• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ବାତ୍ୟା ଗୁଲାବ ଗଲା । ହେଲେ ଦକ୍ଷିଣ ଓଡ଼ିଶାରେ ଦେଖାଇଛି ବର୍ଷା ଓ ପବନର କୋପ । ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ସବୁଠି ଗତକାଲିଠୁ ଲାଗି ରହିଛି ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ । ମାଲକାନଗିରିର ଏମ୍‌ଭି-୯୬ ବ୍ରିଜ୍ ଉପରେ ଚାଲୁଛି ପାଣି । ବେଳକୁ ବେଳ ବଢୁଥିବାରୁ ମାଲକାନଗିରି-ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ । ରାସ୍ତାର ଦୁଇପଟେ ଅଟକିଛି ଗାଡ଼ି ମୋଟର ।

ଖାଲି ସେତିକି ନୁହେଁ ଟେକବାଡ଼ି ସାହିରେ ଏକ ଦୁର୍ବଳ ଗଛ ମଦ୍ୟ ଉପୁଡ଼ି ଘର ଉପରେ ପଡ଼ିଛି । ସୌଭାଗ୍ୟକୁ କାହାରି କିଛି କ୍ଷତି ଘଟିନି । ସେହିପରି ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଲୋଟି ପଡିଥିବା ଗଛକୁ ଓଡ୍ରାଫ୍ ଟିମ୍ କାଟି ସଫା କରିଛନ୍ତି । ସେମିତି କୋରାପୁଟ ଜିଲ୍ଲାର ବନ୍ଧୁଗାଁ, ନାରାୟଣପାଟଣା, ଲକ୍ଷ୍ମୀପୁର ଓ ପଟାଙ୍ଗୀରେ ବି ହୋଇଛି ପ୍ରବଳ ବର୍ଷା । ସୁଙ୍କି ଘାଟିରେ ହୋଇଛି ଭୂସ୍ଖଳନ । ପୁରା ଘାଟିକୁ କୁହୁଡ଼ି ଭଳି ବାଦଲ ଢାଙ୍କି ରଖିଥିବାରୁ କିଛି ଦୃଶ୍ୟମାନ ହେଉନି । ସୁଙ୍କି ମେଡିକାଲ ନିକଟ NH-୨୬ରେ ବି ପାଣି ଚାଲିଛି । ସ୍ଥାନୀୟ ଲୋକଙ୍କୁ ନିକଟସ୍ଥ ଲ୍ୟାମ୍ପ ଅଫିସ୍‌କୁ ସ୍ଥାନାନ୍ତର କରାଯାଇଛି । ୨୬ନମ୍ବର ଜାତୀୟ ରାଜପଥର କୁନ୍ଦୁଲି ଓ ମାଳିପୁଟ ନିକଟରେ ରାସ୍ତା ଉପରେ ପଡିଥିବା ଗଛ ସଫା କରିଛନ୍ତି ଓଡ୍ରାଫ୍ ଟିମ୍ । ଲମତାପୁଟରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ରାସ୍ତାରେ ଉପୁଡ଼ି ପଡିଥିବା ଗଛକୁ ସଫା କରାଯାଇ ଯାତାୟାତ ସ୍ୱାଭାବିକ କରାଯାଇଛି ।

ସେହିଭଳି ଗଜପତି ଜିଲ୍ଲାରେ ପବନର କୋପ ଅଧିକ ନଥିଲେ ବି ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେଉଛି । ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ମହେନ୍ଦ୍ରତନୟା ଓ ବଂଶଧାରା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଶ୍ରୀକାକୁଲମ ଜିଲ୍ଲାର ଗୋଟା ବ୍ୟାରେଜ୍‌ରେ ୨୨ଟି ଗେଟ୍ ଖୋଲାଯାଇ ନଦୀ ଜଳକୁ ନିୟନ୍ତ୍ରଣ କରାଯାଉଛି । ଗତକାଲି ଭୂୂ-ସ୍ଖଳନ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଗୁମ୍ମା ବ୍ଲକର ନମନାଗୁଡ଼ା-ଅଜୟଗୁଡ଼ା ରାସ୍ତାକୁ ସଫା କରାଯାଇ ସ୍ୱାଭାବିକ କରାଯାଇଛି । ପଡ଼ୋଶୀ ଗଂଜାମ ଜିଲ୍ଲାରେ ବି ପ୍ରବଳ ବର୍ଷା ଯୋଗୁଁ ଋଷିକୂଲ୍ୟା, ବଡ଼ ନଦୀ ଓ ବାଘୁଆ ନଦୀରେ ଜଳସ୍ତର ବଢୁଛି ।

ରାୟଗଡ଼ା ଜିଲ୍ଲାରେ ବି କୋପ ଦେଖାଇଛି ଗୁଲାବ । ମରମା ପଞ୍ଚାୟତର ମଙ୍ଗଳଗୁଡ଼ା ଗାଁରେ ଅନେକ କ୍ଷୟକ୍ଷତି ହୋଇଛି । ପବନରେ ଅନେକ ଲୋକଙ୍କ ଘର ଛପର ଉଡ଼ିଯାଇଛି । ଭାଙ୍ଗି ପଡିଛି ସୋଲାର ଲାଇଟ୍ ଖୁଣ୍ଟ । ସୂଚନା ଅନୁସାରେ ଗାଁର ୧୦ଟି ପରିବାରର ଛପର ଉଡ଼ିଯାଇଛି । ଏହି ଗାଁରୁ ୧୨୦ ଜଣ ଲୋକଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ନେଇଥିଲା ପ୍ରଶାସନ ।

ଏପଟେ ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି, ରାଜ୍ୟରେ ଆକଳନ ଅନୁଯାୟୀ ବାତ୍ୟା ଗୁଲାବ୍ ସେଭଳି ପ୍ରଭାବ ପକାଇନି । ଯାହା ବି କ୍ଷତି ହୋଇଛି ୫ଦିନ ଭିତରେ ଆକଳନ କରି ଜିଲ୍ଲାପାଳମାନେ ରିପୋର୍ଟ ଦେବେ । କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ୍‌ରେ ସର୍ବାଧିକ ୧୪୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ମୋଟ୍ ୪୬ ହଜାର ଲୋକଙ୍କୁ ସ୍ଥାନାନ୍ତର କରଯାଇଥିଲା । ଯାହାଙ୍କ ମଧ୍ୟରେ ୧୫ ଶହ ୩୩ ଜଣ ଗର୍ଭବତୀ ଥିଲେ ।