• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ମୋବାଇଲ ଟର୍ଚ୍ଚ ଲାଇଟ୍‌ ସାହାଯ୍ୟରେ ମୁଣ୍ଡରେ ପଡ଼ିଲା ଷ୍ଟିଚ୍‌ । ଉନ୍ନତ ସ୍ୱାସ୍ଥ୍ୟସେବାର ଯେତେ ଡିଣ୍ଡିମ ପିଟିଲେ ବି ଲୁଚୁନି ଅସଲ ଚିତ୍ର । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହାର ପୁଣି ପୋଲ୍ ଖୋଲିଛି । ଲାଇନ୍ ନଥିବାରୁ ଟର୍ଚ୍ଚ ଲାଇଟ୍‌ରେ ହୋଇଛି ଜରୁରୀ ଚିକିତ୍ସା । ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଭାଟପଡ଼ା ଗାଁର କୃପାସିନ୍ଧୁ ସାହୁ ନାମକ ଜଣେ ବ୍ୟକ୍ତି ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲ ଆସିଥିଲେ ।

ତୁରନ୍ତ ତାଙ୍କ ମୁଣ୍ଡରେ ଷ୍ଟିଚ୍ ପଡ଼ିବା ଦରକାର ପଡ଼ିଥିଲା । ତେବେ ଏହି ସମୟରେ ଲାଇନ୍ କଟି ଯାଇଥିବା ସହ ଜେନେରେଟର ବି କାମ କରିନଥିଲା । ଫଳରେ ମୋବାଇଲ୍ ଲାଇଟ୍‌ରେ ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଏଭଳି ଚିକିତ୍ସା ଚାଲିଥିଲା । ଦୀର୍ଘ ୨ଘଣ୍ଟା ପରେ ଲାଇନ୍ ଆସିଥିଲା । ସେପଟେ କରେଣ୍ଟ ନଥିବାରୁ ମେଡିକାଲର ଅନ୍ୟ ରୋଗୀ ମାନେ ମଧ୍ୟ ଡହଳ ବିକଳ ହୋଇଥିଲେ । ଏନେଇ କେନ୍ଦ୍ରାପଡ଼ା ଏଡିଏମ୍ଓ ପ୍ରତିକ୍ରିୟା ରଖି କହିଛନ୍ତି, ରାଜନଗର ମେଡିକାଲରେ ବିଦ୍ୟୁତ୍ କାଟ ସମୟରେ ଅସୁବିଧା ନହେଲା ଭଳି ସବୁ ବ୍ୟବସ୍ଥା ଅଛି । ଯଦି କାହା ତ୍ରୁଟିରୁ ଏଭଳି ସ୍ଥିତି ଉପୁଜିଥିବ ତେବେ ତଦନ୍ତ କରାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସରକାର ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟସେବା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । ହେଲେ ବାରମ୍ବାର ସ୍ୱାସ୍ଥ୍ୟ ସେବାର ଏମିତି କିଛି ବିକଳ ଚିତ୍ର ସାମ୍ନାକୁ ଆସୁଛି । ଗତ ୨୨ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ସରକାର ଶାସନ କରୁଥିବା ବେଳେ ଏବେ ବି ଅନେକ ଗାଁରେ ସ୍ୱାସ୍ଥ୍ୟସେବା ପହଞ୍ଚି ପାରିନି । ଅନେକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ନାହିଁ ସାଧାରଣ ଚିକିତ୍ସା ସେବା । କେଉଁଠି ଡାକ୍ତର ନାହାନ୍ତି ତ କେଉଁଠି ଡାକ୍ତର ଥିଲେ ଚିକିତ୍ସା ସାମଗ୍ରୀ ନାହିଁ । ଏମିତିକି ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ବିଭିନ୍ନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର । 

ଖାଲି ସେତିକି ନୁହେଁ ମେଡିକାଲ ଥିଲେ ବି ଷ୍ଟାଫ୍‌ ନଥିବାରୁ ବିଭିନ୍ନ ସମୟରେ ରୋଗୀ ଆସି ଲମ୍ବା ଲାଇନ୍‌ କରି ଛିଡ଼ା ହେଉଛନ୍ତି । ପରେ ଚିକିତ୍ସା ନପାଇ ନିରାଶ ହୋଇ ଫେରୁଛନ୍ତି । ନଚେତ ଅଧିକ ଟଙ୍କା ଖର୍ଚ୍ଚ କରି ସହରକୁ ଆସି ଘରୋଇ ମେଡିକାଲରେ ଚିକିତ୍ସା କରାନ୍ତି ଲୋକ । ତେବେ ଏତେ ସବୁ ସମସ୍ୟା ଭିତରେ ସରକାର କିଭଳି ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା ଯୋଗାଉଛନ୍ତି ତାହା ସ୍ପଷ୍ଟ ଅନୁମେୟ । ଅନ୍ୟପଟେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଯେଉଁ ଡିଣ୍ଡିମ ପିଟୁଛନ୍ତି, ସେହି ଟଙ୍କା ସବୁ କୁଆଡ଼େ ଯାଉଛି ? ତାହା ବି ଏବେ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି ।