• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟରେ ଜାଡ଼ର ପ୍ରକୋପ ସାମାନ୍ୟ କମିଥିଲେ ବି, ରାସ୍ତାକଡ଼ର ମଣିଷଙ୍କ ପାଇଁ ଶୀତୁଆ ରାତି ଗୋଟିଏ ଯୁଗ ଭଳି ଲାଗୁଛି। ପାରଦ ସିନା ଅଳ୍ପଟିକେ ଖସିଛି, ହେଲେ କମିନି କଷ୍ଟ, ଥମିନି ଯନ୍ତ୍ରଣା । କିଏ ପେଟ ପାଇଁ, କିଏ ରୋଗ ପାଇଁ, ଆଉ କିଏ କଷ୍ଟ ଉପାର୍ଜିତ ଶସ୍ୟର ସୁରକ୍ଷା ପାଇଁ। ବ୍ରହ୍ମପୁରରୁ ସମ୍ବଲପୁର ଜିଲ୍ଲା ଏବଂ କୋରାପୁଟରୁ ମାଲକାନଗିରି ଯାଏଁ, ସବୁଠି ସ୍ଥିତି ପରଖିଛି ଓଟିଭି ।

ପେଟର ଭୋକ ମେଣ୍ଟାଇବା ପାଇଁ, ଜାଡ଼ର ମାଡ଼କୁ ପିଠି ପତେଇ ଦେଇଛି ଗରିବ ଖଟିଖିଆ । ଶୀତୁଆ ରାତିକୁ ବେଖାତିର କରି ଯାତ୍ରୀ ଅପେକ୍ଷାରେ ରେଶମ ସହରର ରିକ୍ସାବାଲା । କିଏ ଚାଦର ଭିତରେ ଜାକିଜୁକି ହୋଇ ଶୋଇଛି, ତ କିଏ ଗାମୁଛା ଖଣ୍ଡେ ଘୋଡ଼େଇ ରାତିସାରା ଥରୁଛି । ରେଳଷ୍ଟେସନ ଓ ବସଷ୍ଟାଣ୍ଡରେ ଅଟକିଥିବା ଯାତ୍ରୀ ହୁଅନ୍ତୁ, ଅବା ଅଟୋରିକ୍ସା ଚାଳକ । ସକାଳୁ ଲମ୍ବା ଧାଡ଼ିରେ ଟିକେଟ କରି ଡାକ୍ତର ଦେଖାଇବା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପରିସରରେ ଅପେକ୍ଷା କରିଥିବା ରୋଗୀ ହୁଅନ୍ତୁ, ଅବା ସେମାନଙ୍କ ସଂପର୍କୀୟ। ସମସ୍ତେ ଶୀତୁଆ ରାତିରେ ଛଟପଟ, ଯେଝା ଚିନ୍ତାରେ, ଯେଝା କଷ୍ଟରେ । ଏମକେସିଜି ମେଡିକାଲରେ ଶୀତରେ ଥରୁଥିବା ଅପେକ୍ଷାରତଙ୍କ ଭିତରେ ବହୁ ଜ୍ବର ଓ ଥଣ୍ଡା ରୋଗୀ ବି ଥିଲେ, ଯାହାଙ୍କ ପାଇଁ ଶୀତୁଆ ରାତି ଓ ଖୋଲା ଆକାଶ ନର୍କ ଯନ୍ତ୍ରଣାଠୁ କିଛି କମ୍ ନଥିଲା ।

ଖାଲି ବ୍ରହ୍ମପୁର ନୁହେଁ, ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଆଟେଣ୍ଡାଣ୍ଟଙ୍କ ପାଇଁ ରାତ୍ରୀଯାପନ ବ୍ୟବସ୍ଥା ନଥିବାରୁ ଲୋକେ କାଲୁଆ ଚଟାଣରେ ରାତିଯାକ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ଗଡ଼ୁଛନ୍ତି ପ୍ରାୟ ୫୦ରୁ ଅଧିକ ରୋଗୀଙ୍କ ସଂପର୍କୀୟ । ତେବେ ବାସହୀନଙ୍କ ରାତ୍ରୀ ଆଶ୍ରୟ ସ୍ଥଳୀରେ ୧୨-୧୪ ଜଣ ଥିବା ବେଳେ, ବାକି ବେଡ୍ ଖାଲି ପଡ଼ିଥିବା ଦେଖିବାକୁ ମିଳିଛି ।

ଇଏ ହାଡ଼ଭଙ୍ଗା ଶୀତର ସହର କୋରାପୁଟ । ରାତି ତାପମାତ୍ରା ୮ ଡିଗ୍ରୀ ସେଲସିୟସ; ରାସ୍ତାକଡ଼, ବସଷ୍ଟାଣ୍ଡ୍ ଓ ଦୋକାନ ପିଣ୍ଡାକୁ ଆଶ୍ରା କରିଛନ୍ତି ନିରାଶ୍ରୟ । ହେଲେ ବିଡ଼ମ୍ବନା... ସେମାନଙ୍କ ପାଇଁ ଥିବା ଆଶ୍ରୟସ୍ଥଳ ସମ୍ପୂର୍ଣ୍ଣ ଖାଲି ପଡ଼ିଛି । କୋରାପୁଟ ପୌର ପରିଷଦ ପକ୍ଷରୁ ଗାନ୍ଧୀନଗରରେ ଥିବା ୩୫ ବେଡ୍ ବିଶିଷ୍ଟ ଅସ୍ଥାୟୀ ରାତ୍ରୀ ଆଶ୍ରୟସ୍ଥଳ, ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ ଠାରୁ ଦୂରରେ ଥିବାରୁ ଏବଂ ଏହାର ପ୍ରଚାର ପ୍ରସାର ହେଉନଥିବାରୁ, ଲୋକେ ଏଠାକୁ ଆସୁନଥିବା କୁହାଯାଉଛି ।

ସେପଟେ ସମ୍ବଲପୁର କୁଚିଣ୍ଡାରେ ଚାଷୀମାନେ ଭୋଗୁଛନ୍ତି ଶୀତ ରାତିର ପ୍ରକୋପ । ବକ୍ସମା ଧାନମଣ୍ଡରେ ନିଜ କଷ୍ଟ ଉପାର୍ଜିତ ଶସ୍ୟର ସୁରକ୍ଷା ପାଇଁ ରାତି ତମାମ୍ ଜଗି ବସୁଛନ୍ତି ଚାଷୀ । ମିଲର୍ ମାନେ ମଣ୍ଡିକୁ ଗାଡ଼ି ପଠାଉନଥିବାରୁ ଦିନ ଦିନ ଧରି ଖୋଲା ଆକାଶ ତଳେ ଧାନ ପଡ଼ି ରହୁଛି ବୋଲି ଅଭିଯୋଗ ହୋଇଛି ।

  • Reported by:
  • JITENDRA BEURA , Surya Narayan Panda , Jagannath Sahu