• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଣି ମହାପୁରୁଷଙ୍କୁ ଅପମାନ । ଭଦ୍ରକ ଧାମନଗରରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ନାଁକୁ ଭୁଲ ଲେଖାଯାଇଛି । ଧାମନଗର ଊର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟର ପାଚେରୀରେ ହରେକୃଷ୍ଣ ମହତାବଙ୍କ ନାଁକୁ ହରେକୃଷ୍ଣ ମହାନ୍ତି ବୋଲି ଲେଖାଯାଇଛି । ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ପ୍ରଶାସନ ପକ୍ଷରୁ କରାଯାଇଥିବା ଏଭଳି ତ୍ରୁଟିକୁ ସଜାଡ଼ି ଥିଲା ସ୍ଥାନୀୟ ବିଜେପି । ମହାନ୍ତିକୁ ଲିଭାଇ ମହତାବ କରାଯାଇଥିଲା । ସେହିପରି ଭଦ୍ରକ ବନ୍ତ ଛକ ରାସ୍ତାକଡ଼ ପାଚେରିରେ ସୌନ୍ଦର୍ଯ୍ୟକରଣ ପାଇଁ ମହାପୁରୁଷ ମାନଙ୍କ ଚିତ୍ର ସ୍ଥାନୀତ କରାଯାଇଛି ।

ତେବେ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ନାଁକୁ ଏଠାରେ ଭୁଲ ଭାବେ ବାଞ୍ଛାନିଧି ଦାସ ବୋଲି ଲେଖାଯାଇଥିଲା । ଏନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ କବିଙ୍କ ନାଁକୁ ଲିଭାଇ ଦିଆଯାଇଛି । ଏ ପ୍ରସଙ୍ଗରେ ଜିଲ୍ଲାପାଳ କହିଛନ୍ତି ତୁରନ୍ତ ଏନେଇ ପଦକ୍ଷେପ ନିଆଯାଇ ସଂଶୋଧନ କରାଯିବ ।

ସେପଟେ ଗତ ୩ ତାରିଖରେ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ । ଏହି ସମ୍ମିଳନୀର ଶୁଭାରମ୍ଭ ବେଳେ ‘ବନ୍ଦେ ଉତ୍କଳ ଜନନୀ ଗାନ’ ପୂର୍ବରୁ ଉପସ୍ଥାପିକା ସଂହତି ପାଣି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ଏକାଧିକ ଥର ‘କଣ୍ଠକବି’ ବୋଲି ଉଚ୍ଚାରଣ କରିଥିଲେ । ଯାହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା ।

ପରେ ଉପସ୍ଥାପିକା ସଂହତି ପାଣି ଏହାକୁ ‘ସ୍ଲିପ୍ ଅଫ୍ ଟଙ୍ଗ୍’ ବୋଲି କହିବା ସହ ଭୁଲ ସ୍ୱୀକାର କରି ସୋସିଆଲ୍ ମିଡ଼ିଆରେ ଏକ ପୋଷ୍ଟ କରିଥିଲେ। ହେଲେ ପରେ ପୁଣି କାହିଁକି ଡିଲିଟ୍ କଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଏବେ ଆଉ ସେହି ପୋଷ୍ଟ ଦେଖିବାକୁ ମିଳୁନାହିଁ ସୋସିଆଲ୍ ମିଡ଼ିଆରେ । ତେବେ କାହିଁକି ଏହାକୁ ଡିଲିଟ୍ କଲେ, ସେନେଇ ସ୍ପଷ୍ଟ ହୋଇନଥିବାବେଳେ ଏହାକୁ ନେଇ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଲାଗିରହିଛି ।

  • Reported by:
  • Partha Sarathi nayak