• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ତରେ ରେଞ୍ଚି ଖଣ୍ଡେ ଧରି ପାଟର୍ସକୁ ପାର୍ଟସ ଯୋଡ଼ି ଅବିଳମ୍ବେ ଚଳନ୍ତା ସାଇକେଲଟିଏ ଛିଡ଼ା କରି ଦେଉଥିବା ଲକ୍ଷ୍ମଣ ଆଜି ଯେ ତାଙ୍କ ସ୍ୱପ୍ନର ମଣିଷକୁ ସଠିକ୍ ବାଟରେ ଛିଡ଼ା କରି ପାରିଛନ୍ତି । ସେଥିରେ ଖୁସି ନହେବେ ବା କେମିତି । କୋରାପୁଟ ସହରରେ ସାଇକେଲ୍ ଦୋକାନ କରିଥିବା ଲକ୍ଷ୍ମଣ କୋୟାଙ୍କ ପୁଅ ଉମାଶଙ୍କର ପାଇଛନ୍ତି ଓଏଏସ୍ । ଶୁଣିବା ପରଠୁ ଯେମିତି ଗୋଡ଼ ତଳେ ଲାଗୁନି । ଲକ୍ଷ୍ମଣଙ୍କ ପୁଅର ଜୟଯାତ୍ରା ଦେଖି ସାହି ପଡ଼ିଶା, ସହରବାସୀ ଅବା ସାଙ୍ଗସାଥୀ ସମସ୍ତେ ଖୁସି ହେଉଛନ୍ତି, ଶୁଭେଚ୍ଛା ଜଣାଉଛନ୍ତି । ଏଣେ ପ୍ରଶାସନିକ ସେବାରେ ୧୨୭ତମ ସ୍ଥାନ ଅଧିକାର କରିଥିବା ଆଦିବାସୀ ଅଧ୍ୟୁଷିତ କୋରାପୁଟ ଅଞ୍ଚଳର ଗୌରବ ଉମାଶଙ୍କର ବି ସବୁ ଶ୍ରେୟ ବାପାଙ୍କୁ ଦେଇଛନ୍ତି । ସେ କହିଛନ୍ତି ଆରମ୍ଭରୁ ବିଫଳତା ହିଁ ଥିଲା ତାଙ୍କ ପାଇଁ ସଫଳତାର ଚାବିକାଠି ।

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତାର ସିଡ଼ି ଚଢ଼ିଥିବା ଆଉ ଜଣେ ହେଲେ ନବରଙ୍ଗପୁର ଜିଲ୍ଲା ଗମ୍ଭାରୀଗୁଡ଼ା ଗାଁର ପ୍ରତାପ ଚନ୍ଦ୍ର ପୂଜାରୀ । ସମଗ୍ର ଚନ୍ଦାହାଣ୍ଡି ବ୍ଲକ ପାଇଁ ସେ ଏବେ ପାଲଟିଛନ୍ତି ଭବିଷ୍ୟତ ପିଢ଼ିଙ୍କ ଆଦର୍ଶ । ଏକ ନିପଟ ଆଦିବାସୀ ଗାଁରେ ଜନ୍ମିତ ପ୍ରତାପ ପ୍ରଶାସନିକ ସେବା ପରୀକ୍ଷାରେ ଅଧିକାର କରିଛନ୍ତି ୧୫୧ତମ ସ୍ଥାନ । ଅଖ୍ୟାତ ପଲ୍ଲୀରୁ ବିଖ୍ୟାତ ହେବାର ଏ ସଂଘର୍ଷ କିଛି କମ୍ ନଥିଲା ପ୍ରତାପଙ୍କ ପାଇଁ । ଜଣେ ମେଧାବୀ ଛାତ୍ର ଥିବାରୁ ୨୦୦୬ ମସିହାରୁ ସ୍ୱାସ୍ଥ୍ୟ ବିଭାଗରେ ଚାକିରି ଆରମ୍ଭ କରି ୨୦୧୩ ନଭେମ୍ବରରୁ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଚାକିରି ବି କରୁଥିଲେ । ହେଲେ ଏବେ ସିଧା ପ୍ରଶାସନିକ ଅଧିକାରୀ ହେବେ, ଯାହାକୁ ନେଇ ବାପାଙ୍କଠୁ ସାଙ୍ଗସାଥୀଙ୍କର ଛାତି କୁଣ୍ଢେମୋଟ । 

ସେମିତି ସଂଘର୍ଷରୁ ସଫଳତା ପାଇଥିବା ଆଉ ଜଣେ ହେଲେ ଯାଜପୁର ଚିତ୍ରୀ ଗାଁର ବିଶ୍ୱଜିତ୍ ସାହୁ । ବାପା ଥିଲେ ଜଣେ ଗାଡ଼ି ଡ୍ରାଇଭର, ହେଲେ ୩ବର୍ଷ ତଳେ ରାସ୍ତା ଦୁର୍ଘଟଣାରେ ତାଙ୍କୁ ହରାଇବା ପରେ ବି ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇନଥିଲେ ବିଶ୍ୱଜିତ୍ । ବିଧବା ମାଆ ଓ ସାନ ଭଉଣୀର ଦାୟିତ୍ୱ ନେଇ ୨୦୧୮ରେ ରେଳବାଇ ଗୁଡ୍‌ସ ଗାର୍ଡ ଚାକିରି କରିଥିଲେ । ହେଲେ ଓଏଏସ ଲକ୍ଷ୍ୟରୁ ଓହରି ନଥିଲେ । ସଫଳତା ପରେ ସବୁଠୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ମିଳୁଛି ସତ, ହେଲେ ଏ ସଫଳତାକୁ କିନ୍ତୁ ସେ ଉତ୍ସର୍ଗ କରିଛନ୍ତି ନିଜ ପରଲୋକଗତ ବାପାଙ୍କୁ ।