଏଠାକାର ଲୋକେ । ହେଲେ ଲୋକଙ୍କ ମୌଳିକ ସୁବିଧା ଏଟି ଆଜି ବି ଅପହଞ୍ଚ ।
Also Read
ମନ୍ତ୍ରୀଙ୍କ ଅଞ୍ଚଳର କେବଳ ଏହି ଗୋଟିଏ ଗ୍ରାମ ନୁହଁ , ବିଷମକଟକ ନିର୍ବାଚନମଣ୍ଡଳିର ଡୁକୁମ ପଞ୍ଚାୟତର ଗଗନମତି ଓ ନାରୀଙ୍ଗପୋଙ୍ଗା ଗ୍ରାମରେ ମଧ୍ୟ ସମାନ ଅବସ୍ଥା l ଦୀର୍ଘବର୍ଷ ହେବ ବିଜୁଳି ବ୍ୟବସ୍ତା ନଥିବାରୁ ସଞ୍ଜ ହେଲେ ଗାଁରେ ତାଟିକବାଟ ପଡେ l କେବଳ ବିଜୁଳି ସମସ୍ୟା ରହିଛି ତାହା ନୁହେଁ ଗଗନମତି ଗାଁକୁ ଯିବାକୁ ରାସ୍ତା ନଥିବାରୁ ଲୋକେ ବର୍ଷବର୍ଷ ଧରି ନାନା ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଛି ।
ଆଦିବାସୀଙ୍କ ଲାଗି ନାନା ଯୋଜନା ହେଉଛି, ହେଲେ ଆଦିବାସୀ କଲ୍ୟାଣମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଦୀପତଳ ଅନ୍ଧାର ଭଳି ସ୍ଥିତି ବୟାନ କରୁଛି ଯେ ଲୋକଙ୍କୁ କେତେ ମୌଳିକ ସୁବିଧା ମିଳୁଛି।
(ବିଷମକଟକରୁ ଗୌରୀପାତ୍ରଙ୍କ ରିପୋର୍ଟ)