/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665933742.jpg)
AQUARIUM FRAUD
ଶ୍ରୀକ୍ଷେତ୍ର ପୁରୀରେ ପର୍ଯ୍ୟଟନର ବିକାଶ ପାଇଁ ପ୍ରକଳ୍ପ ନାଁରେ ଧୂଆଁବାଣ। ପ୍ରୋଜେକ୍ଟ ନାଁରେ କୋଟି କୋଟି ଟଙ୍କା ଆଣି ଆତ୍ମସାତ୍ ଅଭିଯୋଗ। ପୁରୀରେ ପର୍ଯ୍ୟଟକଙ୍କୁ ଦୁବାଇ ଭଳି ଅନୁଭୂତି ଦେବାକୁ କାଚଘରେ ସାମୁଦ୍ରିକ ଜୀବ ରଖିବା ଭଳି ଏକ ମେରାଇନ୍ ଆକ୍ୱାରିୟମ୍ ପ୍ରକଳ୍ପ ପାଇଁ ୨୦୦୯ରେ ଯୋଜନା କରିଥିଲେ ରାଜ୍ୟ ସରକାର। ସେହିବର୍ଷ ଜାନୁଆରି ୩୦ରେ ପୁରୀ ବଳିଆପଣ୍ଡା ସ୍ଥିତ ଅର୍ବାନ ହାଟ ନିକଟ ଏହି ସ୍ଥାନରେ ତତ୍କାଳୀନ ବିଧାୟକ ମହେଶ୍ୱର ମହାନ୍ତି ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏ ପ୍ରକଳ୍ପ ନିର୍ମାଣ ପାଇଁ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀକୁ ଦାୟିତ୍ୱ ଦେଇଥିଲା ଓଟିଡିସି।
ଆକ୍ୱାରିୟମ ପ୍ରକଳ୍ପ ପାଇଁ ରାଜ୍ୟ ରାଜକୋଷରୁ ୨୦୦୯ରେ ୩ କୋଟି ଓ ୨୦୧୦ରେ ୨ କୋଟିକୁ ମିଶାଇ ମୋଟ ୫ କୋଟି ଟଙ୍କା ନେଇଥିଲା ଓଟିଡିସି। ପରେ ୨୦୧୫ରେ ପୁଣି ଏହି ସମାନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ବିଡ଼ମ୍ବନା ଦୁଇ ଦୁଇ ଥର ଶିଳାନ୍ୟାସ ଓ ୫ କୋଟି ଟଙ୍କା ଅସୁଲ ପରେ ବି ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନରେ ପଥର ଖଣ୍ଡିଏ ବି ପଡ଼ିନି। ଆଜି ବି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ପ୍ରକଳ୍ପ ସ୍ଥାନ।
ଏବେ ଜାଣିବା ରାଜ୍ୟ ପର୍ଯ୍ୟଟନ ବିଭାଗର ଓ ଓଟିଡିସିର ପାରିବା ପଣିଆ ଉପରେ। ୨୦୦୯ରୁ ୨୦୨୨ ଯାଏଁ ଏହି ୧୩ ବର୍ଷ ଭିତରେ ଏ ପ୍ରକଳ୍ପର ଅଗ୍ରଗତି ନେଇ ପ୍ରତିବର୍ଷ ବିଭାଗକୁ ବିନିଯୋଗ ପ୍ରମାଣପତ୍ର ମାଗି ଆସୁଛି ରାଜ୍ୟ ଅର୍ଥ ବିଭାଗ କିନ୍ତୁ ପର୍ଯ୍ୟଟନ ବିଭାଗ, ଅର୍ଥ ବିଭାଗକୁ ନା ଉତ୍ତର ଦେଉଛି ନା ୟୁସି। ଉଦବେଗର ବିଷୟ, ସେତେବେଳେ ପ୍ରକଳ୍ପ ପାଇଁ ଟଙ୍କା ନିହାତି ଆବଶ୍ୟକତା ନଥିଲେ ବି ଅନାବଶ୍ୟକ ଭାବେ ଓଟିଡିସି ଅର୍ଥ ଉଠାଣ କରିଛି। ତା ସହ ଏହା ଓଟିଡିସିର ଆର୍ଥିକ ବିଶୃଙ୍ଖଳାକୁ ସ୍ପଷ୍ଟ ପ୍ରମାଣିତ ମଧ୍ୟ କରୁଥିବା ଦର୍ଶାଇଛି ଅର୍ଥ ବିଭାଗ।
ଓଟିଡିସିର ଏହି ବିତ୍ତୀୟ ବିଶୃଙ୍ଖଳା ପାଇଁ ୨୦୧୩ ସୁଦ୍ଧା ରାଜ୍ୟ ତହବିଲ ୧ କୋଟି ୨୦ ଲକ୍ଷ ଟଙ୍କାର ସୁଧ ହରାଇଥିବା ପର୍ଯ୍ୟଟନ ବିଭାଗକୁ ଚିଠି ଲେଖିଛି ଅର୍ଥ ବିଭାଗ। ସେହିଭଳି ପ୍ରକଳ୍ପର ଉଚିତ ଅନୁଶୀଳନ ଓ ବ୍ୟବସାୟିକ ଦିଗ ପ୍ରତି ଦୃଷ୍ଟି ଦେଇନଥିବାରୁ ପ୍ରକଳ୍ପକୁ ନେଇ ସନ୍ଦେହ ମଧ୍ୟ ରହିଥିବା ଅର୍ଥ ବିଭାଗ ଉଲ୍ଲେଖ କରିଛି। ଏନେଇ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି ଯେ, ମୁଁ ଏହାର ତୁରନ୍ତ ଅନୁଧ୍ୟାନ କରିବି।
ରିପୋର୍ଟ: ଚନ୍ଦନ ପାଇକରାୟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)