Advertisment

ବେଇମାନ ମଣିଷ: କୁକୁର ବୁଢ଼ା ହୋଇଗଲା ବୋଲି ବାହାରେ ଛାଡ଼ିଦେଲା..

ସ୍ୱାର୍ଥପର ମଣିଷ। ଦିନେ ଏଇ କୁକୁର ତାକୁ ସୁରକ୍ଷା ଦେଉଥିଲା ହେଲେ ଆଜି ତା’ ଦେହ ଖରାପ ହେଲା ବୋଲି ଅଧା ରାସ୍ତାରେ ଛାଡି ଦେଇ ପଳାଇଲା। ଚର୍ମ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛି ଏଇ ବିଦେଶୀ କୁକୁର...ଏମିତି ମାଲିକଙ୍କୁ କହିବେ କଣ?

author-image
Manoranjan Behera
ଅଦ୍ୟତନ ହୋଇଛି
Pet Dog

Pet Dog

‘ତୁ କେଡେ ସ୍ୱାର୍ଥପର କିରେ ମଣିଷ? ଛୁଆଟି ଦିନୁ ମତେ ଆଣି ଘରେ ରଖିଲୁ । ପାଳିପୋଷି ବଡ କଲୁ । ତତେ ସବୁବେଳେ ମୁଁ ନିଜର ଭାବେ । ତୁ ଯେତେବେଳେ ଯାହା କହିଛୁ, ସେହି ମୁହୂର୍ତ୍ତରେ ମୁଁ ତୋ କଥା ମାନିଛି । ତୁ ବସ୍‌ କହିଲେ ମୁଁ ବସୁଥିଲି, ଉଠ୍‌ କହିଲେ ଉଠୁଥିଲି । କେତେ ଦିନ ଯେ ତୁ ମୋ ଦାୟିତ୍ୱରେ ଘର ଛାଡି ଯାଇଛୁ । ଆଉ ପ୍ରତି ସେକେଣ୍ଡରେ ମୁଁ ତୋ ଘରକୁ ଜଗିଛି । ତତେ ସୁରକ୍ଷା ଦେଇଛି । ହେଲେ ଆଜି ମୁଁ ବୁଢା ହୋଇଯାଇଛିରେ...ମତେ ରୋଗ ଗ୍ରାସ କଲାଣି। ଆଉ ତୋ ମନ ମୁତାବକ ସେବା କରିପାରୁନି । ସେଇଥି ପାଇଁ କଣ ମତେ ଏମିତି ହୀନିମାନି କରି ରାସ୍ତାରେ ଛାଡି ଦେଇ ଯିବୁ ? ମୋର ଦୋଷ କଣ ? ଏତେ ନିଷ୍ଠୁର ତୁ କେମିତି ହେଲୁରେ’?

Advertisment

ଆଜି ଯଦି ସେ  ନିରୀହ କୁକୁର କଥା କହିପାରୁଥାଆନ୍ତା ତାହାଲେ ଏମିତି ବୋଧହୁଏ କହିଥାଆନ୍ତା । ଆଉ ନିଶ୍ଚୟ ତା ମାଲିକଙ୍କୁ ପଚାରି ଥାଆନ୍ତା କି ମୋର ଦୋଷ କଣ? ମୁଁ ଯଦି ତୋ ନିଜ ଛୁଆ ହୋଇଥାଆନ୍ତି ତାହାଲେ ମତେ କଣ ଏମିତି ଅଧା ବାଟରେ ଛାଡି ଦେଇଥାଆନ୍ତୁ ? ପୋଷା କୁକୁରର ଦେହ ଖରାପ ହେବା ପରେ ତା ମାଲିକ ତାକୁ ରାସ୍ତା କଡରେ ଛାଡି ଦେଇ ଯାଇଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏମିତି ଘଟଣା ଘଟିଛି କଟକ ନୂଆପଡା ପ୍ରେସ କଲୋନୀ ଅଂଚଳରେ ।

ଆଜିର ଏ ଆଧୁନିକ ଯୁଗରେ ମଣିଷ ନିଜର ସୁଖ ନିଜର ସ୍ୱାର୍ଥ ଓ ନିଜର ବିଳାସ ଜୀବନ ପାଇଁ ସବୁକିଛି କରିପାରୁଛି । ବର୍ତ୍ତମାନ ପ୍ରାୟ ସମସ୍ତଙ୍କ ଘରେ ଲୋକେ କୁକୁରଟିଏ  ରଖିବା ପାଇଁ ଇଚ୍ଛା କରୁଛନ୍ତି । ହେଲେ ସେମାନଙ୍କ ଦେହ ଖରାପ ହେବା ପରେ ଏମିତି ରାସ୍ତାରେ ଆଣି ଛାଡି ଦେଉଛନ୍ତି ମାଲିକ । ଯେତେ ସୌକରେ କୁକୁର ରଖୁଛନ୍ତି ସେତେ ସୌକରେ କିନ୍ତୁ ସେମାନଙ୍କ ସେବା ଯତ୍ନ କରିବାକୁ ନାରାଜ ମଣିଷ ।

Advertisment

କଟକ ନୂଆପଡା ଅଂଚଳରେ କେହି ଜଣେ ନିଜର ଲ୍ୟାବ୍ରୋଡର ପ୍ରଜାତିର କୁକୁରକୁ ରାସ୍ତା ଉପରେ ଛାଡି ଦେଇ ଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭାଳେଣି ପଡିଛି ଯେ କୁକୁର କାହାର ? ରୋଗଗ୍ରସ୍ତ କୁକୁର ନିଜ ମାଲିକକୁ ଖୋଜୁଛି ଟିକିଏ ସ୍ନେହ ଆଦର ପାଇଁ । ହେଲେ ଏ ସ୍ୱାର୍ଥପର ମଣିଷ ତା ଦୁଃଖ ଟିକିଏ ବୁଝିଲାନି। କୁକୁରଟିର ଅବସ୍ଥା ଏମିତି ଥିଲା ଯେ ସେ ଠିକ୍‌ରେ ବି ଚାଲିପାରୁନଥିଲା । ଗୋଟିଏ ଜାଗାରେ ବସି ରହି ଲୁହ ଗଡାଉଥିଲା । ମନେ ମନେ ମାଲିକକୁ ଖୋଜୁଥିଲା।

ମାଲିକ ସିନା ଧୋକା ଦେଲା, ହେଲେ ଦୃଦୟବାନ୍‌ ମଣିଷ ଜଣେ ଏବେ ତାକୁ ଘରେ ରଖି ସ୍ନେହ ଆଦର କରୁଛନ୍ତି । ରୋଗଗ୍ରସ୍ତ କୁକୁରକୁ ଯେତେବେଳେ ଅନ୍ୟ କୁକୁରମାନେ ଆକ୍ରମଣ କରିବାକୁ ଲାଗିଲେ ସେତେବେଳେ ଜଣଙ୍କ ଘରେ ପଶିଯାଇଥିଲା ଏହି କୁକୁର। ଆଉ କୁକୁରର ଅବସ୍ଥା ଦେଖି ତାକୁ ଘରେ ଆଶ୍ରୟ ଦେବା ସହିତ ସୁଶ୍ରୁଶା ସଂଗଠନକୁ ଯୋଗାଯୋଗ କରିବା ପରେ ସେଠାରେ ତାର ପ୍ରାଥମିକ ଚିକିତ୍ସା ଚାଲିଛି । ଆଉ ପୂର୍ବ ଅପେକ୍ଷା ସୁସ୍ଥ ବି ଅଛି ।
ତେବେ ସୌକରେ କୁକୁର ରଖି ତାର ଦେହ ଖରାପ ହେଲେ ଏମିତି ମଝି ରାସ୍ତାରେ ଛାଡି ଦେଉଥିବା ମାଲିକଙ୍କୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

(ରିପୋର୍ଟ- ବିଶ୍ୱଜିତ୍‌ ଆଚାର୍ଯ୍ୟ)

Pet Dog Special Story Heartbreaking Health Deteriorated
Advertisment
Advertisment