• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିନା ରୋଗୀରେ ହସ୍ପିଟାଲ । ଅତ୍ୟାଧୁନିକ ସୁବିଧା ସହ ତିଆରି ହୋଇଛି ଶହେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ । ହେଲେ ଜଣେ ହେଲେ ରୋଗୀ ନାହାନ୍ତି । ଚାରିଆଡେ ଖାଁ ଖାଁ । କେବଳ ଜଣେ ସୁକ୍ୟୁରିଟି ଗାର୍ଡ ଅଛନ୍ତି । ତେବେ ପ୍ରଶ୍ନ ଉଠୁଛି, କାହିଁକି ନୂତନ ଭାବେ ତିଆରି ହୋଇଥିବା ଏହି ହସ୍ପିଟାଲଟି ଭୂତ କୋଠି ପାଲଟିଛି । କୋଟି କୋଟି ଟଙ୍କାର ଯନ୍ତ୍ରପାତି ଅକାମୀ ହୋଇ ପଡିଛି କାହିଁକି । ମରୁଭୂମି ପରି ଖାଁ ଖାଁ ହୋଇ ପଡିଥିବା ଏହି ମେଡିକାଲର ଅଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର କୁଳିଆରେ ।

କଟକ ଚାନ୍ଦବାଲି ରାସ୍ତାରେ ସାଲେପୁରରୁ କେନ୍ଦ୍ରାପଡା ରୋଡ଼ରୁ ମାତ୍ର ଦୁଇ କିଲୋମିଟର ଗଲେ କୁଳିଆ ଛକ ନିକଟରେ ପଡେ ଶୀତତାପ ନିୟନ୍ତ୍ରିତ ୧୦୦ ଶଯ୍ୟା ବିଶିଷ୍ଟ ଏହି ଅତ୍ୟାଧୁନିକ ହସ୍ପିଟାଲ । ଇଣ୍ଡୋ ଆମେରିକାନ ଫାଉଣ୍ଡେସନ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ କୋଭିଡ଼ ମହାମାରୀ ସମୟରେ ଏହି ହସ୍ପିଟାଲଟି ତିଆରି ହୋଇଥିଲା । ଅକ୍ସିଜେନ ଠାରୁ ଆରମ୍ଭ କରି ଆଇସିୟୁ ଭଳି ସମସ୍ତ ସୁବିଧା ରହିଛି ଏହି ହସ୍ପିଟାଲରେ । କିନ୍ତୁ ଏଠାରେ ଜଣେବି ରୋଗୀଙ୍କର ଚିକିତ୍ସା ହୋଇପାରିନି । କାରଣ ହସ୍ପିଟାଲ କାର୍ଯ୍ୟ ଆରମ୍ଭ ବେଳକୁ କୋଭିଡ ପ୍ରଭାବ କ୍ଷୀଣ ହୋଇଯାଇଥିଲା । ଏବେ ଏହି ହସ୍ପିଟାଲଟିକୁ ସାଧାରଣ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ହୋଇଛି ।

କଥାରେ ଅଛି ସୁନା ଥିଲେ କାନ ନାହିଁ, କାନ ଥିଲେ ସୁନା ନାହିଁ । ହେଲେ ଏଠି ସୁନା ଅଛି ଆଉ କାନ ବି ଅଛି । ହେଲେ କାମ ଦେଉନି । ଅର୍ଥାତ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଅଛି । ରୋଗୀ ଅଛନ୍ତି ଆଉ ଚିକିତ୍ସାର ଆବଶ୍ୟକତା ବି ଅଛି । ହେଲେ କାମରେ ଆସୁନି ହସ୍ପିଟାଲ । ଚାରି ଆଡ଼େ ଖାଁ ଖାଁ ହୋଇ ପଡ଼ି ରହିଛି । କେହି କୁଆଡେ ନାହାନ୍ତି । କେବଳ କେବିନ ପରେ କେବିନ ଲାଗିଛି । ଏନେଇ ହସ୍ପିଟାଲକୁ ତୁରନ୍ତ ସାଧାରଣ ରୋଗୀଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନ ପକ୍ଷରୁ ଦାବି ହୋଇଛି ।

(ମନୋଜ ଆଚାର୍ଯ୍ୟ, ସାଲେପୁର)