• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲ ବିସ୍ଫୋରଣକୁ ଦଶ ଦିନ ପୂରିଲା । ହେଲେ ଏବେବି ନା ମୃତକଙ୍କ ପରିଚୟକୁ ନେଇ କୁହେଳିକା ହଟୁଛି, ନା ଦୁଶ୍ଚିନ୍ତାରୁ ମୁକୁଳି ପାରୁଛନ୍ତି ଉଭୟ ମୃତକ ଦିଲୀପ ସାମନ୍ତରାୟ ଓ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ପରିବାର । ଡିଏନ୍ଏ ଟେଷ୍ଟ ରିପୋର୍ଟ ନଆସିବା ଯାଏଁ ତୃତୀୟ ମୃତକଙ୍କ ଶବ ହସ୍ତାନ୍ତର କରାଯାଉନଥିବାରୁ, ଭୁବନେଶ୍ୱର ଏମ୍ସ ଶବ ବ୍ୟବଚ୍ଛେଦ ଗୃହ ଆଗରେ ଅଖିଆ-ଅପିଆ ବସିରହିଛନ୍ତି ଦିଲୀପଙ୍କ ମାଆ । ତେଣେ ପଳାଶ କାଠକୁ ଶ୍ମଶାନରେ ଜାଳି ଶୁଦ୍ଧି ହେବାକୁ ସ୍ଥିର କରିଛନ୍ତି ଜ୍ୟୋତିରଂଜନଙ୍କ ପରିବାର ।

ଏସି ସଜାଡ଼ିବାକୁ ଯାଇ ଆଇସିୟୁରେ ପହଞ୍ଚିଗଲେ... ବଞ୍ଚି ଥାଉ ଥାଉ ମୃତ ଘୋଷିତ ହେଲେ... ଆଉ ଶେଷରେ, ନିଜ ପରିଚୟ ଦେବାର ଦିନକ ପରେ ପ୍ରାଣ ହରାଇଲେ । ଏତେ ସବୁ ସହିବା ପରେ ବି ଶାନ୍ତି ପାଉନି ହାଇଟେକ୍ ଟ୍ରାଜେଡିର ତୃତୀୟ ମୃତକ, ସମ୍ଭବତଃ ଦିଲୀପ ସାମନ୍ତରାୟଙ୍କ ଆତ୍ମା । ସେପଟେ ପୁଅ ମରିବା ଖବର ପାଇବାଠୁ ପାଣି ଟୋପାଏ ପିଇନାହାନ୍ତି ବିଚାରି ଦିଲୀପଙ୍କ ମାଆ । ମୃତଦେହ ନେବାକୁ ଭୁବନେଶ୍ୱର ଏମ୍ସ ଶବ ବ୍ୟବଚ୍ଛେଦ ଗୃହ ଆଗରେ ଜଗି ବସିଛନ୍ତି । କେତେବେଳେ ବାହୁନି ବାହୁନି କାନ୍ଦୁଛନ୍ତି । ଆଉ କେତେବେଳେ ଚେତା ହରାଇ ଗଡ଼ି ପଡ଼ୁଛନ୍ତି । କହୁଛନ୍ତି ମୋ ପୁଅକୁ ମୋତେ ଫେରାଇ ଦିଅ ।

ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲ ଏସି କଂପ୍ରେସର ବିସ୍ଫୋରଣ ଘଟଣାରେ ତୃତୀୟ ମୃତ୍ୟୁକୁ ପ୍ରାୟ ୩୬ ଘଣ୍ଟା ବିତିଲାଣି । ସେ ବଞ୍ଚିଥିବା ବେଳେ ନିଜକୁ ଦିଲୀପ ସାମନ୍ତରାୟ ବୋଲି କହିଥିବା ବେଳେ, ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ପରିବାର ମଧ୍ୟ କହିସାରିଲେଣି ଯେ, ସେ ଆମ ପୁଅ ନୁହେଁ । ହେଲେ ଏବେବି ବ୍ୟବଚ୍ଛେଜ ସରିବା ସତ୍ତ୍ୱେ ଏମ୍ସରେ ଅଟକିଛି ମୃତଦେହ ।

ଡିଏନଏ ଟେଷ୍ଟରୁ ମୃତକଙ୍କ ପରିଚୟ ସ୍ପଷ୍ଟ ନହେବା ଯାଏଁ, ମୃତଦେହକୁ କାହାକୁ ହସ୍ତାନ୍ତର କରାଯିବ ନାହିଁ କହୁଛି ହାଇଟେକ୍ ଓ ପୋଲିସ । ଏଥିପାଇଁ ମୃତଦେହର ଡିଏନଏ, ଦିଲୀପଙ୍କ ମାଆଙ୍କ ଡିଏନଏ ଏବଂ ଜ୍ୟୋତିରଞ୍ଜନଙ୍କ ବାପାମାଆଙ୍କ ଡିଏନଏ ନମୁନା ସଂଗ୍ରହ କରି ଦିଲ୍ଲୀ ପଠାଯାଇଛି । ରିପୋର୍ଟ ଆସିବାକୁ ପ୍ରାୟ ୭ ଦିନ ଲାଗିବ । ଗୋଟିଏ ପଟେ ମୃତଦେହ ଅପେକ୍ଷାରେ ଦିଲୀପଙ୍କ ଜ୍ଞାତି-କୁଟୁମ୍ବ କାଲିଠୁ ଉପାସରେ ଅଛନ୍ତି ।

ଅନ୍ୟପଟେ କଟକ କଣ୍ଟାପଡ଼ା ବ୍ଲକ୍ କୂଳବ୍ରାହ୍ମଣ ସାଇଲୋ ଗାଁରେ ଦଶାହ କର୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି ଜ୍ୟୋତିରଞ୍ଜନଙ୍କ ପରିବାର । ଶୋକ ପାଳୁଛନ୍ତି, ବେଳିକିଆ ଖାଉଛନ୍ତି । ଜ୍ୟୋତିଙ୍କ ଶବ ଏବେ ଦିଲୀପଙ୍କ ଗାଁ ଶ୍ମଶାନରେ ପାଉଁଶ ହୋଇ ସାରିଥିବାରୁ, ସେମାନେ ଦଶାହ ଦିନ ପଳାସ କାଠକୁ କୋକେଇରେ ନେଇ ଶ୍ମଶାନରେ ପୋଡ଼ିବେ ବୋଲି ସ୍ଥିର କରିଛନ୍ତି ।

ହାଇଟେକ୍ ହସପିଟାଲ ବିସ୍ଫୋରଣ ଘଟଣାରେ ୪ ଗୁରୁତର ଆହତଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିସାରିଛି । ଆଉ ଜଣେ ଚିକିତ୍ସାଧୀନ ଅଛନ୍ତି । ସେପଟେ ହାଇଟେକ୍ ସିଇଓ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି । ବିସ୍ଫୋରଣ କିଭଳି ହେଲା, ଦାୟୀ କିଏ ଏବଂ ମୃତକଙ୍କ ଚିକିତ୍ସା ଠିକ୍ ଭାବେ ହୋଇଛି କି ନାହିଁ, ଏସବୁର ତଦନ୍ତ ହେବ ।

  • Reported by:
  • ATULYA BOUT , CHANDAN PAIKRAY , BINAY MISHRA